71st State Police: ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍ଯାପିତ: ‘ଅପରାଧୀଙ୍କ ମନରେ ପୁଲିସ ପ୍ରତି ଭୟ ରହୁ’
କଟକ: କଟକ ବକ୍ସିବଜାରସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ଚାଲିଥିବା ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ସମାରୋହରେ ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି ପ୍ରତିଯୋଗିତାରେ ରାଜ୍ୟର ୩୯ଟି ପୁଲିସ ୟୁନିଟ୍ରୁ ୩୧୯ ଜଣ ପ୍ରତିଯୋଗୀ, ୪୫ ପ୍ରଶିକ୍ଷିତ କୁକୁର, ୪୫ ଜଣ ସଂଚାଳକଙ୍କ ସହ ୪୪ ଜଣ ଇନ୍ସପେକ୍ଟର, ୫୨ ଜଣ ଏସ୍ଆଇ, ୫୪ ଜଣ ଏଏସ୍ଆଇ, ୧୭ ଜଣ ହାବିଲଦାର, ୧୫୨ ଜଣ କନେଷ୍ଟବଳ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନଙ୍କୁ ନେଇ ଓଡ଼ିଶା ପୁଲିସର ଏକ ଦଳ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ।
Neglect: ଦୁଲାମରେ ପଲିଥିନ ପକାଇ ରହୁଛନ୍ତି ଡୁମର-ବୁଧାଇ
ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ ଓଡ଼ିଶା ପୁଲିସର ଏଭଳି ବୃତ୍ତିଗତ ପ୍ରତିଯୋଗିତା ପୁଲିସ କର୍ମଚାରୀଙ୍କ ଆତ୍ମବିଶ୍ୱାସ ବଢ଼ାଇବା ସହିତ ସେମାନଙ୍କ ଦକ୍ଷତାକୁ ଆହୁରି ଶାଣିତ କରିବ। ପରିଶ୍ରମକୁ ମାନ୍ୟତା ମିଳିଲେ କର୍ମଚାରୀମାନେ ଦ୍ୱିଗୁଣିତ ଉତ୍ସାହରେ କାର୍ଯ୍ୟ କରନ୍ତି। ପରିବାରଠାରୁ ଦୂରରେ ରହି ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଥିବା ପୁଲିସ କର୍ମଚାରୀଙ୍କ ସେବା, ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା ସର୍ବଦା ପ୍ରଶଂସନୀୟ। ଅପରାଧୀମାନଙ୍କ ଭିତରେ ପୁଲିସ ପ୍ରତି ଡର ସୃଷ୍ଟି ହେବାର ଆବଶ୍ୟକତା ରହିଛି। ଡର ସୃଷ୍ଟି ହେଲେ ଆମେ ଅପରାଧମୁକ୍ତ ହେବା ସହିତ ସୁରକ୍ଷିତ ଜୀବନଯାପନ କରିପାରିବା ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।
Agriculture: ଧାନଗଛରେ ରୋଗପୋକ ପାଇଁ ଚାଷୀଙ୍କ ଆଭାସୀ ପରାମର୍ଶ
ଏହି ଅବସରରେ ପୁଲିସ ଡିଜି ବିନୟତୋଷ ମିଶ୍ର କହିଥିଲେ, ପୁଲିସ ବୃତ୍ତିଗତ ପ୍ରତିଯୋଗିତା କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଏବଂ ତଦନ୍ତର ମାନ ବୃଦ୍ଧି ପାଇଁ ଏକ ଉତ୍ତମ ମଞ୍ଚ। ସାଇବର ଅପରାଧ, ନିଶାଦ୍ରବ୍ୟ ଚୋରାଚାଲାଣ, ସଂଗଠିତ ଅପରାଧ ଓ ଅନ୍ୟାନ୍ୟ ଜଟିଳ ଅପରାଧର ମୁକାବିଲା ପାଇଁ ପୁଲିସକୁ ଆଧୁନିକ ଜ୍ଞାନକୌଶଳ ଓ ବୈଜ୍ଞାନିକ ତଦନ୍ତ ପଦ୍ଧତିରେ ଅଧିକ ଦକ୍ଷ ହେବାକୁ ପଡ଼ିବ। ମହିଳା ଓ ଶିଶୁଙ୍କ ସମ୍ପର୍କିତ ସମ୍ବେଦନଶୀଳ ମାମଲା, ବିଶେଷକରି ପୋକ୍ସୋ ମାମଲାରେ ଉନ୍ନତ ତଦନ୍ତ ପଦ୍ଧତି ଓ ପେଶାଗତ ଦକ୍ଷତାର ଗୁରୁତ୍ୱ ରହିଛି। ଆଗାମୀ ଦିନରେ ନୂତନ ପ୍ରଶିକ୍ଷଣ ମଡ୍ୟୁଲ୍ ପ୍ରସ୍ତୁତ କରି ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି ଡିଜିପି କହିଥିଲେ। ଆଇଜିପି (କ୍ରାଇମବ୍ରାଞ୍ଚ) ଡକ୍ଟର ସାର୍ଥକ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।