20 SEPTEMBER 2026

Welcome!

Unlock your personalized experience.
Sign Up

୬୫ ବର୍ଷ ପରେ ପଶିଲା ଚେତା: ଶିଓରିନାରାୟଣରେ ହେବ ନୂଆ ଗେଜ୍ ଷ୍ଟେସନ

Sep 20, 2026 - 04:18
୬୫ ବର୍ଷ ପରେ ପଶିଲା ଚେତା: ଶିଓରିନାରାୟଣରେ ହେବ ନୂଆ ଗେଜ୍ ଷ୍ଟେସନ

ଝାରସୁଗୁଡ଼ା (ଜ୍ଞାନବ୍ରତ ଭୋଇ): ଅର୍ଦ୍ଧଶତାବ୍ଦୀ ପରେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଛି। ମହାନଦୀର ଉପରମୁଣ୍ଡ ଛତିଶଗଡ଼ ଶିଓରିନାରାୟଣଠାରେ ନୂତନ ଗେଜ୍ ଷ୍ଟେସନ ସ୍ଥାପନ ନେଇ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେଠାରେ ବ୍ୟାରେଜ ନିର୍ମାଣ ପରେ ୬୫ ବର୍ଷର ପୁରୁଣା ଗେଜ୍ ଷ୍ଟେସନଟି ଜଳରାଶିରେ ବୁଡ଼ିଯିବାରୁ ଜଳପ୍ରବାହ ସଂକ୍ରାନ୍ତରେ ତଥ୍ୟ ମିଳୁ ନଥିଲା। ବର୍ତ୍ତମାନ ବ୍ୟାରେଜର ତଳମୁଣ୍ଡରେ ନୂତନ ସ୍ଥାନରେ ଏହି ନୂଆ ‌ଗେଜ୍ ଷ୍ଟେସନ ସ୍ଥାପନ ହେବାକୁ ଯାଉଛି। ଅନ୍ୟପକ୍ଷରେ ସାରାଡିହିରେ ଅନୁରୂପ ସମସ୍ୟା ସୃଷ୍ଟି ହୋଇଥିଲେ ହେଁ ସେଠାରେ ନୂତନ ଗେଜ୍ ଷ୍ଟେସନ ସ୍ଥାପନ ନେଇ ଛତିଶଗଡ଼ ଏନ୍ଓସି ଦେଉନଥିବା ଜଣାପଡ଼ିଛି।

ସାରାଡିହି ପାଇଁ ଏନ୍ଓସି ଦେଉନି ଛତିଶଗଡ଼

ଦୁଇ ମାସ ତଳେ ମହାନଦୀରେ ବନ୍ୟା ନିୟନ୍ତ୍ରଣ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରୁ ଉଭୟ ଓଡ଼ିଶା ଏବଂ କେନ୍ଦ୍ରୀୟ ଜଳ ଆୟୋଗ ଦ୍ବାରା ଉପରମୁଣ୍ଡରେ ସ୍ଥାପିତ ଗେଜ୍ ଷ୍ଟେସନ ବା ଜଳପ୍ରବାହ ମାପକ ଯନ୍ତ୍ରଗୁଡ଼ିକର ନବୀକରଣ ତଥା ନୂତନ ସ୍ଥାନରେ ସ୍ଥାପନ ନେଇ ଆଲୋଚନା ହୋଇଥିଲା। ଛତିଶଗଡ଼ ସରକାର ମହାନଦୀରେ ନିର୍ମାଣ କରିଥିବା ବ୍ୟାରେଜ ପାଇଁ ଉକ୍ତ ଗେଜ୍ ଷ୍ଟେସନଗୁଡ଼ିକ ଅକାମୀ ହୋଇଯାଇଛି। ବିଶେଷ କରି ଓଡ଼ିଶା ସରକାରଙ୍କ ଦ୍ବାରା ସ୍ଥାପିତ ସାରାଡିହି ଏବଂ ଶିଓରିନାରାୟଣର ଗେଜ୍ ଷ୍ଟେସନ ବ୍ୟାରେଜର ଉପରମୁଣ୍ଡରେ ରହି ଜଳସମାଧି ନେଇଛି। ଫଳରେ ସେଠାରୁ ନିର୍ଭରଯୋଗ୍ୟ ତଥ୍ୟ ଆସି ପାରୁନାହିଁ। ଯାହାଫଳରେ ଏହି ଦୁଇ ସ୍ଥାନରେ ନୂତନ ଗେଜ୍ ଷ୍ଟେସନ ନିର୍ମାଣର ଆବଶ୍ୟକତା ଅନେକ ଦଶନ୍ଧି ତଳୁ ରହିଆସିଛି। ଓଡ଼ିଶା ସୀମାନ୍ତରୁ ମାତ୍ର ଶହେ କିମି ଦୂରରେ ଏହି ଦୁଇ ଗେଜ୍ ଷ୍ଟେସନ ରହିଥିବାରୁ ଏହାର ତଥ୍ୟ ବନ୍ୟା ସମୟରେ ଅତ୍ୟନ୍ତ ଜରୁରି। ଏହା ସତ୍ତ୍ବେ ଏହି ଦୁଇ ଗେଜ୍ ଷ୍ଟେସନର ନିର୍ମାଣକୁ ଆଜି ପର୍ଯ୍ୟନ୍ତ ଅବହେଳା କରାଯାଇଛି। 

ଶିଓରିନାରାୟଣସ୍ଥିତ ଗେଜ୍ ଷ୍ଟେସନ ୧୯୬୧ ମସିହାରେ ସ୍ଥାପିତ ହୋଇଥିଲା। ଏଠାରେ ଉଭୟ ଜଳପ୍ରବାହ ଏବଂ ବର୍ଷା ମାପକ ଯନ୍ତ୍ର ରହିଥିଲା। ଏଭଳି ସ୍ଥିତିରେ ୬୫ ବର୍ଷ ପରେ ଗତ ୧୧ ତାରିଖ ଦିନ ଶିଓରିନାରାୟଣଠାରେ ନୂତନ ଗେଜ୍ ଷ୍ଟେସନ ପ୍ରତିଷ୍ଠା କରିବାକୁ ହୀରାକୁଦ ବନ୍ଧର ମୁଖ୍ୟଯନ୍ତ୍ରୀ ତଥା ଅପର ମହାନଦୀ ବେସିନ୍ ପରିଚାଳକ ନୂତନ ଟେଣ୍ଡର ଆହ୍ବାନ କରିଛନ୍ତି। ଆବେଦନର ଶେଷ ତାରିଖ ଆସନ୍ତା ୨୧ ରହିଛି। ମୋଟ ୩୮ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ଏହି ଗେଜ୍ ଷ୍ଟେସନ ନିର୍ମାଣ ହେବ। ଏହା ବ୍ୟାରେଜର ତଳମୁଣ୍ଡରେ ପ୍ରାୟ ୨ ଶହରୁ ୩ ଶହ ମିଟର ଦୂରରେ ନିର୍ମାଣ ହେବ। ତେବେ ଏଥିପାଇଁ ଅତିକମ୍‌ରେ ଦୁଇରୁ ୩ ବର୍ଷ ଧରି ବନ୍ୟାର ସ୍ଥିତି ଆକଳନ ପରେ ହିଁ ଗେଜ୍ ଷ୍ଟେସନ ସ୍ଥାପନ ସମ୍ଭବ ବୋଲି ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ରବୀନ୍ଦ୍ର ପଣ୍ଡା କହିଛନ୍ତି। ଅପରପକ୍ଷରେ ଗତ ଜୁନ୍ ୧୮ ତାରିଖରେ ସାରାଡିହିରେ ନୂତନ ଗେଜ୍ ଷ୍ଟେସନ ସ୍ଥାପନ ନେଇ ଓଡ଼ିଶା ସରକାର ଛତିଶଗଡ଼ ସରକାରଙ୍କୁ ଆପତ୍ତିବିହୀନ ପ୍ରମାଣପତ୍ର (ଏନ୍ଓସି) ମାଗିଥିଲେ। କିନ୍ତୁ ତାହା ମିଳିନଥିବାରୁ ଟେଣ୍ଡର ପ୍ରକ୍ରିୟା ବିଳମ୍ବ ହୋଇଥିବା ସୂଚନା ମିଳିଛି। ଏ ସଂପର୍କରେ ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ ତଥା ଅପର୍ ମହାନଦୀ ବେସିନ୍ ମ୍ୟାନେଜର ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଶିଓରିନାରାୟଣର ନୂତନ ଗେଜ୍ ଷ୍ଟେସନ ପାଇଁ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି। ସାରାଡିହି ପାଇଁ ଛତିଶଗଡ଼କୁ ଏନ୍ଓସି ମଗାଯାଇଥିଲା। ହେଲେ ଇତିମଧ୍ୟରେ ତାହାର ଅବସ୍ଥିତି ଠିକ୍ ଥିବା ନେଇ ରିପୋର୍ଟ ଆସିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।