12 OCTOBER 2026

Welcome!

Unlock your personalized experience.
Sign Up

ନାକରେ କନ୍ଦାଇଲାଣି ଜୀବନରେଖା: ୧୦ କିମି ରାସ୍ତାକୁ ୧୦ ଘଣ୍ଟା, ଧୂଳିରେ ଆକ୍ତାମାକ୍ତା ଯାତ୍ରୀ

Oct 12, 2026 - 06:53
ନାକରେ କନ୍ଦାଇଲାଣି ଜୀବନରେଖା: ୧୦ କିମି ରାସ୍ତାକୁ ୧୦ ଘଣ୍ଟା, ଧୂଳିରେ ଆକ୍ତାମାକ୍ତା ଯାତ୍ରୀ

ଅନୁଗୋଳ (ପତିତପାବନ ସାହୁ): ରବିବାର ମଧ୍ୟାହ୍ନ ୧୨ଟା ୧୫ ମିନିଟ୍‌। ୧୪୯ ନମ୍ବର ଜାତୀୟ ରାଜପଥରେ ଚାଇଁପାଳ ରେଳ ଓଭରବ୍ରିଜ୍‌ର ପ୍ରାୟ ୫ ଶହ ମିଟର ରାସ୍ତା ଅତିକ୍ରମ କରିବାକୁ ବାଇକ୍‌ରେ ଲାଗିଲା ୧୪ ମିନିଟ୍‌। ବସ୍‌, ଟ୍ରକ୍‌ କଥା ନ କହିବା ଭଲ। କେଉଁଠି ଘଣ୍ଟେ ତ କେଉଁଠି ୩ ଘଣ୍ଟା। ବେଳେବେଳେ ଜାମ୍‌ରେ ଅଧା ଦିନ ବି ବିତିଯାଉଛି। ସ୍ଥିତି ଏମିତି ଯେ ତାଳଚେରରୁ ବଅଁରପାଳ ମାତ୍ର ୧୦ କିମି ରାସ୍ତା ପାର୍‌ ହେବାକୁ ୧୦ ଘଣ୍ଟା ଲାଗୁଛି।

Drinking water: ୪ ଦିଗରୁ ପାଣି ଯୋଗାଣ ଠପ୍‌; ପିଇବାପାଣି ଲାଗି ଡହଳବିକଳ ୫୦ ପରିବାର

କୋଇଲା ନଗରୀ ତାଳଚେରର ଜୀବନରେଖା କୁହାଯାଉଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ଏବେ ଏମିତି ଚିତ୍ର ନିତି ଦେଖିବାକୁ ମିଳିଛି। ତାଳଚେରରୁ ବଅଁରପାଳକୁ ‌ଯୋଡ଼ୁଥିବା ଏହି ମୁଖ୍ୟ ରାସ୍ତାର ଦୟନୀୟ ଅବସ୍ଥା ପାଇଁ ଲୋକେ ନାକରେ କାନ୍ଦିଲେଣି। କେବଳ ଏତିକି ନୁହେଁ, ଏହି ରାସ୍ତା ଜୀବନ ବି ନେଉଛି। ଆଜି ବଅଁରପାଳରୁ ତାଳଚେର ଶର୍ମା ଛକ ଅଞ୍ଚଳର ପ୍ରଦୀପ ପଣ୍ଡା ଘରକୁ ଫେରୁଥିଲା ବେଳେ ଏକ ଖାଲରେ ପଡ଼ିଯିବାରୁ ଗୁରୁତର ହୋଇଛନ୍ତି। ଏହା ଭିତରେ ଅନେକ ‌‌ଲୋକଙ୍କ ଜୀବନ ବି ଗଲାଣି। କିନ୍ତୁ ଏହି ରାସ୍ତା ମରାମତି କରାଯାଉନି। ବଅଁରପାଳ-ପାଳଲହଡ଼ା ୧୪୯ ନମ୍ବର ଜାତୀୟ ରାଜପଥର ବଅଁରପାଳଠାରୁ ଗୋଡ଼ିବନ୍ଧ ପର୍ଯ୍ୟନ୍ତ ପ୍ରଶସ୍ତୀକରଣ କାମ ଚାଲିଛି। ଏଥିପାଇଁ ୪୧୩ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା ବେଳେ ଗତ ଫେବ୍ରୁଆରି ମାସରୁ କାମ ଆରମ୍ଭ ହୋଇଛି। ରାସ୍ତାର ପ୍ରଶସ୍ତୀକରଣ ହେଉଥିବାରୁ ପୁରୁଣା ରାସ୍ତାକୁ ଆଉ ମରାମତି କରାଯାଉ ନାହିଁ।

DMF: ଡିଏମଏଫରେ ଖର୍ଚ୍ଚ ୪୦ଲକ୍ଷ, ଦାଖଲ  ହୋଇଛି ୨୫ ଲକ୍ଷର ବିନିଯୋଗ ପ୍ରମାଣପତ୍ର

ଏପଟେ ନୂଆ ରାସ୍ତା ନିର୍ମାଣ ପାଇଁ କଞ୍ଚାମାଲ ପଡ଼ିଥିବାରୁ ଓ ନିର୍ମାଣ କାମ ଚାଲିଥିବାରୁ ପ୍ରବଳ ଧୂଳି ଉଡ଼ୁଛି। ଠିକା ସଂସ୍ଥା ପକ୍ଷରୁ ମଝିରେ ମଝିରେ ପାଣି ପକାଯିବା ଦ୍ବାରା ଏହା କାଦୁଅ ହୋଇଯାଉଛି। କିଛି ସ୍ଥାନରେ ରାସ୍ତା ବୋଲି ତ ଆଉ କିଛି ନାହିଁ। ଗାଁ ଜମି ଭଳି ଅବସ୍ଥା। ଆଉ କିଛି ସ୍ଥାନରେ ଆଣ୍ଠୁଏ ଆଣ୍ଠୁଏ ଖାଲ। ଦୁଇଚକିଆ ଗାଡ଼ିରେ ଯାଉଥିବା ଲୋକମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏପରିକି ବଅଁରପାଳରୁ ବାହାରି ତାଳଚେରରେ ପହଞ୍ଚିଲା ବେଳକୁ ଚେହେରା ବଦଳି ଯାଉଛି। ଶରୀର ଉପରେ ଧୂଳିର ଏକ ଆସ୍ତରଣ ଜମି ଯାଉଛି। ପୁଣି ରାସ୍ତାରେ ପ୍ରବଳ ଧୂଳି ଉଡ଼ୁଥିବାରୁ ରାସ୍ତା ଠିକ୍‌ ଭାବେ ଦେଖାଯାଉନି। ଏକ ଘ‌ରୋଇ ସଂସ୍ଥାରେ କାମ କରୁଥିବା ପର୍ଜଙ୍ଗ ଅଞ୍ଚଳର ବିଭୂତି ସାହୁ ଏହି ରାସ୍ତା ଦେଇ ନିୟମିତ ଯାଆସ କରୁଛନ୍ତି। ତାଙ୍କ କହିବାନୁସାରେ, କାର୍ଯ୍ୟାଳୟରେ ପହଞ୍ଚିଲା ପରେ ତାଙ୍କୁ ପୋଷାକ ବଦଳାଇବାକୁ ପଡ଼ୁଛି। ପୁଣି ଅଧିକାଂଶ ଦିନ ବିଳମ୍ବ ହେଉଛି। ପାଦେ ପାଦେ ବିପଦ ରହୁଥିଲା ବେଳେ କେବଳ ଭାଗ୍ୟ ଭରସାରେ ଯିବା ଆସିବା କରୁଥିବା କହିଛନ୍ତି। ରାସ୍ତା ଭଲ ନ ଥିବାରୁ ଚାରିଚକିଆ ଯାନଗୁଡ଼ିକ ବିଭିନ୍ନ ସମୟରେ ଫସି ରହୁଛନ୍ତି। ଫଳ‌ରେ ଟ୍ରାଫିକ ଜାମ୍‌ ହେଉଛି। ଏଥିପାଇଁ ବଅଁରପାଳରୁ ତାଳଚେର ଯିବାକୁ ବେଳେ ବେଳେ ୧୦ ଘଣ୍ଟାରୁ ଅଧିକ ସମୟ ଲାଗୁଛି। ୪ଚକିଆ ଯାନଗୁଡ଼ିକ ଆଗକୁ କି ପଛକୁ ଯାଇ ପାରୁନାହାନ୍ତି। ଏହି ଦୁର୍ଦ୍ଦଶା ଏତେ ଶୀଘ୍ର ଗଲା ପରି ଲାଗୁନି। କାରଣ, ୨୦୨୮ ମସିହା ସୁଦ୍ଧା ପ୍ରଶସ୍ତୀକରଣ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଣୁ ଯାତ୍ରୀଙ୍କୁ କେବଳ ଭଗବାନ ଭରସା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।