ଦୀପିକାଙ୍କ ଦୁଃଖ
'ଶଶୁରାଲ୍ ସିମର କା' ଫେମ୍ ତଥା ଲୋକପ୍ରିୟ ଟିଭି ଅଭିନେତ୍ରୀ ଦୀପିକା କକର ନିଜ ଜୀବନର ଏକ ଅତ୍ୟନ୍ତ କଠିନ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ବଡି ସେମିଂ ବା ଶରୀରର ଓଜନକୁ ନେଇ କଟାକ୍ଷ ସାମ୍ନା କରିବା ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଛନ୍ତି । ବର୍ତ୍ତମାନ କର୍କଟ ରୋଗର ଚିକିତ୍ସା ପରବର୍ତ୍ତୀ ସୁସ୍ଥତା ପ୍ରକ୍ରିୟା ମଧ୍ୟ ଦେଇ ଗତି କରୁଥିବା ଦୀପିକା ନିଜର ଏକ ୟୁଟ୍ୟୁବ୍ ବ୍ଲଗରେ ନିଜର ମତ ରଖିଛନ୍ତି । ଅସୁସ୍ଥତା ସମୟରେ ତାଙ୍କ ଓଜନ ବୃଦ୍ଧିକୁ ନେଇ ଅନେକ ନକାରାତ୍ମକ ମନ୍ତବ୍ୟ ଆସୁଥିଲା, କିନ୍ତୁ ସେହି ସମୟରେ ଓଜନ କମାଇବା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନଥିଲା କିମ୍ବା ସେ ମାନସିକ ଓ ଶାରୀରିକ ଭାବେ ସେଥିପାଇଁ ପ୍ରସ୍ତୁତ ନଥିଲେବୋଲି ଦୀପିକା ମତ ରଖିଛନ୍ତି । ରୋଗ ସମୟରେ ନିଜ ରୂପଚର୍ଯ୍ୟା ଓ କେଶର ଯତ୍ନ ନେବା ତାଙ୍କୁ ଆତ୍ମବିଶ୍ୱାସ ଦେଉଥିବା ପ୍ରକାଶ କରିବା ସହ ସେ କହିଛନ୍ତି ଯେ ସେ କୌଣସି 'ସୁପରୱୁମ୍ୟାନ୍' ନୁହନ୍ତି । ଯେଉଁଦିନ ଦେହ ଅଧିକ ଖରାପ ଲାଗେ ସେ ଶଯ୍ୟାଶାୟୀ ହୋଇ ରହନ୍ତି ଏବଂ ଟିକିଏ ଭଲ ଲାଗିଲେ ନିଜକୁ ସଜାଡ଼ି ଭଲ ରହିବାକୁ ଚେଷ୍ଟା କରନ୍ତି । ଚିକିତ୍ସା ସମୟରେ ବାନ୍ତି, ଦୁର୍ବଳତା ଓ କ୍ଲାନ୍ତି ଭଳି କଷ୍ଟସାଧ୍ୟ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ତାଙ୍କ ସ୍ୱାମୀ ତଥା ଅଭିନେତା ଶୋଏବ ଇବ୍ରାହିମ୍ ତାଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି । ପ୍ରଶଂସକଙ୍କ ଭଲପାଇବା ହିଁ ତାଙ୍କୁ ଏହି ଲଢ଼େଇରେ ସାହସ ଯୋଗାଉଛିବୋଲି ଦୀପିକା ମତ ଦେଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।