୮ ତାରିଖ ଯାଏଁ ପାଗ ଶୁଖିଲା ରହିବ
ଭୁବନେଶ୍ୱର : ଆଗକୁ ୫ଦିନ ଯାଏଁ ଖରା । ବିଶେଷ କରି ୮ ତାରିଖ ଯାଏଁ ବର୍ଷର ସମ୍ଭାବନା ନାହିଁ ଏବଂ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଉପକୂଳବର୍ତ୍ତୀ ଅଂଚଳରେ କେତେକ ସ୍ଥାନରେ ଠାଏ ଠାଏ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ବିଭାଗର ସୂଚନାନୁଯାୟୀ, ଆଇଏମଡି ପକ୍ଷରୁ ସେପ୍ଟେମ୍ବର ୩ରୁ ୯ ଓ ୧୦ରୁ ୧୬ ତାରିଖ ପାଇଁ ପାଣିପାଗ ପୂର୍ବାନୁମାନ ଜାରି ହୋଇଛି। ଏହି ଆକଳନ ବିଶ୍ଳେଷଣରୁ ଅନୁମାନ କରାଯାଉଛି, ଆସନ୍ତା ୯ ତାରିଖ ପାଖାପାଖି ପଶ୍ଚିମ କେନ୍ଦ୍ରୀୟ ଓ ପାର୍ଶ୍ଵବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ସେଇ ଅଞ୍ଚଳ ଉପରେ ୧୩ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ସମ୍ଭାବ୍ୟ ଲଘୁଚାପ ଯୋଗୁ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା ଅଛି। ଓଡ଼ିଶା ଝାଡ଼ଖଣ୍ଡରେ ବି ପ୍ରବଳ ବର୍ଷା ହୋଇପାରେ ।
ଲଘୁଚାପ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଦକ୍ଷିଣ ଉତ୍ତରପ୍ରଦେଶ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ମଧ୍ୟପ୍ରଦେଶ ଅଞ୍ଚଳ ଆଡ଼କୁ ଗତି କରିବ। ଲଘୁଚାପ ଓଡ଼ିଶାରୁ ଚାଲିଯିବା ପରେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଦୁର୍ବଳ ହୋଇଯାଇଛି ।
ଚଳିତବର୍ଷ ଦେଶରେ ମୌସୁମୀ ବର୍ଷା ନିଅଣ୍ଟିଆ ଥିଲେ ବି ଓଡ଼ିଶାରେ ନିର୍ଧୂମ ବର୍ଷା ହୋଇଛି। ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୪ ମାସରେ ଯେତିକି ବର୍ଷା ହେବା କଥା, ୩ ମାସରେ (ଅଗଷ୍ଟ ଶେଷ ସୁଦ୍ଧା) ଓଡ଼ିଶା ତା'ଠାରୁ ଅଧିକ ବର୍ଷା ପାଇଛି। ଜୁନ୍ ୧ ତାରିଖରୁ ଆଜିସୁଦ୍ଧା ରାଜ୍ୟରେ ସ୍ବାଭାବିକଠାରୁ ୨୫% ଅଧିକ ବର୍ଷା ହୋଇଛି। ଦୁଇଟି ଜିଲ୍ଲାରେ ସ୍ବାଭାବିକଠାରୁ ଅତ୍ୟଧିକ ଓ ୧୭ ଜିଲ୍ଲାରେ ଅଧିକ ବର୍ଷା ହୋଇଛି। ୧୦ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ଦେଇଛି ମୌସୁମୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।