ଯୌନ ଉତ୍ପୀଡ଼ନ ମାମଲାରେ କଂଗ୍ରେସ ସାଂସଦଙ୍କୁ ଆଶ୍ୱସ୍ତି

Nov 05, 2026 - 14:29
ଯୌନ ଉତ୍ପୀଡ଼ନ ମାମଲାରେ କଂଗ୍ରେସ ସାଂସଦଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ଜେଏନ୍‌ୟୁର ଯୌନ ଉତ୍ପୀଡ଼ନ ମାମଲାରେ ଫସିଥିବା କଂଗ୍ରେସ ସାଂସଦ ତଥା ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଆଙ୍ଗୋମଚା ବିମୋଲ ଆକୋଇଜାମଙ୍କୁ ଗୁରୁବାର ଦିଲ୍ଲୀ କୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଗିରଫ ଭଳି କୌଣସି କଠୋର ପଦକ୍ଷେପ ନେବା ପୂର୍ବରୁ ୭ ଦିନର ନୋଟିସ୍‌ ଦେବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ବିଚାରପତି ଦିଗ୍‌ ବିନୟ ସିଂହ। ଆକୋଇଜାମଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି କୋର୍ଟ ଏହାର ନିଷ୍ପତ୍ତି ଶୁଣାଇଛନ୍ତି। ଏ ସମ୍ପର୍କିତ ବିସ୍ତୃତ ଆଦେଶ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ଗତ ଅକ୍ଟୋବରରେ ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ଜେଏନ୍‌ୟୁ ତାଙ୍କୁ ଚାକିରିରୁ ବହିଷ୍କାର କରିଥିଲା। ତେବେ ଏହାକୁ ସେ ‘ଉଦ୍ଦେଶ୍ୟପ୍ରଣୋଦିତ ହଇରାଣ’ ବୋଲି ଅଭିହିତ କରିବା ସହ ନିୟମ ଅନୁଯାୟୀ ପ୍ରକ୍ରିୟା ପାଳନ ହୋଇନଥିବା ପ୍ରଶ୍ନ ଉଠାଇଥିଲେ। ଅକ୍ଟୋବର ୧୨ରେ ଦିଲ୍ଲୀ ପୁଲିସ ତାଙ୍କ ବିରୋଧରେ ଏତଲା ରୁଜୁ କରିଥିଲା। ମେ’ ମାସରେ ଅତି କମ୍‌ରେ ୧୧ ଜଣ ଛାତ୍ରୀ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ରିପୋର୍ଟରେ କୁହାଯାଇଛି। ଅଭିଯୋଗକାରୀ ଛାତ୍ରୀମାନଙ୍କ କହିବା ଅନୁଯାୟୀ, ଆକୋଇଜାମ ବୈଠକ କିମ୍ବା ଅନ୍ୟ କାର୍ଯ୍ୟକ୍ରମର ବାହାନା କରି ସେମାନଙ୍କୁ କ୍ୟାମ୍ପସ୍‌ସ୍ଥିତ ନିଜ ବାସଭବନକୁ ଡାକୁଥିଲେ ଏବଂ ଯୌନ ଉତ୍ପୀଡ଼ନ ଉଦ୍ୟମ କରୁଥିଲେ। କେତେକ ଛାତ୍ରୀ ଶ୍ରେଣୀଗୃହରେ ସେ ଅଶ୍ଳୀଳ ଓ ଅନୁଚିତ ମନ୍ତବ୍ୟ ଦେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଜେଏନ୍‌ୟୁର ମୁଖ୍ୟ ସୁରକ୍ଷା ଅଧିକାରୀ (ସିଏସ୍‌ଓ)ଙ୍କ ଅଭିଯୋଗ ଓ ଦାଖଲ କରାଯାଇଥିବା ଦସ୍ତାବିଜ ଆଧାରରେ ବସନ୍ତ କୁଞ୍ଜ ନର୍ଥ ଥାନାରେ ଏତଲା ହୋଇଥିଲା। ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ କମିଟି (ଆଇସି) ତଦନ୍ତ କରି ସାକ୍ଷୀ, ପ୍ରତିରକ୍ଷା ପକ୍ଷର ସାକ୍ଷୀ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ନିଜର ରିପୋର୍ଟ ପ୍ରସ୍ତୁତ କରିଥିଲା। ପରେ ଏହି ରିପୋର୍ଟ ଓ ଦସ୍ତାବିଜ ପୁଲିସକୁ ଦିଆଯାଇଥିଲା। ଅନ୍ୟପକ୍ଷରେ, ନଭେମ୍ବର ୨ରେ ଦିଲ୍ଲୀ ହାଇକୋର୍ଟ ଆକୋଇଜାମଙ୍କ ଚାକିରିରୁ ବହିଷ୍କାର ନିଷ୍ପତ୍ତି ଉପରେ ରୋକ୍‌ ଲଗାଇଥିଲେ। ତାଙ୍କ ଆବେଦନ ଉପରେ ଜେଏନ୍‌ୟୁ ପ୍ରଶାସନକୁ ନୋଟିସ୍‌ ଜାରି କରିଥିବାବେଳେ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀରେ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।