7 Family Deaths: ଆସିଲା କାଳ! ଉଜୁଡିଗଲା ପୂରା ପରିବାର, ବଞ୍ଚିଗଲେ କେବଳ ଝିଅ

Sep 22, 2026 - 09:51
7 Family Deaths: ଆସିଲା କାଳ! ଉଜୁଡିଗଲା ପୂରା ପରିବାର, ବଞ୍ଚିଗଲେ କେବଳ ଝିଅ

ମଧ୍ୟପ୍ରଦେଶରେ ଘଟିଥିବା ଦୁର୍ଘଟଣାରେ ଭୁବନେଶ୍ବର ଜୟଦେବ ବିହାରର ବେହେରା ଢାବା ମାଲିକ ବନମାଳି ବେହେରାଙ୍କ ପରିବାରର ୭ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଏକମାତ୍ର ପୁଅ, ୨ ଝିଅ, ଜ୍ବାଇଁଙ୍କ ସହ ୩ ନାତି ନାତୁଣୀଙ୍କୁ ହରାଇ ପାଗଳପ୍ରାୟ ହୋଇଯାଇଛନ୍ତି ବନା । ରବିବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶରୁ ସମସ୍ତ ମୃତଦେହ ପହଞ୍ଚିବା ପରେ ପୁରୀ ସ୍ବର୍ଗଦ୍ବାର ନିଆଯାଇ ଶେଷକୃତ୍ୟ କରାଯାଇଛି । ପୁଅ ଶିବ, ମଝିଆ ଝିଅ ରୀତା, ଜ୍ବାଇଁ ଜ୍ଞାନେନ୍ଦ୍ର, ସାନ ଝିଅ ରାଧା, ରୀତାଙ୍କ ଝିଅ ସାଇ ସାତ୍ତ୍ବିକ, ଶିବଙ୍କ ଝିଅ ସାଇରା ଓ ପୁଅ କ୍ରିଷ୍ଣାଙ୍କ ଦୁଃଖଦ ମୃତ୍ୟୁ ଘଟିଛି ।

ଜୟଦେବ ବିହାର ଆତ୍ମାରାମ ବସ୍ତିର ବନା ବେହେରାଙ୍କ ୩ ଝିଅ ଏବଂ ଗୋଟିଏ ପୁଅ । ୨ ଝିଅ ଏବଂ ପୁଅ ବୁଲିବାକୁ ଯାଇ ପ୍ରାଣ ହରାଇଥିବା ବେଳେ ଏବେ ଏକା ରହିଯାଇଛନ୍ତି ବଡ଼ ଝିଅ । ବାହାଘର ପାଇଁ ମାନସିକ ରଖିଥିଲେ ସାନ ଝିଅ ରାଧା । ମାନସିକ ପୂରଣ ହୋଇଥିଲା ଏବଂ ଆସନ୍ତା ୨୭ ତାରିଖରେ ରାଧାଙ୍କ ନିର୍ବନ୍ଧ ସ୍ଥିର ହୋଇଥିଲା । ନିର୍ବନ୍ଧ ପୂର୍ବରୁ ମାନସିକ ପୂରଣ ପାଇଁ ଉଜ୍ଜୟିନୀ ମହାକାଳଙ୍କ ଦର୍ଶନ ପାଇଁ ଭାଇ ଓ ଭଉଣୀଙ୍କ ସହ ଯାଇଥିଲେ ରାଧା । କୌଣସି କାମ ପାଇଁ ବଡ଼ ଭଉଣୀ ଚିନ୍ମୟୀ ଯାଇପାରି ନଥିବାରୁ ତାକୁ ନିର୍ବନ୍ଧ ପାଇଁ ସବୁ ପ୍ରସ୍ତୁତି କରିବାକୁ କହି ଯାଇଥିଲେ ରାଧା । ଆଜି ସେଇ କଥାକୁ ମନେ ପକାଇ ଗୁମୁରି କାନ୍ଦୁଛନ୍ତି ରାଧାଙ୍କ ବଡ଼ ଭଉଣୀ ତଥା ବନା ବେହେରାଙ୍କ ବଡ଼ ଝିଅ ଚିନ୍ମୟୀ। 
  
୭ ଜଣଙ୍କ ମୃତ୍ୟୁ ପରେ ବନାଙ୍କ ବଡ଼ ଝିଅ ଚିନ୍ମୟୀ ଏବଂ ତାଙ୍କ ପରିବାର ସହ ପୁଅ ଶିବଙ୍କ ବଡ଼ ଝିଅ ହିଁ କେବଳ ରହିଯାଇଛନ୍ତି । ପରିବାରର ୭ ଜଣଙ୍କୁ ହରାଇ ବନା ଏବଂ ତାଙ୍କ ପତ୍ନୀ ମ୍ରିୟମାଣ ହୋଇପଡ଼ିଥିବା ବେଳେ ଏବେ ସେମାନଙ୍କ ଏକା ସାହାଭରସା ରହିଯାଇଛନ୍ତି ଏଇ ବଡ଼ ଝିଅର ପରିବାର ଓ ବଡ଼ ନାତୁଣୀ । ପରିବାରର ସମସ୍ତଙ୍କୁ ହରାଇ ବାପା ବୋଉ ଏବେ କେମିତି ରହିବେ ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଚିନ୍ମୟୀ। ଭାଇ ଭଉଣୀ ତାଙ୍କୁ ଏକୁଟିଆ କରି ଛାଡ଼ି ଚାଲିଗଲେ ବୋଲି କାନ୍ଦି କାନ୍ଦି କହିଛନ୍ତି ବନାଙ୍କ ବଡ଼ ଝିଅ । 

ଦିନ କେଇଟା ପରେ ରାଧାଙ୍କ ନିର୍ବନ୍ଧ ଓ ପରେ ପରେ ବାହାଘର ହୋଇଥାନ୍ତା । ହସଖୁସିରେ ନାଚିଥାନ୍ତା ବନାଙ୍କ ପରିବାର । ହେଲେ ନିୟତିର ନିଷ୍ଠୁର ଆଘାତ ଏବେ ବନାଙ୍କ ସବୁ ଖୁସି ଉଜାଡ଼ି ଦେଇଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।