18% GST on UPI Merchant Payments: ୟୁପିଆଇ ମର୍ଚାଣ୍ଟ ପେମେଣ୍ଟ୍‌ ଏମ୍‌ଡିଆର୍‌ ଉପରେ ୧୮% ଜିଏସ୍‌ଟି, ମିଳିବ ନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌

Sep 17, 2026 - 16:09
18% GST on UPI Merchant Payments: ୟୁପିଆଇ ମର୍ଚାଣ୍ଟ ପେମେଣ୍ଟ୍‌ ଏମ୍‌ଡିଆର୍‌ ଉପରେ ୧୮% ଜିଏସ୍‌ଟି, ମିଳିବ ନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌

ୟୁପିଆଇ ମାଧ୍ୟମରେ ବ୍ୟବସାୟୀଙ୍କୁ ଦିଆଯାଉଥିବା କିଛି ପେମେଣ୍ଟ୍‌ ଉପରେ ଏଣିକି ଲାଗିବ ମର୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌(ଏମ୍‌ଡିଆର୍‌)। ଆଉ ଏହି ଏମ୍‌ଡିଆର୍‌ ଉପରେ ଲାଗିବ ୧୮ ପ୍ରତିଶତ ଜିଏସ୍‌ଟି। ସିବିଆଇସିର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ତେବେ ଏଠାରେ ଏକ ବଡ଼ କଥା ହେଉଛି, ସମ୍ପୂର୍ଣ୍ଣ ୟୁପିଆଇ କାରବାର ରାଶି ଉପରେ ଜିଏସ୍‌ଟି ଲାଗିବ ନାହିଁ। କେବଳ ଏମ୍‌ଡିଆର୍‌ ଉପରେ ହିଁ ଜିଏସ୍‌ଟି ଆଦାୟ ହେବ। ଉଦାହରଣ ସ୍ୱରୂପ, ୧୦ ହଜାର ଟଙ୍କାର ଏକ ଯୋଗ୍ୟ ୟୁପିଆଇ ପେମେଣ୍ଟ୍‌ରେ ଏମ୍‌ଡିଆର୍‌ ହେବ ୪୦ ଟଙ୍କା। ଏହି ୪୦ ଟଙ୍କା ଉପରେ ୧୮ ପ୍ରତିଶତ ଜିଏସ୍‌ଟି, ଅର୍ଥାତ୍‌ ୭ ଟଙ୍କା ୨୦ ପଇସା ଦେବାକୁ ପଡ଼ିବ। ଫଳରେ ଏମ୍‌ଡିଆର୍‌ ଓ ଜିଏସ୍‌ଟିକୁ ମିଶାଇ ମୋଟ ଖର୍ଚ୍ଚ ହେବ ୪୭ ଟଙ୍କା ୨୦ ପଇସା।

ତେବେ ବ୍ୟବସାୟୀଙ୍କ ପାଇଁ ରହିଛି ଆଉ ଏକ ସୁବିଧା। ଜିଏସ୍‌ଟିରେ ପଞ୍ଜିକୃତ ଏବଂ ନିର୍ଦ୍ଧାରିତ ନିୟମ ପୂରଣ କରୁଥିବା ଯୋଗ୍ୟ ବ୍ୟବସାୟୀ ଏମ୍‌ଡିଆର୍‌ ଉପରେ ଦିଆଯାଇଥିବା ୭ ଟଙ୍କା ୨୦ ପଇସା ଜିଏସ୍‌ଟିକୁ ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ ବା ଇନ୍‌ପୁଟ୍‌ କର ରିହାତି ଭାବେ ଦାବି କରିପାରିବେ।

ହେଲେ ସମସ୍ତ ବ୍ୟବସାୟୀ ଏହି ସୁବିଧା ପାଇବେ ନାହିଁ। ଯେଉଁ ବ୍ୟବସାୟୀମାନେ ଜିଏସ୍‌ଟିରୁ ଛାଡ଼ପ୍ରାପ୍ତ ସାମଗ୍ରୀ କିମ୍ବା ସେବା ଯୋଗାନ୍ତି, ସେମାନେ ଏହି କର ରିହାତି ସମ୍ପୂର୍ଣ୍ଣ ଭାବେ ନେଇ ନପାରନ୍ତି। ଏଭଳି କ୍ଷେତ୍ରରେ ଜିଏସ୍‌ଟିର ଖର୍ଚ୍ଚ ବ୍ୟବସାୟୀଙ୍କୁ ନିଜେ ବହନ କରିବାକୁ ପଡ଼ିପାରେ।

ଅକ୍ଟୋବର ୧୫ରୁ ନୂଆ ଏମ୍‌ଡିଆର୍‌ ବ୍ୟବସ୍ଥା

ନୂଆ ନିୟମ ଅନୁସାରେ ଅକ୍ଟୋବର ୧୫ରୁ ୨ ହଜାର ଟଙ୍କାରୁ ଅଧିକ ଗ୍ରାହକଙ୍କଠାରୁ ବ୍ୟବସାୟୀଙ୍କୁ କରାଯାଉଥିବା ୟୁପିଆଇ ପେମେଣ୍ଟ୍‌ରେ ୦.୪ ପ୍ରତିଶତ ଏମ୍‌ଡିଆର୍‌ ଲାଗିବ। ଏହି ଶୁଳ୍କ ଗ୍ରାହକ ନୁହେଁ, ବ୍ୟବସାୟୀଙ୍କୁ ଦେବାକୁ ପଡ଼ିବ। ୭୫ ହଜାର ଟଙ୍କା କିମ୍ବା ତାଠାରୁ ଅଧିକ କାରବାରରେ ଏମ୍‌ଡିଆର୍‌ ସର୍ବାଧିକ ୩୦୦ ଟଙ୍କାରେ ସୀମିତ ରହିବ।

ତେବେ ଦୈନନ୍ଦିନ ଜୀବନର ଅଧିକାଂଶ ୟୁପିଆଇ ପେମେଣ୍ଟ୍‌ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ। ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ବ୍ୟକ୍ତିଙ୍କୁ ହେଉଥିବା ୟୁପିଆଇ ପେମେଣ୍ଟ୍‌ ଏମ୍‌ଡିଆର୍‌ ବ୍ୟବସ୍ଥାର ବାହାରେ ରହିବ।

ରେଳୱେ, ଟେଲିକମ୍‌, ଇନ୍ଧନ ଓ ବୀମା ଭଳି ନିର୍ଦ୍ଧାରିତ ଆବଶ୍ୟକୀୟ ସେବା ପାଇଁ ୨ ହଜାର ଟଙ୍କାରୁ ଅଧିକ ପେମେଣ୍ଟ୍‌ରେ ପ୍ରତି କାରବାର ପିଛା ୫ ଟଙ୍କାର ନିର୍ଦ୍ଧାରିତ ଶୁଳ୍କ ରହିବ। ସେହିପରି ମ୍ୟୁଚୁଆଲ୍‌ ଫଣ୍ଡ୍‌ ଓ ଷ୍ଟକ୍‌ ବ୍ରୋକିଙ୍ଗ୍‌ ଭଳି ପୁଞ୍ଜି ବଜାର କାରବାରରେ ଏମ୍‌ଡିଆର୍‌ ହାର ରହିବ ମାତ୍ର ୦.୦୨ ପ୍ରତିଶତ। ଏଠାରେ ମଧ୍ୟ ସର୍ବାଧିକ ଶୁଳ୍କ ୩୦୦ ଟଙ୍କା ରହିବ।

ଛୋଟ ବ୍ୟବସାୟୀଙ୍କୁ ବଡ଼ ରିହାତି

ମାସକୁ ୟୁପିଆଇ କ୍ୟୁଆର୍‌ କୋଡ୍‌ ମାଧ୍ୟମରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଥିବା ଛୋଟ ବ୍ୟବସାୟୀମାନେ ନୂଆ ଏମ୍‌ଡିଆର୍‌ ଶୁଳ୍କରୁ ସମ୍ପୂର୍ଣ୍ଣ ମୁକ୍ତ ରହିବେ। ଅଧିକାରୀଙ୍କ ଅନୁସାରେ, ଏହି ବ୍ୟବସ୍ଥା ପ୍ରାୟ ୯୬ ପ୍ରତିଶତ ବ୍ୟବସାୟୀ କାରବାରକୁ ନୂଆ ଶୁଳ୍କରୁ ସୁରକ୍ଷିତ ରଖିବ। ଗ୍ରାମୀଣ ଓ ଅର୍ଦ୍ଧ-ସହରାଞ୍ଚଳରେ ବ୍ୟବସାୟୀଙ୍କୁ କରାଯାଉଥିବା ୟୁପିଆଇ କ୍ୟୁଆର୍‌ ପେମେଣ୍ଟ୍‌ ମଧ୍ୟ ମାଗଣା ରହିବ।

ଏହାସହ ଏମ୍‌ଡିଆର୍‌ରୁ ଆଦାୟ ହେଉଥିବା ଅର୍ଥର ୫ ପ୍ରତିଶତ ଏକ ସ୍ୱତନ୍ତ୍ର ପାଣ୍ଠିକୁ ଯିବ। ଛୋଟ ବ୍ୟବସାୟୀଙ୍କ ମଧ୍ୟରେ ୟୁପିଆଇ ବ୍ୟବହାର ଏବଂ ଗ୍ରହଣଯୋଗ୍ୟତା ବଢ଼ାଇବା ପାଇଁ ଏହି ଅର୍ଥ ବ୍ୟବହାର କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।