Mule account: ‘ମ୍ୟୁଲ୍ ଆକାଉଣ୍ଟ’ ନେଟ୍‌ୱର୍କର ପର୍ଦ୍ଦାଫାସ: ୨ ବିଟେକ୍, ୧ ଆଇନ ଛାତ୍ରଙ୍କ ସମେତ ୪ଗିରଫ

Oct 04, 2026 - 08:57
Mule account: ‘ମ୍ୟୁଲ୍ ଆକାଉଣ୍ଟ’ ନେଟ୍‌ୱର୍କର ପର୍ଦ୍ଦାଫାସ: ୨ ବିଟେକ୍, ୧ ଆଇନ ଛାତ୍ରଙ୍କ ସମେତ ୪ଗିରଫ

"ଭୁବନେଶ୍ୱର: ସାଇବର ଠକେଇ ପାଇଁ ବେନାମି ବ୍ୟାଙ୍କ ଆକାଉଣ୍ଟ୍ ଯୋଗାଉଥିବା ଏକ "ମ୍ୟୁଲ୍ ଆକାଉଣ୍ଟ" ନେଟୱର୍କର ପର୍ଦ୍ଦାଫାସ କରିଛି ଭୁବନେଶ୍ୱର ସାଇବର ଥାନା ପୁଲିସ।

ଚୀନରୁ ଏହି ନେଟୱର୍କର ମଙ୍ଗ ଅପରେଟ୍ ହେଉଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ଚାଇନା ଠକଙ୍କ ପାଇଁ ଏଜେଣ୍ଟ ସାଜିଥିବା ୨ ବିଟେକ୍ ଓ ଜଣେ ଆଇନ ଛାତ୍ରଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି ଏବଂ ୮ଟି ମୋବାଇଲ୍ ଓ ବିଭିନ୍ନ ଡିଜିଟାଲ୍ ପ୍ରମାଣ ଜବତ ହୋଇଛି।

ଅଭିଯୁକ୍ତମାନେ ହେଲେ, କେନ୍ଦୁଝରର ସାଇ ଶୁଭମ୍‌ ସୁଆର, ଭଦ୍ରକର ଆଇନ ଛାତ୍ର ଭବାନୀ ଶଙ୍କର ରାୟ, ୨ ବିଟେକ୍‌ ଛାତ୍ର ବିଶ୍ୱଜିତ ଜେନା ଓ ଶିଶିର କୁମାର ଜେନା।

ମାଷ୍ଟରମାଇଣ୍ଡ ଶିଶିର ଏହି ରୢାକେଟ୍‌ ପରିଚାଳନା କରୁଥିବା ଜଣାପଡ଼ିଛି।

Advertisment ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଭୁବନେଶ୍ବରରେ ରହୁଥିବା ଜଣେ ବରିଷ୍ଠ ନାଗରିକଙ୍କୁ ଟଙ୍କା ନିବେଶ କରି ଦୁଇଗୁଣା ଲାଭ ଦେବାର ଲୋଭ ଦେଖାଇ ପ୍ରାୟ ୯୨ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଏକ ଅଭିଯୋଗ ଆସିଥିଲା।

ଅଭିଯୋଗ ଆଧାରରେ ସାଇବର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତରୁ ଜଣାପଡ଼ିଥିଲା ଯେ ଫେସ୍‌ବୁକ୍‌ ସ୍କ୍ରଲ୍ ବେଳେ ଅଭିଯୋଗକାରୀ ଏକ ଇନଭେଷ୍ଟମେଣ୍ଟ୍ ବିଜ୍ଞାପନ ଦେଖିଥିଲେ।

ଉକ୍ତ ବିଜ୍ଞାପନ ଭିତରକୁ ଯିବା ପରେ ତାଙ୍କୁ ଏକ ମେସେଜ୍ ଆସିଥିଲା ଏବଂ ତାଙ୍କୁ "ଫିନସୋଲ୍ ଇନ୍‌ସାଇଟ୍ ଏକ୍ସଚେଞ୍ଜ" ନାମକ ଏକ ଗ୍ରୁପ୍‌ରେ ଆଡ୍ କରିଦିଆଯାଇଥିଲା।

ପରେ ଉକ୍ତ ଗ୍ରୁପ୍‌ରେ ଟଙ୍କା ନିବେଶ ଓ ୨ଗୁଣା ଲାଭ ଫେରି ପାଇବାର ଲୋଭ ଦିଆଯାଇଥିଲା।

ଅଭିଯୋଗକାରୀ ସାଇବର ଠକର ତଞ୍ଚକତା ବୁଝି ନପାରି ନିଜ ବ୍ୟାଙ୍କ୍ ଆକାଉଣ୍ଟ୍‌ ଖାଲି କରି ସବୁ ଟଙ୍କା ଲଗାଇ ଦେଇଥିଲେ।

ମାସକ ପରେ ସେ ଆଖିଦୃଶିଆ ରିଟର୍ଣ୍ଣ ଦେଖି ସେ ଟଙ୍କା ଉଠାଇବାକୁ  ଚାହିଥିଲେ।

ମାତ୍ର ତାଙ୍କ ଆକାଉଣ୍ଟ୍ ବ୍ଲକ୍ ହୋଇଯାଇଥିଲା।

ଏଥର ସେ ଜାଣିଥିଲେ ଯେ ଠକେଇର ଶିକାର ହୋଇଛନ୍ତି।

ତେଣୁ ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି, ଚୀନରେ ବସି ମ୍ୟୁଲ୍ ଆକାଉଣ୍ଟ୍‌ ନେଟଵର୍କର ମଙ୍ଗ ଧରିଥିବା ସାଇବର ଅପରାଧୀ ଓଡ଼ିଶାରେ କିଛି ବିଟେକ୍ ଛାତ୍ରଙ୍କ ସମେତ ପ୍ରାୟ ଶତାଧିକ ଯୁବକଙ୍କୁ ନିଯୁକ୍ତ କରିଥିଲା।

ଉକ୍ତ ଯୁବକଙ୍କ ମାଧ୍ୟମରେ ସାଇବର ଠକ ବିଭିନ୍ନ ଶ୍ରମିକ ଶ୍ରେଣୀର ଲୋକଙ୍କ ନାଁରେ ବ୍ୟାଙ୍କ୍ ଆକାଉଣ୍ଟ୍‌ ଖୋଲି ସେ ସବୁକୁ ଭଦ୍ରକ ପଠାଉଥିଲେ।

ପରେ ସେଠାରୁ ଏଜେଣ୍ଟମାନେ ପଶ୍ଚିମବଙ୍ଗ ପଠାଉଥିଲେ।

ଏହି ଆକାଉଣ୍ଟ୍‌ର ପୂରା ଆକ୍ସେସ୍ ପଶ୍ଚିମବଙ୍ଗରେ ବସିଥିବା ଠକ ଚାଇନିଜ୍ ଠକକୁ ବିକ୍ରି କରୁଥିଲେ।

ଏଥିପାଇଁ ସେମାନଙ୍କୁ ମୋଟା ଅଙ୍କର କମିସନ ମିଳୁଥିଲା।

ପରେ ସେହି କ୍ରମରେ ଅନ୍ୟ ନିଯୁକ୍ତ ଯୁବକମାନଙ୍କୁ ବି ଟଙ୍କା ଦିଆଯାଉଥିଲା।

ବସ୍ତିବାସିନ୍ଦାଙ୍କ ଆକାଉଣ୍ଟରେ ଖେଳ ଚୀନ ଠ କଙ୍କୁ ବିକ୍ରି କରୁଥିଲେ ମ୍ୟୁଲ୍ ଆକାଉଣ୍ଟ୍ଭୁବନେଶ୍ୱରରୁ ପଶ୍ଚିମବଙ୍ଗକୁ ନେଟ୍‌ୱର୍କ ଭାୟା ଭଦ୍ରକ ତେବେ ତଦନ୍ତ ବେଳେ ପୁଲିସ ଜାଣିଥିଲା ଯେ ଶୈଳଶ୍ରୀବିହାରର କିଛି ଲୋକଙ୍କ ନାଁରେ ଏହି ମ୍ୟୁଲ୍ ଆକାଉଣ୍ଟ୍ ରହିଛି।

ତେଣୁ ପୁଲିସ ଶୈଳଶ୍ରୀବିହାରର ଏକ ବସ୍ତିରେ ଚଢ଼ଉ କରି କିଛି ଆକାଉଣ୍ଟଧାରୀଙ୍କୁ ଜେରା କରିବାରୁ ସେମାନେ ଉପରୋକ୍ତ କିଛି ଯୁବକଙ୍କ ନାଁ କହିଥିଲେ।

ଏହି ଖିଅକୁ ଆଧାର କରି ପୁଲିସ ଭଦ୍ରକରେ ପହଞ୍ଚିଥିଲା।

ଭଦ୍ରକ ଜିଲ୍ଲାରେ ସକ୍ରିୟ ଥିବା ଆକାଉଣ୍ଟ ଯୋଗାଣକାରୀ ଏହି ନେଟ୍‌ୱର୍କ ପର୍ଯ୍ୟନ୍ତ ପୁଲିସ ହାତ ପହଞ୍ଚି ପାରିଥିଲା।

ଏହି ନେଟଵର୍କକୁ ଉଚ୍ଚଶିକ୍ଷିତ ଯୁବକ, ଯଥା: ୨ ବିଟେକ୍ ଛାତ୍ର, ଜଣେ ଆଇନ ଛାତ୍ର ଓ ଜଣେ ଗ୍ରାଜୁଏଟ୍‌ ପରିଚାଳନା କରୁଥିବା ଜଣାପଡ଼ିଥିଲା।

ଅଭିଯୁକ୍ତ ସାଇ ଶୁଭମ୍‌ ବେନାମି ଆକାଉଣ୍ଟ୍ ଯୋଗାଡ଼ କରୁଥିଲା।

ପ୍ରତି ଆକାଉଣ୍ଟ୍‌ରେ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରି କମିସନ୍ ନେଉଥିଲା।

ସେହିଭଳି ଆଇନ ଛାତ୍ର ଭବାନୀ ଶଙ୍କର ୫ଟି ବେନାମି ଆକାଉଣ୍ଟ୍‌ ଆଣି ସେଥିରେ ଇଣ୍ଟରନେଟ୍ ବ୍ୟାଙ୍କିଂ ସଂଯୋଗ କରିଥିଲା।

ପରେ ପାଇପ୍ ଓ ଏସ୍‌ଏମ୍‌ଏସ୍ ଟୁଲ୍ ଭଳି ଆପ୍ ବ୍ୟବହାର କରି ଲୋକଙ୍କ ମୋବାଇଲ୍‌କୁ ମେସେଜ୍ ପଠାଇ ଆକାଉଣ୍ଟ୍ ଓ ମୋବାଇଲ୍ ହ୍ୟାକ୍ କରୁଥିଲା।

ଏହି କ୍ରମରେ ଭବାନୀ ପ୍ରାୟ ଲକ୍ଷାଧିକ ଟଙ୍କା କମିସନ ପାଇଥିବା ପୁଲିସ ସୂଚନା ଦେଇଛି।

ସେହିଭଳି ମୁଖ୍ୟ ଅଭିଯୁକ୍ତ ତଥା ବିଟେକ୍ ଛାତ୍ର ଶିଶିର ଉପରୋକ୍ତ ୨ ଅଭିଯୁକ୍ତ ଓ ସହଯୋଗୀ ବିଟେକ୍‌ ଛାତ୍ର  ବିଶ୍ବଜିତଙ୍କ ମାଧ୍ୟମରେ ବେନାମି ଆକାଉଣ୍ଟ ଓ କିଟ୍‌ ସଂଗ୍ରହ କରି ଟେଲିଗ୍ରାମ୍ ଜରିଆରେ ଚୀନ୍ ଠକଙ୍କୁ ବିକ୍ରି କରୁଥିଲା।

ପ୍ରତି ଆକାଉଣ୍ଟ୍ ପିଛା ୫୦ହଜାର ଟଙ୍କା ନେଉଥିଲା।

ଧରା ନପଡ଼ିବା ପାଇଁ ସେ କ୍ରିପ୍ଟୋ ନଚେତ୍ ବାଇନାନ୍ସ ଜରିଆରେ ଟଙ୍କା ଆଣୁଥିଲା।

ପରେ ନିଜେ କିଛି କମିସନ ରଖି ଏଜେଣ୍ଟଙ୍କୁ ବାଣ୍ଟୁଥିଲା।

ତେଣୁ ଅଜଣା ବ୍ୟକ୍ତିଙ୍କ କଥାରେ ନିଜ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବା, ଆକାଉଣ୍ଟ ଆକ୍ସେସ୍ ଦେବା କିମ୍ବା ଅଜଣା ଆକାଉଣ୍ଟ୍‌ରୁ ଟଙ୍କା ଗ୍ରହଣ ନ କରିବାକୁ ସାଇବର ଥାନା ପରାମର୍ଶ ଦେଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।