ଆଜି ମଧ୍ୟରାତିରୁ ସ୍ଥଳଭାଗ ଛୁଇଁବ ‘ମୁରାସୁ’

Nov 02, 2026 - 12:56

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ‘ମୁରାସୁ’ କେନ୍ଦ୍ରୀଭୂତ ହୋଇଛି। ସମୁଦ୍ରରୁ ବଳ ଗୋଟାଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୨୭କି.ମି. ବେଗରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଆସନ୍ତାକାଲି ସକାଳୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ‘ମୁରାସୁ’ ଉତ୍ତର-ପଶ୍ଚିମ ଦିଗରେ ମୁହଁାଇବ। ସୋମବାର ମଧ୍ୟରାତ୍ରିରୁ ମଙ୍ଗଳବାର ସକାଳ ସୁଦ୍ଧା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନେଲୋର-ନର୍ସାପୁର ମଧ୍ୟରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟାପ୍ରତି ୧୦୦ରୁ ୧୧୦କି.ମି. ଏବଂ ଝଟକା ପବନ ୧୨୦କି.ମି. ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି।

ଆସନ୍ତା ୩ ଓ ୪ତାରିଖରେ ଦକ୍ଷିଣ ଓଡ଼ିଶା ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ଘଣ୍ଟାପ୍ରତି ୭୦କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ଆଇଏମ୍‌ଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ‘ଅର୍ଣ୍ଣବ’ ଅପେକ୍ଷା ‘ମୁରାସୁ’ର ପ୍ରଭାବ ଅପେକ୍ଷାକୃତ କମ୍ ରହିବ। ‘ଅର୍ଣ୍ଣବ’ ସ୍ଥଳଭାଗ ଅତିକ୍ରମ କରିଥିବା ସ୍ଥାନରୁ ୧୫୦ କି.ମି. ତଳେ ସ୍ଥଳଭାଗ ଅତିକ୍ରମ କରିପାରେ ‘ମୁରାସୁ’। ‘ଅର୍ଣ୍ଣବ’ ଅତିଭୀଷଣ ବାତ୍ୟା ଥିଲା ଓ ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୫୦କି.ମି. ଥିଲା। ‘ମୁରାସୁ’ରେ ପବନର ବେଗ ସର୍ବାଧିକ ୧୨୦କି.ମି. ରହିବ, ତେଣୁ ପ୍ରଭାବ ଅପେକ୍ଷାକୃତ କମ୍ ରହିବ। ‘ମୁରାସୁ’ ପ୍ରଭାବରେ ଆସନ୍ତାକାଲିଠୁ ଦକ୍ଷିଣ ଓଡ଼ିଶା ଓ ଉପକୂଳରେ ବର୍ଷା ସହିତ ପବନ ବହିବ। ବାତ୍ୟା ସ୍ଥଳଭାଗ ଅତିକ୍ରମ କଲାବେଳେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୬୦କି.ମି. ରହିପାରେ। ଗଞ୍ଜାମ ଏବଂ ଗଜପତିରେ ପବନର ବେଗ ୬୦କି.ମି. ଛୁଇଁପାରେ। ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶାରେ ସବୁଠୁ ଅଧିକ ବର୍ଷା ହେବ; କିନ୍ତୁ ଅର୍ଣ୍ଣବ ଭଳି ବର୍ଷା ହେବନି, ତଥାପି ଭୂସ୍ଖଳନ ଆଶଙ୍କା ରହିଛି।

ଆସନ୍ତା ୨୪ଘଣ୍ଟା ମଧ୍ୟରେ ଗଞ୍ଜାମ ଏବଂ ଗଜପତି ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଜିଲାରେ ବଜ୍ରପାତ ସହିତ ବର୍ଷା ଏବଂ ଘଣ୍ଟାପ୍ରତି ୪୦ରୁ ୫୦କି.ମି. ଓ ଝଟକା ପବନର ବେଗ ଘଣ୍ଟାପ୍ରତି ୬୦କି.ମି. ପର୍ଯ୍ୟନ୍ତ ବହିବାର ସମ୍ଭାବନା ରହିଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଏବଂ ନୟାଗଡ଼ ଜିଲାରେ ବଜ୍ରପାତ ସହିତ ପ୍ରବଳ ବର୍ଷା ଏବଂ ଘଣ୍ଟାପ୍ରତି ୩୦ରୁ ୪୦କି.ମି. ଏବଂ ସ୍ଥଳବିଶେଷରେ ୫୦କି.ମି. ବେଗରେ ଝଟକା ପବନ ବହିପାରେ। ଏହିସବୁ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

୩ ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲାରେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଘଣ୍ଟାପ୍ରତି ପବନର ବେଗ ୫୦ରୁ ୬୦କି.ମି. ଏବଂ ଝଟକା ପବନର ବେଗ ୭୦କି.ମି. ପର୍ଯ୍ୟନ୍ତ ଛୁଇଁବାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। କଳାହାଣ୍ଡି, କନ୍ଧମାଳ, ନୟାଗଡ଼ ନବରଙ୍ଗପୁର, ପୁରୀ ଏବଂ ଖୋରଧା ଜିଲାରେ ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୪୦ରୁ ୫୦କି.ମି. ଏବଂ ଝଟକା ପବନର ବେଗ ୬୦କି.ମି. ପର୍ଯ୍ୟନ୍ତ ଛୁଇଁପାରେ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଜଗତସିଂହପୁର, କଟକ, କେନ୍ଦୁଝର ଜିଲାକୁ ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୪୦ରୁ ୫୦କି.ମି. ଏବଂ ଝଟକା ପବନ ୬୦କି.ମି. ପର୍ଯ୍ୟନ୍ତ ବହିବାର ସମ୍ଭାବନା ରହିଛି। ଏଥିସହିତ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଏବଂ ବଲାଙ୍ଗିର ଜିଲାରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୩୦ରୁ ୪୦କି.ମି. ଏବଂ ଝଟକା ପବନର ବେଗ ୫୦କି.ମି. ପର୍ଯ୍ୟନ୍ତ ଛୁଇଁପାରେ। ଏହିସବୁ ଜିଲାଗୁଡ଼ିକୁ ବର୍ଷା ପବନ ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

ଆସନ୍ତା ୪ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଏହିସବୁ ଜିଲାଗୁଡ଼ିକରେ ଘଣ୍ଟାପ୍ରତି ୫୦ରୁ ୬୦କି.ମି. ଏବଂ ୭୦କି.ମି. ପର୍ଯ୍ୟନ୍ତ ଝଟକା ପବନ ବହିବାର ସମ୍ଭାବନା ରହିଛି। ବରଗଡ଼, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋରଧା, ନୟାଗଡ଼ ଜିଲାରେ ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୪୦ରୁ ୫୦କି.ମି. ଏବଂ ଝଟକା ପବନର ବେଗ ୬୦କି.ମି. ପର୍ଯ୍ୟନ୍ତ ଛୁଇଁପାରେ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ ଜିଲାରେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ଏବଂ ଘଣ୍ଟାପ୍ରତି ୪୦ରୁ ୫୦କି.ମି. ଏବଂ ଝଟକା ପବନର ବେଗ ୬୦କି.ମି. ପର୍ଯ୍ୟନ୍ତ ଛୁଇଁପାରେ। ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର ଏବଂ ବୌଦ୍ଧରେ ବଜ୍ରପାତ ସହିତ ପ୍ରବଳ ବର୍ଷା ଏବଂ ଘଣ୍ଟାପ୍ରତି ୩୦ରୁ ୪୦କି.ମି. ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୫୦କି.ମି. ପର୍ଯ୍ୟନ୍ତ ବହିବାର ସମ୍ଭାବନା ରହିଛି। ଏହିସବୁ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।