କୁମାର ପୂର୍ଣ୍ଣିମା
କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ନାମରେ ମଧ୍ୟ ଜଣାଶୁଣା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହି ଦିନ ଠାରୁ ମାଆ ଗଜଲକ୍ଷ୍ମୀଙ୍କର ପୂଜା ମଧ୍ୟ ଆରମ୍ଭ ହୋଇଥାଏ । ଓଡ଼ିଶାରେ ଘରେଘରେ ସମସ୍ତେ ନୂଆ ପିନ୍ଧିବା ସହିତ ଝିଅମାନେ ଆଞ୍ଜୁଳି ଟେକି ଚନ୍ଦ୍ରଙ୍କର ପୂଜା କରିଥାଆନ୍ତି । ଏହି ଦିନ ଗାଁରେ ଉତ୍ସବ ପରିବେଶ ଦେଖିବାକୁ ମିଳିଥାଏ । ଝିଅବୋହୁମାନେ ଏକାଠି ହୋଇ ନୂଆ ପୋଷାକ ପିନ୍ଧି ପୁଚି ଖେଳ, ତାସ ଖେଳ ଭଳି ବିଭିନ୍ନ ଖେଳର ମଜା ନେଇଥାଆନ୍ତି । ସମସ୍ତେ ଏକାଠି ହୋଇ ଏହାକୁ ଖୁବ ଧୁମ ଧାମରେ ପାଳନ କରିଥାଆନ୍ତି । ଏଦି ଦିନ କୁମାରୀ ଝିଅମାନେ ଚନ୍ଦ୍ରଙ୍କୁ ପୂଜା କରିବା ସହିତ ସୁନ୍ଦର ବର ପାଇବା ପାଇଁ ଓଷା କରିଥାଆନ୍ତି । ଏହି ଦିନ ଚଉରା ଆଗରେ ପିଢ଼ାରେ ଗୁଆ ରଖି ତା' ଉପରେ ଦୁବ ଘାସ, ଫୁଲ, ବରକୋଳି ପତ୍ର ଦେଇ ସଜାଯାଇଥାଏ । ଚଉରା ପାଖରେ ସ୍ଥାପନ କରାଯାଇଥିବା କଳସରେ ମଧ୍ୟ ଆମ୍ବଡାଳ, ଗୁଆ, ସିନ୍ଦୁର, ଚନ୍ଦନ ଇତ୍ୟାଦି ଦେଇ ଅନୁରୂପ ଭାବେ ସଜାଯାଇଥାଏ । ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।