147-year-old historical copper: ଗୁଣପୁରରୁ ମିଳିଲା ୧୪୭ ବର୍ଷର ଐତିହାସିକ ତାମ୍ର ଅଭିଲେଖ
ରାୟଗଡ଼ା: ଗୁଣପୁର ସହର ବ୍ରାହ୍ମଣସାହିରୁ ୧୪୭ ବର୍ଷର ପୁରୁଣା ବିରଳ ଓଡ଼ିଆ ତାମ୍ରଫଳକ ମିଳିଛି। ଏହି ତାମ୍ର ଅଭିଲେଖ କେବଳ ଏକ ପ୍ରାଚୀନ ଦଲିଲ ନୁହେଁ, ଏହା ବିଷମକଟକ ଥାଟରାଜା ପରିବାର, ତତ୍କାଳୀନ ଭୂମିଦାନ ପରମ୍ପରା ଓ ସ୍ଥାନୀୟ ପ୍ରଶାସନିକ ବ୍ୟବସ୍ଥାର ମୂଲ୍ୟବାନ ଐତିହାସିକ ଦସ୍ତାବିଜ ଭାବେ ଗବେଷକଙ୍କ ଦୃଷ୍ଟି ଆକର୍ଷଣ କରିଛି। ସ୍ଥାନୀୟ ଗବେଷକ ଅକ୍ଷୟ କୁମାର ଦାସ ଏବଂ ରାମନାଗୁଡ଼ା ତହସିଲଦାର ଡ. ପ୍ରାଣକୃଷ୍ଣ ପାଣିଗ୍ରାହୀଙ୍କ ଉଦ୍ୟମରେ ଏହି ତାମ୍ର ଫଳକ ସ୍ଥାନୀୟ ରାଜପୁରୋହିତ ଭାବେ ପରିଚିତ ବ୍ରହ୍ମା ପରିବାରର ଅଶୋକ ରଥ ଓ ହୃଷୀକେଶ ରଥଙ୍କ ଘରୁ ଠାବ ହୋଇଛି।
Durga puja: ୭୨ ଦେବୀପୀଠକୁ ଯିବ ଦଶହରା ନିମନ୍ତ୍ରଣ; ଆଜ୍ଞାମାଳ ଗ୍ରହଣ କଲେ ଦଶହରା ପୂଜା କମିଟି ଅଧ୍ୟକ୍ଷ
ଅତୀତର ଏହି ଦସ୍ତାବିଜ ଗବେଷକଙ୍କ ପାଇଁ ନୂଆ ଅନୁସନ୍ଧାନର ଦ୍ୱାର ଖୋଲିଛି। ବିରଳ ତାମ୍ର ଅଭିଲେଖକୁ ପାରଳାଖେମୁଣ୍ଡିର ଯୁବ ଐତିହାସିକ ତଥା ବିଶିଷ୍ଟ ଲିପିତତ୍ତ୍ୱ ଗବେଷକ ବିଷ୍ଣୁମୋହନ ଅଧିକାରୀ ପାଠୋଦ୍ଧାର କରିଛନ୍ତି। ତାମ୍ର ଫଳକ ୧୮୭୯ ମସିହା ଅକ୍ଟୋବର ୨ ତାରିଖ, ଆଶ୍ୱିନ ଶୁକ୍ଳ ତ୍ରୟୋଦଶୀ, ସୋମବାର ଦିନ ଗଦାଧର ରଥଙ୍କୁ ‘ପିତାମ୍ବର ଶାସନ’ ଦାନର ସନନ୍ଦ। ତତ୍କାଳୀନ ବିଷମକଟକ ଥାଟରାଜା ରାମଚନ୍ଦ୍ରଙ୍କ ଦ୍ବାରା ଗଦାଧର ରଥଙ୍କୁ ବିଷମକଟକ ତାଲୁକା ଅନ୍ତର୍ଗତ ‘ପିତାମ୍ବର ଶାସନ’ ଦାନ ଆକାରରେ ପ୍ରଦାନ କରାଯାଇଛି। ଅଭିଲେଖର ଆଉ ଏକ ବିଶେଷତ୍ୱ ହେଉଛି ଏହାର ଭାଷାଗତ ରୂପ। ମୁଖ୍ୟ ବିଷୟବସ୍ତୁ ଓଡ଼ିଆ ଭାଷାରେ ଉତ୍କୀର୍ଣ୍ଣ ହୋଇଥିବା ବେଳେ ଏହାର ପଶ୍ଚାତଭାଗରେ ସଂସ୍କୃତ ଶ୍ଳୋକ ଉତ୍କୀର୍ଣ୍ଣ ହୋଇଛି। ଦ୍ୱିଭାଷୀ ଅଭିଲେଖ ପ୍ରସ୍ତୁତିର ପରମ୍ପରା, ଓଡ଼ିଆ-ସଂସ୍କୃତ ଭାଷାର ପ୍ରଶାସନିକ ତଥା ଧାର୍ମିକ ପ୍ରୟୋଗ ସମ୍ପର୍କରେ ମଧ୍ୟ ଗବେଷଣା ନିମନ୍ତେ ନୂଆ ସୁଯୋଗ ସୃଷ୍ଟି କରିଛି ବୋଲି ଶ୍ରୀ ଅଧିକାରୀ କହିଛନ୍ତି।
Dairy: ନେସ୍ଲେର ଲୋ-ଫ୍ୟାଟ୍ ଡାଏରି ହ୍ୱାଇଟନରକୁ ଅସୁରକ୍ଷିତ ଘୋଷଣା କଲା ଏଫ୍ଏସ୍ଏସ୍ଏଆଇ
ବିଷମକଟକ ରାଜ ପରିବାର ସମ୍ପର୍କିତ ଏହା ପ୍ରଥମ ସନନ୍ଦ ଭାବେ ବିବେଚିତ ହେଉଛି। ଏହି କାରଣରୁ ତାମ୍ରଫଳକର ଐତିହାସିକ ଓ ଅଭିଲେଖୀୟ ଗୁରୁତ୍ୱ ଆହୁରି ବୃଦ୍ଧି ପାଇଛି। ସନନ୍ଦ ମାଧ୍ୟମରେ ବିଷମକଟକ ଥାଟରାଜା ପରିବାରର ଇତିହାସ, ସେ ସମୟର ଜମିଦାନ ପ୍ରଥା, ତାଲୁକା ବ୍ୟବସ୍ଥା, ସ୍ଥାନୀୟ ଶାସନ ପ୍ରଣାଳୀ ଏବଂ ରଥ ପରିବାରର ସାମାଜିକ ତଥା ପ୍ରଶାସନିକ ସ୍ଥିତି ସମ୍ପର୍କରେ ନୂଆ ତଥ୍ୟ ମିଳିବାର ସମ୍ଭାବନା ରହିଛି। ଏହାର ସମ୍ପୂର୍ଣ୍ଣ ପାଠୋଦ୍ଧାର, ଲିପି ବିଶ୍ଳେଷଣ, ଶ୍ଳୋକର ଅର୍ଥୋଦ୍ଧାର ଏବଂ ଅଭିଲେଖରେ ଉଲ୍ଲେଖିତ ନାମ, ସ୍ଥାନ, ଭୂମି ସମ୍ପର୍କିତ ତଥ୍ୟକୁ ଅନ୍ୟ ଐତିହାସିକ ଦଲିଲ ସହ ତୁଳନା କରାଗଲେ ବିଷମକଟକ ଓ ଗୁଣପୁର ଅଞ୍ଚଳର ଅନେକ ଅନାଲୋଚିତ ଐତିହାସିକ ଅଧ୍ୟାୟ ଉନ୍ମୋଚିତ ହୋଇପାରିବ ବୋଲି ଶ୍ରୀ ଅଧିକାରୀ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।