ବିଦ୍ୟାଳୟରେ ମଦ୍ୟପାନ କରି ପ୍ରଧାନ ଶିକ୍ଷକ ନିଲମ୍ବିତ
କେନ୍ଦ୍ରାପଡ଼ା : ସ୍କୁଲ ଭିତରେ ମଦ ପିଇବା ପଡିଲା ମାହାଙ୍ଗା ଇ ଖେଳ ଛୁଟି ବେଳେ ସ୍କୁଲ ପରିସରରେ ମଦ ପିଇ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । ଏଭଳି ଏକ ଲଜ୍ଜାକର ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ । ଜଣେ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ପ୍ରଧାନ ଶିକ୍ଷକ ହେଲେ ସୁନାକାର ନାୟକ । ଉକ୍ତ ସ୍କୁଲ ରେ ସେ ଜଣେ ମାତ୍ର ଶିକ୍ଷକ ଥିବା ଜଣା ପଡିଛି ।
ସୂଚନାନୁସାରେ, କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ୍ ଅନ୍ତର୍ଗତ କୁରୁଜଙ୍ଗା ପଞ୍ଚାୟତର ଆମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁନାକର ନାୟକ ଖେଳ ଛୁଟି ବେଳେ ନିଜ ଅଫିସ ଭିତରେ ବସି ମଦ୍ୟପାନ କରିଥିଲେ l ମଦନିଶା ଜୋର୍ ହେବା ପରେ ପ୍ରଧାନ ଶିକ୍ଷକ ଅଫିସ ଭିତରୁ କବାଟ ଦେଇ ଶୋଇପଡିଥିଲେ l ଅନ୍ୟ ମାନେ ଯେତେ ଡାକିଥିଲେ ମଧ୍ୟ ସେ କବାଟ ଖୋଲିନଥିଲେ l ଏମିତିକି ସେ ସ୍କୁଲର ଜଣେ ମାତ୍ର ଶିକ୍ଷକ ହୋଇ ଥିବାବେଳେ ଖେଳଛୁଟି ପରେ ସ୍କୁଲରେ ପାଠପଢା ବନ୍ଦ ରହିଥିଲା l ତେବେ ମଦ୍ୟପାନ କରିବା ପୂର୍ବରୁ ପ୍ରଧାନ ଶିକ୍ଷକ ଜଣକ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବାରୁ ଛାତ୍ରଛାତ୍ରୀମାନେ ବାହାରକୁ ଯାଇପାରିନଥିଲେ।
ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଶିକ୍ଷା ବିଭାଗୀୟ ଅଧିକାରୀମାନେ ସ୍କୁଲରେ ପହଞ୍ଚି ତାଲା ଭାଙ୍ଗି ଭିତରେ ପ୍ରବେଶ କରିଥିଲେ । ଏହି ଘଟଣା ପରେ ଶିକ୍ଷା ବିଭାଗ ପକ୍ଷରୁ ପ୍ରଧାନ ଶିକ୍ଷକ ସୁନାକର ନାୟକଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି। ସ୍କୁଲ୍ ପରିସରରେ ଏଭଳି କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏଥିସହ ପ୍ରଧାନ ଶିକ୍ଷକଙ୍କ ମଦ୍ୟପାନ କରୁଥିବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ମଧ୍ୟ ବେଶ୍ ଭାଇରାଲ୍ ହେବାରେ ଲାଗିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।