ଟ୍ରାଡିସନାଲ ଟ୍ରେଣ୍ଡ
ଅଳଙ୍କାର କେବଳ ସୌନ୍ଦର୍ଯ୍ୟ ବୃଦ୍ଧିର ମାଧ୍ୟମ ନୁହେଁ, ବରଂ ବିଭିନ୍ନ ସଂସ୍କୃତି ଓ ଯୁଗ ଯୁଗର ଇତିହାସରେ ଏହା ନିଜର ସ୍ୱତନ୍ତ୍ର ପରିଚୟ, ସାମାଜିକ ପ୍ରତିଷ୍ଠା, ଆଧ୍ୟାତ୍ମିକ ବିଶ୍ୱାସ ଏବଂ ସମ୍ପର୍କର ଏକ ପ୍ରମୁଖ ସଙ୍କେତ ଭାବେ ଶୋଭା ପାଇଆସିଛି । ବିଶ୍ବର ବିଭିନ୍ନ ସ୍ଥାନରେ ସେମାନଙ୍କର ପାରମ୍ପରିକ ଆଭୁଷଣର କାହାଣୀ ମଧ୍ୟ ଭିନ୍ନ ରହିଥାଏ ।
ବିଶ୍ବରେ ପିଢି ପରେ ପିଢି ଏଭଳି ଅନେକ ଗହଣା ରହିଥାଏ ଯାହା ବଂଶଗତ ଭାବେ ବ୍ୟବହାର ହୋଇଥାଏ ଏବଂ ଏହା କିଛି ନା କିଛି ମୁଲ୍ୟବୋଧକୁ ସଙ୍କେତ ଦେଇଥାଏ । ଯେଉଁଠାରେ ହାର ବିବାହର ସଙ୍କେତ, କଙ୍କଣ ସୁରକ୍ଷାର କବଚ ଏବଂ ମୁଦି ପିଢ଼ି ପରେ ପିଢ଼ି ପାରିବାରିକ ଇତିହାସକୁ ଜୀବନ୍ତ ରଖିଥାଏ । ଭାରତୀୟ ସୁନା ବିବାହ ସେଟ୍ଠାରୁ ଆରମ୍ଭ କରି ଆମେରିକାର ନାଟିଭ୍ ଟର୍କୋଏଜ୍ (ଫିରୋଜା), ଆଫ୍ରିକୀୟ ପୋତ ମାଳିର ଶିଳ୍ପକଳା ଏବଂ ସେଲ୍ଟିକ୍ ନଟ୍ସ ଶୈଳୀ ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରାଚୀନ ଗହଣା ଏକ ନିର୍ଦ୍ଦିଷ୍ଟ ସମୁଦାୟର ଶତାବ୍ଦୀ ପୁରୁଣା ମୂଲ୍ୟବୋଧ, ବିଶ୍ୱାସ ଓ ପ୍ରଥାକୁ ପ୍ରତିଫଳିତ କରିଥାଏ । ଏହି ଗହଣା ଗୁଡିକର ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ, ଶୈଳୀ ବେଶ ନିଆରା ଥାଏ । ପାରମ୍ପରିକ ଅଳଙ୍କାର କହିଲେ ଗଭୀର ସାଂସ୍କୃତିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ ବହନ କରୁଥିବା ଏବଂ ପ୍ରାଚୀନ ଐତିହ୍ୟ ଶୈଳୀରେ ନିର୍ମିତ ବିଶେଷ ଗହଣାକୁ ବୁଝାଇଥାଏ । ତେବେ ଏହି ସମସ୍ତ ଗହଣା ମୁଖ୍ୟତଃ ହାତ ତିଆରି ହୋଇଥାଏ ଏବଂ ବଂଶାନୁକ୍ରମେ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ହସ୍ତାନ୍ତର ହୋଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଉତ୍ସବ, ପର୍ବପର୍ବାଣି ଓ ପରିଚୟର ପ୍ରତୀକ ଭାବେ ପିନ୍ଧାଯାଇଥାଏ ।
ଗୁରୁତ୍ବତା
ହସ୍ତଶିଳ୍ପ : ବାପା-ମାଆଙ୍କଠାରୁ ଶିଖିଥିବା ପ୍ରାଚୀନ ଶୈଳୀରେ ଦକ୍ଷ କାରିଗରମାନେ ଏହାକୁ ନିଜ ହାତରେ ପ୍ରସ୍ତୁତ କରିଥାନ୍ତି ।
ପ୍ରତୀକାତ୍ମକ ଅର୍ଥ : ଏହାର ନକ୍ସାଗୁଡ଼ିକ ସାଂସ୍କୃତିକ ବିଶ୍ୱାସ, ଧାର୍ମିକ ପରମ୍ପରା ଓ ସାମାଜିକ ଭୂମିକାକୁ ଦର୍ଶାଇଥାଏ । ଆନୁଷ୍ଠାନିକ ବ୍ୟବହାର : ବିବାହ, ବ୍ରତପନୋୟନ ଓ ଅନ୍ୟାନ୍ୟ ଧାର୍ମିକ ଉତ୍ସବରେ ଏହା ପିନ୍ଧାଯାଏ ।
ଐତିହ୍ୟ ମୂଲ୍ୟବୋଧ : ଏହା ଉତ୍ତରାଧିକାର ସୂତ୍ରରେ ମିଳୁଥିବାରୁ ପରିବାରର ଇତିହାସ ଓ ସ୍ମୃତିକୁ ସାଙ୍ଗରେ ବହନ କରିଥାଏ ।
ବିଶେଷ ସାମଗ୍ରୀ
ଯଦିଓ ଅଳଙ୍କାରର ଶୈଳୀ ଭିନ୍ନ ଭିନ୍ନ ହୋଇଥାଏ, କିନ୍ତୁ କେତେକ ବିଶେଷ ସାମଗ୍ରୀ ପ୍ରାୟ ସବୁ ପରମ୍ପରାରେ ଦେଖିବାକୁ ମିଳେ । ସୁନା ଏବଂ ରୂପା ଧାତୁ ସେଗୁଡ଼ିକର ସୌନ୍ଦର୍ଯ୍ୟ ଓ ସ୍ଥାୟିତ୍ୱ ପାଇଁ ମୂଲ୍ୟବାନ । ସେହିଭଳି ରତ୍ନପଥର ଯେପରି ଫିରୋଜା (ଟର୍କୋଏଜ୍), ପ୍ରବାଳ (କୋରାଲ୍), ଆମ୍ବର ଏବଂ ଜେଡ୍ ଆଧ୍ୟାତ୍ମିକ କିମ୍ବା ସୁରକ୍ଷାତ୍ମକ ଅର୍ଥ ବହନ କରନ୍ତି । ଗହଣାରେ ପ୍ରାକୃତିକ ଉପାଦାନ ଯେପରି ଶାମୁକା, ପୋତ ମାଳି , କାଠ ଅଳଙ୍କାରକୁ ପ୍ରାକୃତିକ ଜଗତ ସହିତ ଯୋଡ଼ିଥାଏ । ଆହୁରି ଏଥିରେ ଏନାମେଲ୍ ଏବଂ କାଚମଧ୍ୟ ରହିଥାଏ । ଯାହା ଧାତୁ କାମରେ ରଙ୍ଗ ଏବଂ ସୂକ୍ଷ୍ମ କାରୁକାର୍ଯ୍ୟ ଯୋଡ଼ିଥାନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।