ତ୍ରିପୁରାସୁନ୍ଦରୀ ମା ଭଟ୍ଟାରିକା

Oct 05, 2026 - 13:55
 ତ୍ରିପୁରାସୁନ୍ଦରୀ ମା ଭଟ୍ଟାରିକା

 

 ବଡ଼ମ୍ବା ଗଡ଼ଯାତର ନାମ ବୃହଦମ୍ବାରୁ ଉଦ୍ଧୃତ ହୋଇଥିବା କୁହାଯାଏ, ଏହି ଗଡ଼ଯାତର ଆରାଧ୍ୟା ଦେବୀ ତ୍ରିପୁରାସୁନ୍ଦରୀ ମା ଭଟ୍ଟାରିକାଙ୍କ ଅନ୍ୟାନାମ ବୃହଦମ୍ବା ଅର୍ଥାତ୍ ବୃହତ ଅମ୍ବା ବା ବଡ଼ାମ୍ବାରୁ ଅପଭ୍ରଂଶ କ୍ରମେ ବଡ଼ମ୍ବା ହୋଇଥିବା ବିବେଚନା କରାଯାଏ । ଏହି ପୁରାତନ ଗଡ଼ଯାତ ରାଜାଙ୍କ ନିତ୍ୟ ଆରାଧ୍ୟା ଦେବୀ ହେଲେ ମା ଭଟ୍ଟାରିକା ଏବଂ ବଡ଼ମ୍ବା ରାଜନଅରରେ ମା ଭଟ୍ଟାରିକାଙ୍କ ସୁବର୍ଣ୍ଣପ୍ରତିମା ନିତି ପୂଜା ପାଉଛନ୍ତି । ହେଲେ ଦେବୀଙ୍କ ମୂଳପୀଠ ବଡ଼ମ୍ବା ବ୍ଲକ ଅନ୍ତର୍ଗତ ମହାନଦୀକୂଳ ଶଶାଙ୍ଗ ଗ୍ରାମ ରତ୍ନଗିରି ପାହାଡ଼ ପାଦଦେଶରେ ଅବସ୍ଥିତ ।   ଶ୍ରୀଚକ୍ର ଆସିନ ଦେବୀଙ୍କ ଲଳିତ ଆସନ ପ୍ରସ୍ତରମୂର୍ତ୍ତି ଅବତାରୀ ପର୍ଶୁରାମ ନିଜ ଶରମୁନରେ ଆଙ୍କିଥିବା ପୌରାଣିକ କିମ୍ବଦନ୍ତିରୁ ପ୍ରକାଶ । ଏଥିପାଇଁ ଏହି ପୀଠକୁ ପର୍ଶୁରାମ ପୀଠ ମଧ୍ୟ କୁହାଯାଏ । ଶାପ ବିମୋଚନପାଇଁ ଏହିଠାରେ ପର୍ଶୁରାମ ଦେବୀଙ୍କୁ ଆରାଧନା କରି ଶକ୍ତିମୟୀ ମା ଭଟ୍ଟାରିକାଙ୍କ କୃପାଲାଭ କରିଥିବାରୁ, ଶକ୍ତିଉପାସନା କ୍ଷେତ୍ର ଦୃଷ୍ଟିରୁ ମା ଭଟ୍ଟାରିକାଙ୍କୁ ଆଦ୍ୟାଶକ୍ତି ବୋଲି କୁହାଯାଏ। ତ୍ରିପୁରାସୁନ୍ଦରୀ ମା ଭଟ୍ଟାରିକାଙ୍କ ବରଦାୟିନୀ ମୁଦ୍ରାର ମୂର୍ତ୍ତି ମଧ୍ୟସ୍ଥଳରେ ରହିଥିବା ବେଳେ ଦେବୀଙ୍କ ଅନ୍ୟ ଅଷ୍ଟମାତୃକା ଶକ୍ତି ଯଥା ଉଗ୍ର(ଦକ୍ଷିଣକାଳୀ), ଉଗ୍ରପ୍ରଭା(ସରସ୍ବତୀ), ଶକଟା(ବଗଳାମୁଖୀ), ବିକଟା(ଧୂମାବତୀ), ଚଣ୍ଡି(ଭୁବନେଶ୍ୱରୀ), ପ୍ରଚଣ୍ଡା(ଛିନ୍ନମସ୍ତା), ସିଂହବାହିନୀ(ଦୁର୍ଗା), କମଳା(ଶ୍ରୀ ଲକ୍ଷ୍ମୀ) ମୂର୍ତ୍ତିର ଚତୁଃପାର୍ଶ୍ୱରେ ପୂଜା ପାଆନ୍ତି । ଅଭୟ ବରଦାୟିନୀ ଶକ୍ତିମୟୀ ମା ଭଟ୍ଟାରିକାଙ୍କୁ ରାଜରାଜୁଡ଼ା ସମୟରୁ ମାଳି ସମ୍ପ୍ରଦାୟର ସେବାସୀମାନେ ପୂଜାର୍ଚ୍ଚନା କରିଆସୁଛନ୍ତି । ଦେବୀଙ୍କ ଶରତକାଳୀନ ଷୋଳଦିନାମତ୍କ ପାର୍ବଣପୂଜା ବା ଶାରଦୀୟ ପୂଜା ପ୍ରତିବର୍ଷ ଯଥାବିଧି ପୀଠରେ ପାଳନ କରାଯାଏ । ଏହି ସମୟରେ ମା ଭଟ୍ଟାରିକାଙ୍କର ସ୍ବତନ୍ତ୍ର ସୁନାବେଶ ଅନୁଷ୍ଠିତ ହୋଇଥାଏ । ପୂର୍ବରୁ ଦଶହରା ସମୟରେ ବହୁ ମାନସିକଧାରୀଙ୍କରେ ଏହି ପୀଠରେ ସମାଗମ ଘଟୁଥିଲା , ଏବଂ ଏଠାରେ  ମହାଷ୍ଟମୀରେ ଛାଗ ବଳିଭୋଗର ପ୍ରଥା ରହିଥିଲା । ହେଲେ ସମୟକ୍ରମେ ଏହା ବନ୍ଦ ହୋଇଛି । ଆଶ୍ୱିନ ପବିତ୍ର ମୂଳାଷ୍ଟମୀଠାରୁ ଦଶହରାର ମହାଷ୍ଟମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ପାର୍ବଣ ପୂଜାରେ ପ୍ରତ୍ୟେହ ଦେବୀଙ୍କୁ ତିନି ରୁପରେ ପୂଜା କରାଯିବାର ପରମ୍ପରା ରହିଛି। ସକାଳ, ମଧ୍ୟାହ୍ନ ଏବଂ ସଂଧ୍ୟାରେ ଦେବୀଙ୍କୁ ଯଥାକ୍ରମେ ବାଳା (ଗାୟତ୍ରୀ), କୁମାରୀ (ସାବିତ୍ରୀ) ଏବଂ ବୃଦ୍ଧା (ସରସ୍ବତୀ) ଏହିଭଳି ତିନିରୁପେ ପୂଜାର୍ଚ୍ଚନା କରାଯାଏ । ଶରତର ଶାରଦୀୟ ପୂଜା ଭଳି ବସନ୍ତରେ ପୀଠରେ ବାସନ୍ତିକ ଦୁର୍ଗାପୂଜା ବା ନଅପତ୍ରିକା ପୂଜା ନବଦିନ ଧରି ପାଳିତ ହୁଏ । ଏହାସହ ପ୍ରତ୍ୟେକ ସଂକ୍ରାନ୍ତି, ଅମାବାସ୍ୟା ସହିତ ଦୀପାବଳି ଏବଂ ଦୁର୍ଗାଶୟନ ଉତ୍ସବ ପୀଠରେ ସ୍ବତନ୍ତ୍ରଭାବେ ଯଥାରୀତି ପରମ୍ପରାନୁଯାଇ ପାଳନ ହୁଏ । ପ୍ରତ୍ୟୁଷରୁ ମଙ୍ଗଳ ଆଳତୀ ସହ ମା ଭଟ୍ଟାରିକାଙ୍କ ମନ୍ଦିର ପହୁଡ଼ ଖୋଲାଯାଏ, ଯାହାପରେ ଦ୍ୱାରପାଳ, ସୂର୍ଯ୍ୟ, ନବଗ୍ରହ, ମନ୍ଦିରସ୍ଥ ଆଦି ଗଣେଶ ଏବଂ ପର୍ବଘଟ ପୂଜାପରେ ଦେବୀଙ୍କଠି ଚୂଆ, ହଳଦୀ, ଚନ୍ଦନ ଲାଗି କରାଯାଇ ମାଜଣା ନୀତି ସମ୍ପନ କରାଯାଏ । ଏହି ନୀତିପରେ ମହାନଦୀର ସଦ୍ୟ ଜଳରେ ଅଗୁର, ଚନ୍ଦନ, କର୍ପୂର ଆଦି ସୁବାଷିତ ଦ୍ରବ୍ୟ ମିଶାଯାଇ ଦେବୀଙ୍କ ସ୍ନାନନୀତି ସମ୍ପନ ହୁଏ । ପରେପରେ ଶାଢି, ଅଳଙ୍କାର, ଫୁଲମାଳ ଲାଗି କରାଯାଇ ଦେବୀଙ୍କର  ମନ୍ଦିର ସାହାଣମେଲା କରାଯାଇ ଦେବୀଙ୍କ ବନ୍ଦାପନା ଏବଂ ସକାଳ ଆଳତୀ ହୁଏ । ସଂଧ୍ୟା ପୂର୍ବରୁ ପ୍ରତିଦିନ ଅପରାହ୍ନରେ ଅନୁରୁପ ଦେବନୀତି ଠାକୁରାଣୀଙ୍କର କରାଯାଇଥାଏ । ସେହିଭଳି ସକାଳର ବାଳଭୋଗ, ବଲ୍ଲଭ ଭୋଗ, ମଧ୍ୟାହ୍ନର କ୍ଷୀରି ଖେଚେଡି଼ ଭୋଗ ସମେତ ପାର୍ବଣ ସମୟରେ ମା’ଙ୍କଠି ଏଣ୍ଡୁରି, କାକରା, ପୋଡ଼ପିଠା, ଦହିପଖାଳ ସହିତ ଦେବୀଙ୍କ ପାଖରେ ଉଷୁନାଅନ୍ନ ଏବଂ ମହାନଦୀର ମାଛଭଜା ଭୋଗଲାଗି କରାଯାଏ । ପୀଠରେ ସଂଧ୍ୟା ଆଳତୀରେ ଏକ ଅନନ୍ୟ ପରମ୍ପରା ଦେଖିବାକୁ ମିଳେ । ଏକାଠି ଦୁର୍ଗାମାଧବଙ୍କୁ ପ୍ରତ୍ୟେହ ସଂଧ୍ୟା ଆଳତି ସମର୍ପଣ କରାଯାଇଥାଏ । କାରଣ ପରମ୍ପରାନୁଯାଇ ମା ଭଟ୍ଟାରିକାଙ୍କୁ ଆଳତୀ କରାଯିବା ପରେ ମନ୍ଦିରର ଦକ୍ଷିଣ ପଶ୍ଚିମ ଦିଗରେ ମହାନଦୀକୂଳେ ଅବସ୍ଥିତ କଣ୍ଟିଲୋର ଶ୍ରୀ ନୀଳମାଧବଙ୍କୁ ବନ୍ଦାପନା କରାଯାଇ ଆଳତୀ ସମର୍ପଣ କରାଯାଏ । ଅର୍ଥାତ୍ ଏକାଠି ଦୁର୍ଗାମାଧବଙ୍କୁ ଏହି ନୀତିରେ ସୁମିରଣ କରାଯିବାର ପରମ୍ପରା ଏହି ପୀଠରେ ଦେଖିବାକୁ ମିଳେ । ରାତ୍ରବେଳା ପୀଠରେ ପର୍ବପୂଜକଙ୍କ ଦ୍ୱାରା ଚଣ୍ଡିପୁରାଣ ପାଠ, ସନ୍ଧିପୂଜା ନୀତି ସମ୍ପନ୍ନ ହେବାରେ ମା’ଙ୍କର ବଡ଼ସିଂହାର ବେଶ କରାଯାଇ ଶାନ୍ତି ଉଦୋକ ଅଧରପଣାଲାଗି ଭୋଗ ହେବାରେ ମନ୍ଦିର ପହୁଡ଼ ପଡ଼ିବାର ବିଧି ଅଦ୍ୟାବଧି ପ୍ରଚଳିତ । ପାର୍ବଣର ପବିତ୍ର ମହାଷ୍ଟମୀରେ ପୀଠରେ ମା’ଙ୍କର ବାର୍ଷିକୋତ୍ସବ ଅନୁଷ୍ଠିତ ହୁଏ। ବିଶ୍ୱାସ କରାଯାଏ ଏହି ଦିନ ବଡ଼ମ୍ବାର ଅନ୍ୟତମ ପ୍ରତ୍ୟେକ୍ଷ ଦେବୀ ଖାରୋଡ଼ ବାସିନୀ ମା ମହାକାଳୀ ଯାହାଙ୍କୁ ମା ଭଟ୍ଟାରିକାଙ୍କ ଭଉଣୀ ମାନ୍ୟତା ଦିଆଯାଇଛି ସେ ବି ପୀଠ ପରିଦର୍ଶନରେ ଆସନ୍ତି । ଏହି ଅଲୋକିକ ଲୋକକଥାକୁ ବିଶ୍ୱାସରେ ରଖି ମହାଷ୍ଟମୀ ଦିନ ଦେବୀ ଭଟ୍ଟାରିକାଙ୍କୁ କଳାଶାଢି ପରିହିତା କରାଯାଇ ମହାକାଳୀ ବେଶରେ ସଜ୍ଜିତ କରାଯିବାର ପରମ୍ପରା ଏଯାବତ୍ ଚଳି ଆସୁଛି । ମହାଷ୍ଟମୀର ବିଳମ୍ବିତ ରାତିରେ ପୀଠରେ ଉଭାଯାତ୍ରା ଅନୁଷ୍ଠିତ ହୁଏ । ଏହି ଅବସରରେ ମନ୍ଦିର କାଳେଶୀଙ୍କ ଉଭା ଦେଖିବାକୁ ଆଖପାଖର ଶହଶହ ଭକ୍ତଙ୍କ ସମାଗମ ମନ୍ଦିର ବେଢାରେ ଦେଖିବାକୁ ମିଳେ ।

ବରଦା ପ୍ରସନ୍ନ ପଟ୍ଟାନାୟକ

ସମୟ ପ୍ରତିନିଧି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।