ସଡକ ଦୁର୍ଘଟଣାରେ ଝାଡ଼ଖଣ୍ଡ ପଂଚାୟତରାଜ ମନ୍ତ୍ରୀଙ୍କ ଝିଅଙ୍କ ସମେତ ୪ ଜଣଙ୍କ ମୃତ୍ୟୁ

Sep 24, 2026 - 15:19
ସଡକ ଦୁର୍ଘଟଣାରେ ଝାଡ଼ଖଣ୍ଡ ପଂଚାୟତରାଜ ମନ୍ତ୍ରୀଙ୍କ ଝିଅଙ୍କ ସମେତ ୪ ଜଣଙ୍କ ମୃତ୍ୟୁ

ଝାଡ଼ଖଣ୍ଡ : ଜାମସେଦପୁରରେ ଭୟାବହ ସଡ଼କ ଦୁର୍ଘଟଣା । ଟ୍ରକ୍ ପଛରେ କାର ପିଟି ହୋଇ ୪ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତି ରାଜ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହଙ୍କ ଝିଅ ତ୍ରିଷା ସିଂହ ଏବଂ ତାଙ୍କର ଅନ୍ୟ ୩ ସାଙ୍ଗ ସାର୍ଥକ ଅଗ୍ରୱାଲ, ନମନ ଗୁପ୍ତା ଏବଂ ବଂଶିକା ଖଣ୍ଡେଲୱାଲ । 

ଆଜି ଭୋର ସମୟରେ ଜାମସେଦପୁରର ସୋନାରୀ ଥାନା ଅଧୀନ ମେରାଇନ୍ ଡ୍ରାଇଭ୍ ରୋଡ୍‌ରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତା କଡ଼ରେ ଖରାପ ହୋଇ ଠିଆ ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା କାର୍‌ । ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍‌ଟି ଚୁରମାର୍ ହୋଇଯିବା ସହ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁଃଖଦ ଘଟଣାରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହ ଓ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତିପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ।

ପ୍ରାଥମିକ ତଦନ୍ତ ଅନୁଯାୟୀ, ଚାରି ଲେନ୍‌ ବିଶିଷ୍ଟ ରାସ୍ତାର ଡିଭାଇଡର ନିକଟରେ ଟ୍ରକ୍‌ଟି ଖରାପ ହୋଇ ଠିଆ ହୋଇଥିଲା । ଟ୍ରକ୍‌ ପଛରେ ରିଫ୍ଲେକ୍ଟର କିମ୍ବା ସତର୍କତା ସୂଚନା ନଥିବାରୁ କାର୍‌ ଚାଳକ ଟ୍ରକ୍‌କୁ ଠିକ୍‌ ସମୟରେ ଦେଖିପାରିନଥିବା ପୁଲିସର ତଦନ୍ତରୁ ଜଣାପଡ଼ିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।