ହୀରାକୁଦ ନଦୀବନ୍ଧର ଜଳଧାରଣ କ୍ଷମତା ୧.୮୨ ମିଲିୟନ ଏକର ଫୁଟ ହ୍ରାସ

Sep 25, 2026 - 05:39

ସମ୍ବଲପୁର: ସମ୍ବଲପୁର ଜିଲା ଅନ୍ତର୍ଗତ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ସୁଦର୍ଶନ ହରିପାଲ ବିଶ୍ୱ ପ୍ରସିଦ୍ଧ
ହୀରାକୁଦ ନଦୀବନ୍ଧର ଜଳଧାରଣ କ୍ଷମତା ଉପରେ ବିଧାନସଭାରେ ପ୍ରଶ୍ନ କରିଛନ୍ତି । ବିଧାୟକ ଶ୍ରୀ ହରିପାଲ, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ
ପ୍ରଶ୍ନ କରିଛନ୍ତି ଯେ, ଜଳ ସମ୍ପଦ ମନ୍ତ୍ରଣାଳୟ ଅଧିନରେ ଥିବା ବିଶ୍ୱ ବିଖ୍ୟାତ ହୀରାକୁଦ ନଦୀବନ୍ଧର ଜଳ ଧାରଣ କ୍ଷମତା କେତେ ରହିଥିବା
ବେଳେ ପଙ୍କ ସଞ୍ଚୟ ଯୋଗୁଁ ଜଳଧାରଣ କ୍ଷମତା କେତେ ହ୍ରାସ ପାଇଛି । ବର୍ତ୍ତମାନର ସକ୍ରିୟ ଜଳଧାରଣ କ୍ଷମତା କେତେ, ପଙ୍କ ଅପସାରଣ ପାଇଁ
ସରକାରଙ୍କ କାର୍ଯ୍ୟଯୋଜନା କଣ, ହୀରାକୁଦ ବନ୍ଧରୁ ଜଳ ନିଷ୍କାସନ ଫଳରେ ପ୍ରତି ବର୍ଷ କେତୋଟି ଗ୍ରାମ ବନ୍ୟା ପ୍ରଭାବିତ ହେଉଛି ।
ଏଥି ସହ ୧୨ ଜୁନ ୨୦୨୪ ପରଠାରୁ ଜିଲା ଭିତ୍ତିକ ପ୍ରଭାବିତ ପରିବାର ମାନଙ୍କୁ କେତେ କ୍ଷତିପୁରଣ ପ୍ରଦାନ କରାଯାଇଛି । ହୀରାକୁଦ
ବିସ୍ଥାପିତ ମାନଙ୍କର ଏକ ଡିଜିଟାଲ ଡାଟାବେସ ପ୍ରସ୍ତୁତ କରିବାକୁ ସରକାରଙ୍କ କୌଣସି ପ୍ରସ୍ତାବ ରହିଛି କି, ଯଦି ଅଛି,
କେବେ ସୁଦ୍ଧା ଏହା ସମ୍ପୁର୍ଣ୍ଣ ହେବ ଏବଂ ଯଦି ନାହିଁ ତାହାର କାରଣ କଣ ବୋଲି ପ୍ରଶ୍ନ ବିଧାୟକ ଶ୍ରୀ ହରିପାଲ ବିଧାନସଭାରେ
ଅଣତାରକା ପ୍ରଶ୍ନ ସଂଖ୍ୟା ୮୧୧ ଜରିଆରେ କରିଛନ୍ତି ।
ଏହି ପ୍ରଶ୍ନର ଲିଖିତ ଉତ୍ତର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ମୂଳ ପ୍ରକଳ୍ପ
ରିପୋର୍ଟ ୧୯୫୭ ଅନୁସାରେ ଏହି ନଦୀବନ୍ଧର ମୃତ ସ୍ତର, ଜୀବନ୍ତ ସ୍ତର ଓ ସର୍ବମୋଟ ଜଳଧାରଣ କ୍ଷମତା ଯଥାକ୍ରମେ ୧.୮୮, ୪.୭୨ ଏବଂ ୬.୬୦
ମିଲିୟନ ଏକର ଫୁଟ ଅଟେ । ସେହିପରି ୨୦୦୦ ମସିହା ଆକଳନ ଅନୁସାରେ ଏହି ବହୁମୁଖି ଜଳଭଣ୍ଡାରର ଜଳଧାରଣ କ୍ଷମତା ଯଥାକ୍ରମେ
୦.୮୭, ୩.୯୧ ଏବଂ ୪.୭୮ ମିଲିୟନ ଏକର ଫୁଟ ଅଟେ । ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ, ଇତି ମଧ୍ୟରେ ଏହି ନଦୀବନ୍ଧର
ମୃତସ୍ତରର ଜଳଧାରଣ କ୍ଷମତା ୧.୦୧ ମିଲିୟନ ଏକର ଫୁଟ ହ୍ରାସ ପାଇଥିବା ବେଳେ ଜୀବନ୍ତ ସ୍ତରର ଜଳଧାରଣ କ୍ଷମତା ୦.୮୧ ମିଲିୟନ ଏକର ଫୁଟ ହ୍ରାସ ପାଇଛି । ସର୍ବମୋଟ ଜଳଧାରଣ କ୍ଷମତା ୧.୮୨ ମିଲିୟନ ଏକର ଫୁଟ ହ୍ରାସ ପାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଲିଖିତ ଉତ୍ତରରେ ତଥ୍ୟ
ରଖିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଏହି ଉତ୍ତର ପରେ ଆଧୁନିକ ଭାରତର ମନ୍ଦିର ରୂପେ ପରିଗଣିତ ବିଶ୍ୱ ପ୍ରସିଦ୍ଧ ହୀରାକୁଦ ନଦୀବନ୍ଧର ମୋଟ ଜଳଧାରଣ କ୍ଷମତା
ଇତିମଧ୍ୟରେ ୧.୮୨ ମିଲିୟନ ଏକର ଫୁଟ ହ୍ରାସ ପାଇଛି । ଏହି ବହୁମୁଖି ଜଳଭଣ୍ଡାରରେ ବିପୁଳ ପରିମାଣର ପଟୁ ମାଟି ଜମା
ହେବାଯୋଗୁଁ ଏହିଭଳି ସଙ୍ଗୀନ ପରିସ୍ଥିତି ସୃଷ୍ଟି ହୋଇଛି । ପରିଣାମ ସ୍ୱରୂପ ନଦୀବନ୍ଧର ଜଳଧାରଣ କ୍ଷମତା ହ୍ରାସ ପାଉଛି । ନଦୀବନ୍ଧରୁ
ପଙ୍କ ଅପସାରଣ ସଂକ୍ରାନ୍ତ ସରକାରଙ୍କ ଯୋଜନା ସଂକ୍ରାନ୍ତରେ ବିଧାୟକ ଶ୍ରୀ ହରିପାଲ କରିଥିବା ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ କୌଣସି ଉତ୍ତର
କରିନାହାନ୍ତି । ସେହିଭଳି ରାଜ୍ୟ ସରକାର ଆଜିର ଡିଜିଟାଲ ଯୁଗରେ ହୀରାକୁଦ ବିସ୍ଥାପିତଙ୍କ ଡିଜିଟାଲ ଡାଟାବେସ ପ୍ରସ୍ତୁତ
ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମଧ୍ୟ ମୁଖ୍ୟମନ୍ତ୍ରୀ ଡାଟାବେସ ପ୍ରସ୍ତୁତ କରାଯାଇ ନାହିଁ ବୋଲି ଲିଖିତ ଉତ୍ତର ରଖିଛନ୍ତି । ଏଥିରୁ ସ୍ପଷ୍ଟ
ଯେ, ଓଡିଶାରେ ବନ୍ୟା ନିୟନ୍ତ୍ରଣ, ରାଜ୍ୟର କୃଷି ଓ ଶିଳ୍ପ ଭିତ୍ତିକ ଅର୍ଥନୀତି ସହିତ ଅନ୍ୟାନ୍ୟ ବହୁମୁଖୀ କାର୍ଯ୍ୟରେ ବ୍ୟବହୃତ ହେଉଥିବା
ହୀରାକୁଦ ନଦୀବନ୍ଧର ଜଳଧାରଣ କ୍ଷମତା ନିରନ୍ତର ହ୍ରାସ ପାଉଛ । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ୨୦୦୦ ମସିହାରେ ହୋଇଥିବା
ଆକଳନର ରିପୋର୍ଟ ଆଧାରରେ ଉତ୍ତର ଦେଇଥିବା ବେଳେ ଇତି ମଧ୍ୟରେ ୨୬ ବର୍ଷ ବିତିଗଲାଣି ଏବଂ ପ୍ରକୃତ କ୍ଷେତ୍ରରେ ଏହି
ଜଳଧାରଣ କ୍ଷମତା ଆହୁରୀ ହ୍ରାସ ପାଇଥିବ, କାରଣ ପ୍ରତି ବର୍ଷ ବ୍ୟାପକ ପଟୁ ସଞ୍ଚୟ ହୀରାକୁଦ ନଦୀବନ୍ଧ ମଧ୍ୟରେ ଜମା ହେଉଛି, ଯାହାକି
ନଦୀବନ୍ଧର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ସହିତ ନଦୀବନ୍ଧ ତାର ମୂଳ ଲକ୍ଷ୍ୟରୁ ଧିରେ ଧିରେ ଅପସରି ଯିବାର ସମ୍ଭାବନା ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।