କୁକୁର ଚିହ୍ନିବ କର୍କଟ ରୋଗ
କର୍କଟ ରୋଗ ଚିହ୍ନଟ କରିବା ଦିଗରେ ଏବେ ଡାକ୍ତରଙ୍କ ସହ କୁକୁରମାନଙ୍କ ଘ୍ରାଣ ଶକ୍ତିକୁ ମଧ୍ୟ ବ୍ୟବହାର କରାଯାଉଛି । ବେଙ୍ଗାଲୁରୁ ସ୍ଥିତ ‘ଡଗ୍ନୋସିସ୍’ ନାମକ ଏକ ଷ୍ଟାର୍ଟଅପ୍ କମ୍ପାନୀ କୁକୁର ଏବଂ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ସାହାଯ୍ୟରେ ମଣିଷର ନିଶ୍ୱାସରୁ କର୍କଟ ରୋଗର ସଙ୍କେତ ଖୋଜି ବାହାର କରୁଛି । ଏହି ପରୀକ୍ଷଣ ପ୍ରକ୍ରିୟାରେ ରୋଗୀଙ୍କୁ ପ୍ରଥମେ ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଏକ ସୂତା ମାସ୍କ ଭିତରେ ନିଶ୍ୱାସ ନେବାକୁ ପଡ଼ିଥାଏ ଏବଂ ପରେ ସେହି ମାସ୍କକୁ ସିଲ୍ କରି ଲାବୋରେଟୋରୀକୁ ନିଆଯାଏ । ସେଠାରେ ତାଲିମପ୍ରାପ୍ତ କୁକୁରମାନେ ନିଶ୍ୱାସର ଏହି ନମୁନାଗୁଡ଼ିକୁ ଶୁଙ୍ଘିଥାନ୍ତି ଏବଂ ନମୁନା ଶୁଙ୍ଘିବା ପରେ କୁକୁରମାନେ ଦେଉଥିବା ପ୍ରତିକ୍ରିୟାର ତଥ୍ୟକୁ ବୁଝିବାରେ ଏଆଇ ସାହାଯ୍ୟ କରିଥାଏ । ନିକଟରେ ‘ଡଗ୍ନୋସିସ୍’ ପକ୍ଷରୁ କର୍ଣ୍ଣାଟକର ୬ଟି ଡାକ୍ତରଖାନାରେ ୧,୫୦୨ ଜଣ ଲୋକଙ୍କ ନିଶ୍ୱାସ ନମୁନା ଉପରେ ଏକ ବୃହତ୍ ପରୀକ୍ଷଣ କରାଯାଇଥିଲା । ଯେଉଁଥିରେ ୭ ପ୍ରକାର କର୍କଟ ରୋଗ ଥିବା ବ୍ୟକ୍ତି ଏବଂ କର୍କଟ ରୋଗ ନଥିବା ସୁସ୍ଥ ଲୋକଙ୍କ ନମୁନା ସାମିଲ ଥିଲା । ଆଶ୍ଚର୍ଯ୍ୟଜନକ ଭାବେ ଏହି ଅଧ୍ୟୟନରେ କୁକୁରମାନେ ୯୦% ରୁ ଅଧିକ ସଠିକତା ସହ କର୍କଟ ଆକ୍ରାନ୍ତ ଏବଂ ବିନା କର୍କଟ ନମୁନାକୁ ଚିହ୍ନଟ କରି ପୃଥକ କରିବାରେ ସଫଳ ହୋଇଛନ୍ତି । ତେବେ ଉଲ୍ଲେଖଯୋଗ୍ୟ ଯେ, ଏହା ବର୍ତ୍ତମାନ ସୁଦ୍ଧା କର୍କଟ ରୋଗର କୌଣସି ଚୂଡ଼ାନ୍ତ ବା ପକ୍କା ପ୍ରାମାଣିକ ପରୀକ୍ଷା ଭାବେ ଗ୍ରହଣ କରାଯାଇନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।