ନିଖୋଜ ଶିଶୁଙ୍କୁ ଖୋଜିବାକୁ କାରରେ ପୋଷ୍ଟର
ଚୀନ୍ର କୁନ୍ମିଙ୍ଗ୍ ସହରର ୨୭ ବର୍ଷୀୟ ଯୁବକ ଡୁ ଲିନ୍ ନିଜର ପ୍ରାୟ ୬୦ ଲକ୍ଷ ଟଙ୍କାର ପୋର୍ସେ ୭୧୮ ବିଳାସପୂର୍ଣ୍ଣ କାର୍ରେ ୯୦ ଜଣ ନିଖୋଜ ଶିଶୁଙ୍କ ପୋଷ୍ଟର ଲଗାଇ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । 'ବେବି କମ୍ ହୋମ୍' ନାମକ ୱେବସାଇଟ୍ରୁ ଏହି ନିଖୋଜ ଶିଶୁମାନଙ୍କ ତଥ୍ୟ ସଂଗ୍ରହ କରି ସେ ନିଜେ କାର୍କୁ ଡିଜାଇନ୍ କରିବା ସହ ସ୍ଥାନୀୟ ପୁଲିସ ନିକଟରେ ଏହାକୁ ପଞ୍ଜୀକୃତ ମଧ୍ୟ କରିଛନ୍ତି । ରାସ୍ତାରେ ଫ୍ଲାୟର ବାଣ୍ଟିବା ଅପେକ୍ଷା ଏହି ନିଆରା ଉପାୟ ଦ୍ୱାରା ଅଧିକରୁ ଅଧିକ ଲୋକଙ୍କ ଧ୍ୟାନ ଆକୃଷ୍ଟ ହୋଇପାରିବ ବୋଲି ସେ ବିଶ୍ୱାସ କରନ୍ତି । ଗାଡ଼ିଟି ଯୁଆଡ଼େ ଯାଉଛି, ଲୋକେ କାର୍ର ମୂଲ୍ୟ ଅପେକ୍ଷା ସେଥିରେ ଲାଗିଥିବା ପିଲାମାନଙ୍କ ଫଟୋ ଓ ବିବରଣୀ ଦେଖିବାକୁ ଅଟକି ଯାଉଛନ୍ତି । ଏହି ପ୍ରୟାସ ଯୋଗୁଁ ଗାଡ଼ିରେ ଫଟୋ ଥିବା ୯୦ ଜଣ ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁ ନିଜ ପରିବାରକୁ ଫାଖକୁ ଫେରି ପାରିଛି । ଉଲ୍ଲେଖଯୋଗ୍ୟ ଯେ, ୪ ଲକ୍ଷରୁ ଅଧିକ ସ୍ୱେଚ୍ଛାସେବୀଙ୍କ ସହାୟତାରେ 'ବେବି କମ୍ ହୋମ୍' ପ୍ଲାଟଫର୍ମ ବର୍ତ୍ତମାନ ସୁଦ୍ଧା ୧୫,୦୦୦ରୁ ଅଧିକ ନିଖୋଜ ପିଲାଙ୍କୁ ସେମାନଙ୍କ ପରିବାର ସହ ମିଶାଇବାରେ ସଫଳ ହୋଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।