ପିକଅପ୍ ଧକ୍କାରେ ଗୁପଚୁପ୍ ବେପାରୀ ମୃତ, ୨ କିମି ଘୋଷାଡ଼ି ନେଲା ଗାଡ଼ି; କ୍ଷତିପୂରଣ ଦାବିରେ ରାସ୍ତାରୋକ
ରେଙ୍ଗାଲିକ୍ୟାମ୍ପ,:୫୩ ନମ୍ବର ଜାତୀୟ ରାଜପଥ ଅତାବିରା ଦମଦମା ପୋଲ ନିକଟରେ ଆଜି ସନ୍ଧ୍ୟାରେ ଏକ ଅତ୍ୟନ୍ତ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗାମୀ ପିକଅପ୍ ଭ୍ୟାନ ଧକ୍କାରେ ଜଣେ ଗୁପଚୁପ୍ ବ୍ୟବସାୟୀଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଅତାବିରା ୮ ନମ୍ବର ୱାର୍ଡ ଅନ୍ତର୍ଗତ ମୀନାରବନ୍ଧ ପଡ଼ାର ବସନ୍ତ ଚୌଧୁରୀ (୩୫)।
ମିଳିଥିବା ସୂଚନା ଅନୁଯାୟୀ, ବସନ୍ତ ପ୍ରତିଦିନ ଭଳି ଆଜି ମଧ୍ୟ ଗୁପଚୁପ୍ ବିକ୍ରି ସାରି ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟ୍ ସମୟରେ ନିଜ ଠେଲା ଗାଡ଼ି ଧରି ଘରକୁ ଫେରୁଥିଲେ। ଏହି ସମୟରେ ଦମଦମା ପୋଲ ନିକଟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଅଜ୍ଞାତ ପିକଅପ୍ ଭ୍ୟାନ୍ ତାଙ୍କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଦେବା ପରେ ଗାଡ଼ିଟି ନଅଟକି ବସନ୍ତଙ୍କୁ ପ୍ରାୟ ୨ କିଲୋମିଟର ଦୂର ଲଦେରପାଲି ପର୍ଯ୍ୟନ୍ତ ରାଜପଥରେ ଘୋଷାଡ଼ି ନେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ଶରୀର ଖଣ୍ଡବିଖଣ୍ଡ ହୋଇ ପ୍ରାଣବାୟୁ ଉଡ଼ିଯାଇଥିଲା। ସ୍ଥାନୀୟ ଲୋକେ ଗାଡ଼ି ପଛରେ କିଛି ଲାଗିଥିବା ଦେଖି ପିଛା କରିଥିଲେ ହେଁ ଚାଳକ ଜଣକ ଦ୍ରୁତ ଗତିରେ ଗାଡି ଚଲାଇ ଫେରାର ମାରିଥିଲା ,ପଡ଼ିରହିଥିଲା ବସନ୍ତଙ୍କ ରକ୍ତାକ୍ତ ଶରୀରର ଅବୟବ କିଛି ।
ଏହି ବର୍ବରୋଚିତ ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ପଡ଼ାବାସୀ ତଥା ସ୍ଥାନୀୟ ଲୋକେ ମୃତଦେହକୁ ରାଜପଥ ଉପରେ ରଖି ରାସ୍ତାରୋକ କରିଛନ୍ତି। କ୍ଷତିପୂରଣ ପ୍ରଦାନ ଓ ଫେରାର ଗାଡ଼ି ଚାଳକକୁ ତୁରନ୍ତ ଗିରଫ କରିବା ଦାବିରେ ଲୋକେ ଅଟଳ ରହିଥିବାରୁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହି ଦୀର୍ଘ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଛି।
ଅନ୍ୟପଟେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ବସନ୍ତଙ୍କ ପରିବାର ଏବେ ସମ୍ପୂର୍ଣ୍ଣ ନିରାଶ୍ରୟ ହୋଇପଡ଼ିଛି। ପରିବାରରେ ତାଙ୍କ ସ୍ତ୍ରୀ ଖୁଶବୂଙ୍କ ସମେତ ବଡ଼ ପୁଅ ଦିଲଖୁସ (୮), ସାନ ପୁଅ ଅଙ୍କୁଶ (୫) ଏବଂ ଅଢ଼େଇ ବର୍ଷର ଝିଅ ଖୁସି ଅଛନ୍ତି। ନିଷ୍ପାପ ଶିଶୁମାନେ ପିତୃହରା ହୋଇଥିବା ବେଳେ ସ୍ତ୍ରୀଙ୍କ ଆଖିରୁ ଲୁହ ଶୁଖୁନାହିଁ। ସ୍ୱାମୀ ଘରକୁ ଫେରିବା ବାଟ ଚାହିଁ ବସିଥିବା ସ୍ତ୍ରୀ ପାଇଁ ଏହି ଖବର ବଜ୍ରପାତ ସଦୃଶ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଗଭୀର ଶୋକର ଛାୟା ଖେଳିଯାଇଛି।
ଖବର ପାଇ ସ୍ଥାନୀୟ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଉତ୍ତେଜନା ପ୍ରଶମିତ କରିବାକୁ ଉଦ୍ୟମ ଜାରି ରଖିଛି। ଏଥିସହ ଫେରାର ଗାଡ଼ି ଓ ଚାଳକକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।