30-Year Legal Battle For Rs 20 Bribe: ୨୦ ଟଙ୍କାର ଲାଞ୍ଚ ପାଇଁ ୩୦ ବର୍ଷର କୋର୍ଟ ଯନ୍ତ୍ରଣା, ସୁପ୍ରିମକୋର୍ଟ ଦେଲେ ବଡ଼ ରାୟ

Aug 20, 2026 - 12:41
30-Year Legal Battle For Rs 20 Bribe: ୨୦ ଟଙ୍କାର ଲାଞ୍ଚ ପାଇଁ ୩୦ ବର୍ଷର କୋର୍ଟ ଯନ୍ତ୍ରଣା, ସୁପ୍ରିମକୋର୍ଟ ଦେଲେ ବଡ଼ ରାୟ

ମାତ୍ର ୨୦ ଟଙ୍କାର ଲାଞ୍ଚ ପାଇଁ ୩୦ ବର୍ଷର କୋର୍ଟ ଯନ୍ତ୍ରଣା। ଶେଷରେ ସୁପ୍ରିମକୋର୍ଟରେ ମାମଲାର ଫଇସଲା ହୋଇ ଶେଷ ହୋଇଛି। ସୁପ୍ରିମକୋର୍ଟ ଲାଞ୍ଚ ନେଇଥିବା ବ୍ୟକ୍ତିଙ୍କୁ ନିଦ୍ଦୋର୍ଷରେ ଖଲାସ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, କେବଳ ୨୦ ଟଙ୍କା ତାଙ୍କ ପାଖରୁ ମିଳିଥିଲା ବୋଲି ବିନା ପ୍ରମାଣରେ ଦୋଷୀ ସାବ୍ୟସ୍ତ କରିହେବ ନାହିଁ। ଏଥିପାଇଁ ପ୍ରମାଣ ଦରକାର। ଜଷ୍ଟିସ୍ ଉଜଳ ଭୂୟାଁ ଓ ଅତୁଲ ଏସ ଚନ୍ଦୂରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। 

ଏହ ଘଟଣା ୧୯୯୬ ମସିହା ଫେବୃଆରୀ ମାସର ଗୁଜରାଟର। ଶିକ୍ଷାଗତ ଛାଡ଼ ପାଇଁ ଜଣେ ଛାତ୍ର ଇନକମ୍ ସାର୍ଟିଫିକେଟ୍ ବାହାର କରିବାକୁ ଆନନ୍ଦ ଜିଲ୍ଲାର ବେଚାରୀ ଗ୍ରାମପଞ୍ଚାୟତକୁ ଯାଇଥିଲେ। କିନ୍ତୁ ସେଠାରେ କ୍ଲର୍କ ଜଣକ ତାଙ୍କୁ ସାର୍ଟିଫିକେଟ୍ ପାଇଁ ୧୨୦ ଟଙ୍କା ଲାଞ୍ଚ ମାଗିଥିଲେ। ୧୦୦ ଟଙ୍କା ନିଜ ପାଇଁ ଓ ୨୦ ଟଙ୍କା ପିଅନଙ୍କ ପାଇଁ। 

ଏହା ପରେ ଛାତ୍ରଜଣକ ଦିର୍ନୀତି ନିବାରଣ ବ୍ୟୁରୋ (ଏସିବି)ରେ ଅଭିଯୋଗ କରିଥିଲେ। ଛାତ୍ର ଜଣକ ଆୟ ପ୍ରମାଣପତ୍ର ପାଇବା ପରେ ପିଅନଙ୍କୁ ୨୦ ଟଙ୍କା ଦେଇଥିଲେ। ଏସିବି ପକ୍ଷରୁ ସେମାନଙ୍କ ଉପରେ ଚଢାଉ କରାଯିବା ପରେ ପିଅନଙ୍କ ନିକଟରୁ ଛାତ୍ର ଜଣକ ଦେଇଥିବା ୨୦ ଟଙ୍କା ମିଳିଥିଲା। କିନ୍ତୁ କ୍ଲର୍କଙ୍କ ପାଖରୁ ୧୦୦ ଟଙ୍କା ମିଳିନଥିଲା। 

ମାମଲାର ଶୁଣାଣି ସମୟରେ ଟ୍ରାଏଲ୍ କୋର୍ଟ ଦୁଇ କର୍ମଚାରୀଙ୍କୁ ଦୁର୍ନୀତି ନିରୋଧ ଆଇନ ଅଧୀନରେ ଦୋଷୀ ସାବ୍ୟସ୍ତ କରିଥିଲେ। ପରେ ଗୁଜରାଟ ହାଇକୋର୍ଟ ମଧ୍ୟ ଟ୍ରାଏଲ୍ କୋର୍ଟର ରାୟକୁ ବଜାୟ ରଖିଥିଲେ। ଏହାପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଛାତ୍ର ଜଣକ ଜେରା ସମୟରେ ପିଅନ ତାଙ୍କୁ ନିଜେ କୌଣସି ଟଙ୍କା ଦାବି କରିନଥିବା କଥା ସ୍ୱୀକାର କରିଥିଲେ। ଏପରିକି ତାଙ୍କ ବୟାନରେ ମଧ୍ୟ ତାଳମେଳ ରହୁନଥିଲା। ମାମଲା ଏପରି ବର୍ଷ ବର୍ଷ ଧରି ଦୌଡ଼ୁଥିବା ବେଳେ ପ୍ରାୟ ତିନି ଦଶନ୍ଧି ପରେ ଏବେ ଶୀର୍ଷ ଅଦାଲତ ଦୁଇ କର୍ମଚାରୀଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।