18 SEPTEMBER 2026

Welcome!

Unlock your personalized experience.
Sign Up

AFC Champions League 2: ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍‌-୨: ଇଷ୍ଟବେଙ୍ଗଲକୁ ଐତିହାସିକ ପଏଣ୍ଟ

Sep 18, 2026 - 11:09
AFC Champions League 2: ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍‌-୨: ଇଷ୍ଟବେଙ୍ଗଲକୁ ଐତିହାସିକ ପଏଣ୍ଟ

ଅମାନ: ଏସିଆର ଦ୍ବିତୀୟ ସ୍ତରୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତା ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍‌ (ଏସିଏଲ୍‌)ରେ ଇଷ୍ଟ ବେଙ୍ଗଲ ଏଫ୍‌ସି ଐତିହାସିକ ପଏଣ୍ଟ୍‌ ଅର୍ଜନ କରିଛି। ଗ୍ରୁପ୍‌-ଡି’ରେ ନିଜର ପ୍ରଥମ ମ୍ୟାଚ୍‌କୁ ଇଷ୍ଟବେଙ୍ଗଲ ଅମୀମାଂସିତ ରଖି ୧ ପଏଣ୍ଟ୍‌ ପାଇଛି। ଜୋର୍ଡାନ୍‌ ପ୍ରୋ ଲିଗ୍‌ ବିଜେତା ଅଲ୍‌ ହୁସେନ୍‌ ଏସ୍‌ସି ବିପକ୍ଷ ଏହି ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ଆଇଏସ୍‌ଏଲ୍‌ ବିଜେତା ଇଷ୍ଟବେଙ୍ଗଲ ଚମତ୍କାର ଖେଳି ୨ ଗୋଲ୍‌ରେ ଆଗରେ ରହିଥିଲା। ଏହି ଦୁଇ ଗୋଲ୍‌ ଦଳ ପକ୍ଷରୁ ଡାନିଏଲ୍‌ ରାମିରେଜ (୯ ମିନିଟ୍‌) ଓ ଅନୱାର ଅଲୀ (୪୦ ମିନିଟ୍‌) ଦେଇଥିଲେ। ହେଲେ ଦ୍ବିତୀୟାର୍ଦ୍ଧରେ ଇଷ୍ଟ ବେଙ୍ଗଲ ଧିମା ପଡ଼ି ଯାଇଥିଲା।

ଅନ୍ୟପକ୍ଷରେ ନିଜ ଘରୋଇ ପଡ଼ିଆ ଅମାନ ଇଣ୍ଟରନ୍ୟାସ୍‌ନାଲ୍‌ ଷ୍ଟାଡିୟମ୍‌ରେ ଖେଳୁଥିବା ଅଲ୍‌ ହୁସେନ୍‌ ଏଫ୍‌ସି ସଫଳ ପ୍ରତ୍ୟାବର୍ତ୍ତନ କରି ୨ ଗୋଲ୍‌ ଲଦି  ମ୍ୟାଚ୍‌ ଅମୀମାଂସିତ ରଖିଥିଲା। ଏହି ଦୁଇ ଗୋଲ୍‌ ଘରୋଇ ଦଳ ପକ୍ଷରୁ ମହମ୍ମଦ ଅଲ୍‌ ମାର୍ଡି (୬୧ ମିନିଟ୍‌) ଓ ଅହମ୍ମଦ ଆସାଫ୍‌ (୮୭ ମିନିଟ୍‌) କରିଥିଲେ। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ରହିଥିଲେ। ଏଥିସହ ୨୦୨୪-୨୫ରେ ଏସିଏଲ୍‌ ନୂଆ ଜୀବନ ପାଇବା ପରେ ପ୍ରଥମ ଭାରତୀୟ ଦଳ ଭାବେ ଇଷ୍ଟ ବେଙ୍ଗଲ ପ୍ରଥମ ପଏଣ୍ଟ ଅର୍ଜନ କରିବାର ଗୌରବ ପାଇଥିଲା। ଇଷ୍ଟ ବେଙ୍ଗଲ ନିଜର ପରବର୍ତ୍ତୀ ମ୍ୟାଚ୍‌ କୋଲକାତାର ବିବେକାନନ୍ଦ ଯୁବ ଭାରତୀୟ କ୍ରୀଡ଼ାଙ୍ଗନଠାରେ ଅକ୍ଟୋବର ୧୩ ତାରିଖରେ ଇରାକ୍‌ର ଅଲ୍‌ ସୋର୍ତା ଏସ୍‌ସି ବିପକ୍ଷରେ ଖେଳିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।