ଆଜି ଠାରୁ ମା' ବିରଜାଙ୍କ ଷୋଳପୂଜା ଆରମ୍ଭ
ଯାଜପୁର : ଆଜି ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ବା ପବିତ୍ର ମୂଳାଷ୍ଟମୀ । ଆଜିଠାରୁ ସମସ୍ତ ଦୈବୀ ପୀଠରେ ମା'ଙ୍କର ଷୋଡଶ ଉପଚାର ପୂଜା ବା ଷୋଳପୂଜା ଆରମ୍ଭ ହୋଇଥାଏ । ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଷୋଡ଼ଶ ଉପଚାର ପୂଜାବିଧି ଆରମ୍ଭ ହୋଇଛି । ପରମ୍ପରା ଅନୁଯାୟୀ ସୁନିଆରେ ରଥ ନିର୍ମାଣ ପାଇଁ କାଷ୍ଠ ସଂଗ୍ରହ ତଥା ବିଲ୍ୱ ବରଣ ପୂଜା ଲାଗି ବନଜାଗ ଯାତ୍ରା ଅନୁଷ୍ଠିତ ହେବାପରେ ମାଆଙ୍କ ସିଂହ ଧ୍ଵଜ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।
ମହାରଣା ସେବାୟତ ମାନଙ୍କ ଦ୍ଵାରା ମା’ଙ୍କ ସିଂହ ଧ୍ଵଜ ରଥ ର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଅନ୍ୟପଟେ ପ୍ରତିପ୍ରଦ ଠାରୁ ମହାଳୟା ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ନାଭିଗୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବାର ସ୍ୱତନ୍ତ୍ର ପରମ୍ପରା ରହିଛି । ଏହି ପିତୃପକ୍ଷରେ ପିଣ୍ଡଦାନ କଲେ ପିତୃପୁରଷଙ୍କ ମୋକ୍ଷ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ଏଥିପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜା ପୀଠରେ ଥିବା ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ମାନେ ଆସି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ନାଭିଗୟାରେ ପିଣ୍ଡଦାନ କରୁଛନ୍ତି । ଶାରଦୀୟ ପୁଜା ଓ ପିଣ୍ଡଦାନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ମନ୍ଦିର ପ୍ରଶାସକ ତଥା ଉପଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀ ସୂଚନା ଦେଇଛନ୍ତି ।
ଅନ୍ୟପଟେ, ଶ୍ରୀକ୍ଷେତ୍ରରେ ମଧ୍ୟ ଆଜିଠାରୁ ଆରମ୍ଭ ହେବ ଶାରଦୀୟ ପାର୍ବଣର ଷୋଳପୂଜା । ଆଜି ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ଯନ୍ତ ଏହି ଷୋଡ଼ଶ ଦିବସ ବ୍ୟାପି ପୂଜା ପାଳିତ ହୁଏ । ଏନେଇ ଗଜପତିଙ୍କ ଶ୍ରୀନହରରେ ଗଜପତିଙ୍କ ରାଜଗୁରୁ ବ୍ରାହ୍ମଣମାନଙ୍କୁ ବରଣ କରି ଶ୍ରୀହସ୍ତ ଛୁଆଁ ଗୁଆ ନଡିଆ ପ୍ରଦାନ କରିବେ । ଆଜିଠାରୁ ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତିପୀଠ ଗୁଡ଼ିକରେ ଏହି ଷୋଳପୂଜା ପାଇଁ ଆଚାର୍ଯ୍ୟ ବରଣ କାର୍ଯ୍ୟ କରାଯିବା ସହ ଷୋଳପୂଜାର ବିଧି ଅନୁଯାୟୀ ପୁରୀରେ ଥିବା ଶକ୍ତିପୀଠ ଗୁଡ଼ିକରେ ଚଣ୍ତିପାଠ, ଦୁର୍ଗା ଆରାଧନା ପ୍ରଭୃତି ଆରମ୍ଭ କରାଯିବ । ଅନ୍ୟ ପକ୍ଷରେ ଶ୍ରୀକ୍ଷେତ୍ରର କ୍ଷେତ୍ରାଶ୍ୱରୀ ଭାବେ ଶ୍ରୀମନ୍ଦିରରେ ମାଆ ବିମଳାଙ୍କ ପୀଠରେ ଷୋଡ଼ଶ ପୂଜାବିଧି ମଧ୍ୟ ଆରମ୍ଭ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।