ରେପୋ ବଢ଼ାଇଲା ଆରବିଆଇ
ଭୁବନେଶ୍ୱର : ବୃଦ୍ଧି ପାଇଲା ରେପୋ ରେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହାର ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକରେ ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ (୦.୨୫%) ବୃଦ୍ଧି କରିଛି। ଏହି ନିଷ୍ପତ୍ତି ପରେ ବର୍ତ୍ତମାନର ରେପୋ ରେଟ୍ ୫.୨୫ ପ୍ରତିଶତରୁ ବଢ଼ି ୫.୫୦ ପ୍ରତିଶତରେ ପହଞ୍ଚିଛି। ପଶ୍ଚିମ ଏସିଆ ବିବାଦ ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ମୁଦ୍ରାସ୍ଫୀତି (inflation) ଚାପକୁ ନିୟନ୍ତ୍ରଣ କରିବା ପାଇଁ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ ଏହି ନିଷ୍ପତ୍ତି ନିଆଯାଇଛି । ଦୀର୍ଘ ସାଢ଼େ ତିନି ବର୍ଷର ବ୍ୟବଧାନ ପରେ ଆରବିଆଇ ପ୍ରଥମ ଥର ପାଇଁ ସୁଧ ହାରରେ ଏଭଳି ବୃଦ୍ଧି କରିଛି ।
ରେପୋ ରେଟ୍ ବଢ଼ିବା ଫଳରେ ବ୍ୟାଙ୍କଗୁଡ଼ିକ ପାଇଁ ଋଣ ନେବା ମହଙ୍ଗା ହୋଇପାରେ। ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବାର ଆଶଙ୍କା ରହିଛି। କାରଣ ହୋମ୍ ଲୋନ୍, କାର୍ ଲୋନ୍ ଓ ପର୍ସନାଲ୍ ଲୋନ୍ର ସୁଧହାର ବଢ଼ିଲେ ଗ୍ରାହକଙ୍କ ମାସିକ କିସ୍ତି (EMI) ମଧ୍ୟ ମହଙ୍ଗା ହେବ ।
ଆସନ୍ତୁ ଜାଣିବା ରେପୋ ରେଟ୍ କ’ଣ? ରେପୋ ରେଟ୍ ହେଉଛି ସେହି ସୁଧ ହାର, ଯେଉଁ ହାରରେ ଆରବିଆଇ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଅଳ୍ପ ସମୟ ପାଇଁ ଟଙ୍କା ଧାର ଦେଇଥାଏ। SBI, HDFC, ICICI ଭଳି ବ୍ୟାଙ୍କଗୁଡ଼ିକର ଋଣ ଖର୍ଚ୍ଚ ଉପରେ ଏହାର ପ୍ରଭାବ ପଡ଼ିପାରେ। ରେପୋ ରେଟ୍ ବଢ଼ିଲେ ବ୍ୟାଙ୍କଗୁଡ଼ିକ ପାଇଁ ଆରବିଆଇଠାରୁ ଟଙ୍କା ଧାର କରିବା ମହଙ୍ଗା ହୋଇପାରେ । ଏହାର ପ୍ରଭାବରେ ବ୍ୟାଙ୍କଗୁଡ଼ିକ ନିଜର କିଛି ଋଣର ସୁଧ ହାର ବଢ଼ାଇପାରନ୍ତି । ଫଳରେ ହୋମ୍ ଲୋନ୍, କାର୍ ଲୋନ୍ କିମ୍ବା ପର୍ସନାଲ୍ ଲୋନ୍ ନେଇଥିବା ଗ୍ରାହକଙ୍କ EMI ବଢ଼ିବା କିମ୍ବା ଋଣର ଅବଧି ବଢ଼ିବାର ସମ୍ଭାବନା ରହିଥାଏ । ତେବେ ପ୍ରଭାବ କେତେ ହେବ, ତାହା ଋଣର ପ୍ରକାର, ସୁଧ ହାର ଏବଂ ବ୍ୟାଙ୍କର ରିସେଟ୍ ବ୍ୟବସ୍ଥା ଉପରେ ନିର୍ଭର କରେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।