୩ବର୍ଷ ମଧ୍ୟରେ ଓଡ଼ିଶାରେ ଖୋଲିବ ନାହିଁ ଗୋଟିଏ ବି ମଦଦୋକାନ
ଭୁବନେଶ୍ୱର : ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ । କମିଶନରେଟ୍ ପୋଲିସ ପକ୍ଷରୁ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମ ‘ଜୀବନ ଜିନ୍ଦାବାଦ-୨.୦’ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି । ରାଜ୍ୟରୁ ନିଶାକୁ ମୂଳପୋଛ କରିବା ପାଇଁ ଦୃଢ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ନିଶା ବିରୋଧରେ ସରକାରଙ୍କ ‘ଜିରୋ ଟଲରେନ୍ସ’ ନୀତି ଜାରି ରହିବ ବୋଲି କହିଛନ୍ତି ।
ମଦ ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ଯୋଗୁଁ ମହିଳାଙ୍କ ବିରୋଧରେ ହିଂସା ଓ ଅନ୍ୟାନ୍ୟ ଜଘନ୍ୟ ଅପରାଧ ବଢ଼ୁଥିବାରୁ ଏହାକୁ ରୋକିବା ପାଇଁ ଏହି କଠୋର ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏପ୍ରିଲ ପହିଲାରୁ ଲାଗୁ ହୋଇଥିବା ରାଜ୍ୟ ସରକାରଙ୍କ ନୂତନ ଅବକାରୀ ନୀତି (୨୦୨୬-୨୦୨୯) ଅନୁଯାୟୀ, ଓଡ଼ିଶାରେ ଆଗାମୀ ୩ ବର୍ଷ ପାଇଁ ନୂତନ ମଦ ଦୋକାନ ଖୋଲିବା ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି । ଚୋରା ଓ ବିଷାକ୍ତ ମଦ କାରବାର ପାଇଁ ସ୍ଥାନୀୟ ପ୍ରଶାସନକୁ ଉତ୍ତରଦାୟୀ କରାଯାଇଛି । ତମାଖୁ ଓ ନିକୋଟିନ୍ ଯୁକ୍ତ ପାନମସଲା ଏବଂ ଗୁଟ୍ ଖା ଉତ୍ପାଦନ ଓ ବିକ୍ରି ଉପରେ ମଧ୍ୟ କଟକଣା କଡ଼ା କରାଯାଇଛି । ସ୍କୁଲ ଓ କଲେଜ କ୍ୟାମ୍ପସକୁ ‘ନିଶା ନିଷିଦ୍ଧ’ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।
୨୦୨୯ ଶେଷ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ଲକ୍ଷ୍ୟ ଦିଗରେ ଓଡ଼ିଶା ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଶେଷକରି ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ଶିକ୍ଷା, କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟ ସହ ଯୋଡ଼ିବା ‘ଜୀବନ ଜିନ୍ଦାବାଦ-୨.୦’ର ପ୍ରମୁଖ ଲକ୍ଷ୍ୟ ବୋଲି ସେ କହିଛନ୍ତି । ପିଲାମାନଙ୍କ ଆଚରଣ ଓ ବ୍ୟବହାରରେ ହଠାତ୍ ପରିବର୍ତ୍ତନ ଦେଖାଦେଲେ ଅଭିଭାବକମାନେ ଏହାକୁ ‘ରେଡ୍ ଫ୍ଲାଗ୍’ ଭାବେ ନେଇ ସତର୍କ ହେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ‘ନିଶାକୁ ନାଁ, ଜୀବନକୁ ହଁ’ ବାର୍ତ୍ତାକୁ ଗାଁରୁ ସହର ପର୍ଯ୍ୟନ୍ତ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ । ଏକ ସୁସ୍ଥ ଓ ସଚେତନ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ନୂଆ ଦୋକାନ ଖୋଲିବା ଉପରେ କଟକଣା ସହ ବେଆଇନ ଗଞ୍ଜେଇ, ଅଫିମ ଏବଂ କୃତ୍ରିମ ଡ୍ରଗ୍ସ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପୋଲିସ ଓ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।