ଗୌହାଟୀ ହୋଟେଲ୍‌ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଲିସ ଗୁଳିରେ ନିହତ, ଖସିଯିବାକୁ ଉଦ୍ୟମ ବେଳେ ଏନକାଉଣ୍ଟର

Nov 04, 2026 - 16:43
ଗୌହାଟୀ ହୋଟେଲ୍‌ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଲିସ ଗୁଳିରେ ନିହତ, ଖସିଯିବାକୁ ଉଦ୍ୟମ ବେଳେ ଏନକାଉଣ୍ଟର

ଗୌହାଟୀ: ଆସାମର ଗୌହାଟୀ ସ୍ଥିତ ଏକ ହୋଟେଲ୍‌ରେ ୫ ଜଣଙ୍କୁ ଗୁଳି କରି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଲିସ ଗୁଳିରେ ନିହତ ହୋଇଛି। ବୁଧବାର ଭୋର୍‌ରୁ ସିବସାଗର ଜିଲ୍ଲାରେ ପୁଲିସ ହେପାଜତରୁ ଖସିଯିବାକୁ ଉଦ୍ୟମ କରିବା ସମୟରେ ପୁଲିସ ଗୁଳିରେ ୩୪ ବର୍ଷୀୟ ଘନକାନ୍ତ ଗୋଗୋଇର ମୃତ୍ୟୁ ହୋଇଥିବା ପୁଲିସ କହିଛି। ଅଭିଯୁକ୍ତର ମୃତ୍ୟୁ ପରେ ମୃତକଙ୍କ ପରିବାର ଆଶ୍ୱସ୍ତି ପ୍ରକାଶ କରିବା ସହ ଏହା ‘ଭଗବାନଙ୍କ ନ୍ୟାୟ’ ବୋଲି କହିଛନ୍ତି। ଗତ ଅକ୍ଟୋବର ୨୬ ତାରିଖରେ ଗୌହାଟୀର ହୋଟେଲ୍‌ ବିଳାସ ଇନ୍‌ରେ ଘଟିଥିଲା ଏହି ଭୟଙ୍କର ଗୁଳିକାଣ୍ଡ। ଏଥିରେ ହୋଟେଲ୍‌ ସମ୍ପତ୍ତିର ମାଲିକ ଭରାଲି ପରିବାରର ୪ ଜଣ ସଦସ୍ୟଙ୍କ ସମେତ ମୋଟ ୫ ଜଣଙ୍କ ଜୀବନ ଯାଇଥିଲା। ଆଉ ଜଣେ ଆହତ ହୋଇଥିଲେ। ହୋଟେଲ୍‌ର ଲିଜ୍‌ଧାରୀ ଘନକାନ୍ତ ଗୋଗୋଇ ସମ୍ପତ୍ତି ମାଲିକଙ୍କ ସହ କୌଣସି ବିବାଦକୁ ନେଇ ୬ ଜଣଙ୍କ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ପୁଲିସ ଗୋଗୋଇକୁ ଗିରଫ କରିବା ସହ ଅପରାଧରେ ବ୍ୟବହୃତ ହୋଇଥିବା ଲାଇସେନ୍ସପ୍ରାପ୍ତ .୩୨ ବୋର୍‌ ପିସ୍ତଲ ଜବତ କରିଥିଲା। ହୋଟେଲ୍‌ ଗୁଳିକାଣ୍ଡ ମାମଲାରେ ୭ ଦିନିଆ ପୁଲିସ ରିମାଣ୍ଡ ଶେଷ ହେବା ପରେ ମଙ୍ଗଳବାର ତାକୁ ଗୌହାଟୀ କୋର୍ଟ ଜେଲ୍‌ ପଠାଇଥିଲେ। ତେବେ ଏହାର କିଛି ଘଣ୍ଟା ପରେ ୨୦୨୪ ମସିହାର ଏକ ପୃଥକ ବ୍ୟାଙ୍କ ଠକେଇ ମାମଲାରେ ସିବସାଗର ପୁଲିସ ତାକୁ ଗିରଫ କରିଥିଲା। ଏହି ମାମଲାରେ ଅଧିକ ତଦନ୍ତ ପାଇଁ ଗୋଗୋଇକୁ ସିବସାଗର ନିଆଯାଉଥିବା ବେଳେ ସେ ପୁଲିସ ହେପାଜତରୁ ଖସିଯିବାକୁ ଉଦ୍ୟମ କରିଥିବା ପୁଲିସ କହିଛି। ଏହି ସମୟରେ ପୁଲିସ ଗୁଳି ଚଳାଇବାରୁ ଭୋର୍‌ ସମୟରେ ତା’ର ମୃତ୍ୟୁ ହୋଇଥିଲା। ଅଭିଯୁକ୍ତର ମୃତ୍ୟୁ ଖବର ପରେ ମୃତକଙ୍କ ପରିବାର ମଧ୍ୟରେ ଆଶ୍ୱସ୍ତି ଦେଖିବାକୁ ମିଳିଛି। ଅଭିଯୁକ୍ତ ବଞ୍ଚି ରହିଲେ କିମ୍ବା ଜେଲ୍‌ରୁ ମୁକୁଳିଲେ ପୁଣିଥରେ ସେମାନଙ୍କୁ ଟାର୍ଗେଟ୍‌ କରିପାରେ ବୋଲି ପରିବାର ଲୋକେ ଭୟରେ ରହୁଥିବା କହିଛନ୍ତି। ବରପେଟାରେ ପରିବାରର ବାସଭବନରେ ସାମ୍ବାଦିକଙ୍କ ସହ କଥା ହୋଇ ମୃତ ଭୁଦେବ ଓ ହେଲେନା ଭରାଲିଙ୍କ ବୃଦ୍ଧା ମାଆ କହିଛନ୍ତି, ନ୍ୟାୟ ମିଳିବ ବୋଲି ତାଙ୍କର ଭଗବାନଙ୍କ ଉପରେ ବିଶ୍ୱାସ ଥିଲା। ସେ କହିଛନ୍ତି, ‘ଏବେ ସେମାନଙ୍କ ଆତ୍ମାକୁ ଶାନ୍ତି ମିଳିବ। ପରିବାର ଭାବେ ଆମେ ମଧ୍ୟ କିଛିଟା ଶାନ୍ତି ପାଇବୁ। ଆମକୁ ଏହି ନ୍ୟାୟ ଦେଇଥିବାରୁ ସର୍ବଶକ୍ତିମାନଙ୍କୁ ଧନ୍ୟବାଦ ଜଣାଉଛି। ଭଗବାନ ନ୍ୟାୟ ଦେବେ ବୋଲି ମୋର ବିଶ୍ୱାସ ଥିଲା।। ସେହିପରି ଭୁଦେବ ଭରାଲିଙ୍କ ଝିଅ ଏହି କଠିନ ସମୟରେ ପରିବାର ସହ ଠିଆ ହୋଇଥିବା ଆସାମବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୁଃଖର ସମୟରେ ଅଭିଯୁକ୍ତର ମୃତ୍ୟୁ ଖବର ସେମାନଙ୍କୁ କିଛିଟା ଶାନ୍ତି ଦେଇଛି ବୋଲି ସେ କହିଛନ୍ତି। ପରିବାରର ଅନ୍ୟ ଜଣେ ସଦସ୍ୟ ମଧ୍ୟ ଅଭିଯୁକ୍ତର ମୃତ୍ୟୁ ପରେ ସେମାନଙ୍କ ମନରୁ ଭୟ ଦୂର ହୋଇଥିବା କହିଛନ୍ତି। ଉଲ୍ଲେଖଯେଗ୍ୟ ଅକ୍ଟୋବର ୨୬ ତାରିଖର ଗୁଳିକାଣ୍ଡ ଘଟଣା ଭରାଲି ପରିବାରକୁ ସମ୍ପୂର୍ଣ୍ଣ ଭାବେ ଦୋହଲାଇ ଦେଇଥିଲା। ଅଭିଯୁକ୍ତର ମୃତ୍ୟୁ ପରେ ପରିବାରକୁ କିଛିଟା ଆଶ୍ୱସ୍ତି ମିଳିଥିଲେ ମଧ୍ୟ, ଘଟଣା ପରଠାରୁ ପୁଣି ଆକ୍ରମଣର ଆଶଙ୍କା ସେମାନଙ୍କୁ ଭୟଭୀତ କରି ରଖିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।