୨୮ରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଅର୍ଣ୍ଣବ’

Oct 26, 2026 - 16:46
୨୮ରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଅର୍ଣ୍ଣବ’

ବଙ୍ଗୋପସାଗରରେ ବଢ଼ୁଛି ବାତ୍ୟା ସମ୍ଭାବନା। ପ୍ରଭାବରେ ବଡ଼ ବର୍ଷା ଆଶଙ୍କା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଧୀରେ ଧୀରେ ବଳ ଗୋଟାଉଛି । ଆଗକୁ ବଢ଼ିବା ସହ ଏହା ଅଧିକ ଘନୀଭୂତ ହେବାର ଆକଳନ କରାଯାଉଛି । ପ୍ରଥମେ ଅବପାତ, ପରେ ଗଭୀର ଅବପାତ । 
ଘନୀଭୂତ ହୋଇଥିବା ଅବପାତ ଆଜି ସକାଳେ ବାତ୍ୟାର ରୂପ ନେଇଛି । ଏହାର ନାମ ରଖାଯାଇଛି ‘ଅର୍ଣ୍ଣବ’। ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହା ୨୬ ତାରିଖ ରାତି ସୁଦ୍ଧା ଭୀଷଣ ବାତ୍ୟା ଏବଂ ୨୭ ତାରିଖରେ ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ।
ସବୁଠାରୁ ବଡ଼ କଥା ହେଉଛି, ଅକ୍ଟୋବର ୨୮ ତାରିଖ ସକାଳେ ଆନ୍ଧ୍ରପ୍ରଦେଶ ଓ ୟାନମ୍ ଉପକୂଳର ବାପଟଲାରୁ ବିଶାଖାପାଟଣା ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିପାରେ। ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ।
ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ହେବା ସହ ପବନର ବେଗ ବଢ଼ିବାର ଆଶଙ୍କା ରହିଛି। ତେଣୁ ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସମେତ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ସଂଲଗ୍ନ ସମୁଦ୍ର ଅଞ୍ଚଳକୁ ମତ୍ସ୍ୟଜୀବୀମାନେ ନଯିବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନେ ପ୍ରଶାସନର ନିର୍ଦ୍ଦେଶ ମାନି ସୁରକ୍ଷିତ ସ୍ଥାନକୁ ଫେରି ଆସିବା ଜରୁରୀ । 
ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶର କାକିନାଡା, ଏଲୁରୁ, ପୂର୍ବ ଗୋଦାବରୀ, ପଶ୍ଚିମ ଗୋଦାବରୀ, ଏନ୍ଟିଆର୍ ଓ କୃଷ୍ଣା ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକ ପାଇଁ ରେଡ୍ ଆଲର୍ଟ ଜାରି ହୋଇଥିବା ରିପୋର୍ଟ ଆସିଛି। ଅକ୍ଟୋବର ୨୭ ଓ ୨୮ ତାରିଖରେ ଉପକୂଳ ଆନ୍ଧ୍ରର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।
ଏବେ ଓଡ଼ିଶାର ପାଳି। ବାତ୍ୟା ‘ଅର୍ଣ୍ଣବକୁ ନେଇ ଓଡ଼ିଶାରେ ବଢ଼ିଛି ସତର୍କତା। ବିଶେଷକରି ଦକ୍ଷିଣ ଓଡ଼ିଶାରେ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ୍ ଛୁଟି ଖବରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।
ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅକ୍ଟୋବର ୨୮ ଓ ୨୯ ତାରିଖରେ ସ୍କୁଲ୍, କଲେଜ ଓ ଅଙ୍ଗନବାଡ଼ି ବନ୍ଦ ନେଇ ଘୋଷଣା ହୋଇଥିବା ସୂଚନା ମିଳିଛି ।
ଅନ୍ୟ ଜିଲ୍ଲାରେ ଛୁଟି ଘୋଷଣା ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ଅପେକ୍ଷା ରହିଛି। ତେଣୁ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ନିଜ ଜିଲ୍ଲାର ଅଫିସିଆଲ୍ ନୋଟିସ୍ ଯାଞ୍ଚ କରନ୍ତୁ ।
ବାତ୍ୟାର ପ୍ରଭାବରେ ରାଜ୍ୟର ଦକ୍ଷିଣ ଜିଲ୍ଲାଗୁଡ଼ିକରେ ବର୍ଷା ବଢ଼ିବା ଆଶଙ୍କା ରହିଛି। ଅକ୍ଟୋବର ୨୮ ତାରିଖରେ ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଥିବାବେଳେ, ୨୯ ତାରିଖରେ ଗଜପତି ସମେତ ଏହି ଜିଲ୍ଲାଗୁଡ଼ିକରେ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ସୂଚନା ଦିଆଯାଇଛି।
ବାତ୍ୟା ଉପକୂଳ ଅତିକ୍ରମ ସମୟରେ ଆନ୍ଧ୍ରପ୍ରଦେଶର ତଳିଆ ଅଞ୍ଚଳରେ ସମୁଦ୍ର ଜୁଆର ଯୋଗୁଁ ଜଳମଗ୍ନ ହେବାର ଆଶଙ୍କା ରହିଛି। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ର ଉପକୂଳରେ ରହୁଥିବା ଲୋକେ ପ୍ରଶାସନର ନିର୍ଦ୍ଦେଶ ମାନିବା ସହ ପାଣିପାଗ ବିଭାଗର ନୂଆ ବୁଲେଟିନ୍ ଉପରେ ନଜର ରଖନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।