ପାଗରେ ପରିବର୍ତ୍ତନ, କୁହୁଡି ଚାଦର ତଳେ ରାଜଧାନୀ
ଭୁବନେଶ୍ୱର : ବାତ୍ୟା ପରେ ପରେ ବଦଳିଲା ପାଣିପାଗ । ରାତିରେ ସାମାନ୍ୟ ହେମାଳ ଲାଗିବା ସହ ସକାଳୁ ସକାଳୁ ରାଜଧାନୀରେ ଦେଖାଦେଇଥିଲା ଘନ କୁହୁଡି । ଶରତ ପରେ ହେମନ୍ତ ଋତୁର ଆଗମନ ପରି ଲାଗୁଛି । ଆଜି କୁହୁଡି ଯୋଗୁଁ ରାସ୍ତାଘାଟ ମଧ୍ୟ ଠିକ୍ରେ ଦେଖାଯାଉନଥିଲା । କେତେକ ସ୍ଥାନରେ ଦୃଶ୍ୟମାନ କ୍ଷମତା ୧୫୦ ମିଟରକୁ ଖସି ଆସିଥିବାରୁ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ରାତିର ତାପମାତ୍ରା ହ୍ରାସ ପାଇବା ସହ ହାଲୁକା ଶୀତ ଅନୁଭୂତ ହେଉଛି । ଏହା ସହ ସକାଳୁ ଘନ କୁହୁଡ଼ି ଦେଖାଯିବା ଶୀତ ଋତୁର ଆଗମନୀ ସଙ୍କେତ ଦେଇଛି । ଗାଡ଼ି ଚଳାଇବା ବେଳେ ହେଡ୍ଲାଇଟ୍ ଓ ଫଗ୍ ଲାଇଟ୍ ବ୍ୟବହାର କରିବା ସହ ଆଗ ଗାଡ଼ିଠାରୁ ଉପଯୁକ୍ତ ଦୂରତା ରଖିବାକୁ ପରାମର୍ଶ ଦିଆଯାଇଛି।
ଚଳିତ ଋତୁରେ ରାଜଧାନୀରେ ଏହା ପ୍ରଥମ ଘନ କୁହୁଡ଼ି ବୋଲି କୁହାଯାଉଛି । କୁହୁଡ଼ି ଯୋଗୁଁ ସକାଳ ସମୟରେ ଜାତୀୟ ରାଜପଥ ଏବଂ ସହରର ମୁଖ୍ୟ ରାସ୍ତାଗୁଡ଼ିକରେ ଗାଡ଼ି ମୋଟର ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ସକାଳୁ ରାସ୍ତାରେ ଯାତାୟାତ କରୁଥିବା ଗାଡ଼ି ଚାଳକଙ୍କୁ ନାନା ସମସ୍ୟା ଭୋଗିବାକୁ ପଡ଼ିଥିଲା । ଚାଳକମାନେ ଲାଇଟ୍ ଜଳାଇ ଧୀମା ଗତିରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଥିଲା । ବାତ୍ୟା ପରବର୍ତ୍ତୀ ପ୍ରଭାବ ଏବଂ ମୌସୁମୀ ଅପସାରଣ ଯୋଗୁଁ ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଇଛି ଓ ତାପମାତ୍ରା କମିବାରେ ଲାଗିଛି ।
ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ କଟକ ଆଖପାଖ ଅଞ୍ଚଳରେ ଆଂଶିକ ମେଘୁଆ ପାଗ ସହ ସକାଳୁଆ କୁହୁଡ଼ି ଏବଂ ସ୍ୱଳ୍ପ ବର୍ଷାର ସମ୍ଭାବନା ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।