AI Phuket-Delhi Plane Had No Flight Controls: ମଝି ଆକାଶରେ ଝୁଲିଲା ବିମାନ, ପାଇଲଟ ଟାଣିଥିଲେ ଗଞ୍ଜେଇ
ଏୟାର ଇଣ୍ଡିଆର ଫୁକେଟ୍-ଦିଲ୍ଲୀ ବିମାନରେ ଘଟିଥିବା ଗୁରୁତର ଘଟଣାକୁ ନେଇ ପ୍ରାଥମିକ ତଦନ୍ତରୁ ଚମକାଇଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଅଗଷ୍ଟ ୪ରେ ଫୁକେଟ୍ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର AI2379 ବିମାନ ହଠାତ୍ ପ୍ରାୟ ୩୦୦ ଫୁଟ୍ ତଳକୁ ଖସି ଆସିଥିଲା। ତଦନ୍ତରେ ଜଣାପଡ଼ିଛି ଯେ, ପ୍ରାୟ ୪ ସେକେଣ୍ଡ ପାଇଁ ବିମାନ ନିୟନ୍ତ୍ରଣ ହରାଇଥିଲା।
ଏୟାରବସ୍ ପକ୍ଷରୁ ବିମାନର ଡିଜିଟାଲ ଫ୍ଲାଇଟ୍ ଡାଟା ରେକର୍ଡର (DFDR)ର ପ୍ରାରମ୍ଭିକ ତଥ୍ୟ ଅନୁସାରେ ବିମାନର ତିନୋଟି ହାଇଡ୍ରୋଲିକ୍ ସିଷ୍ଟମ୍ରେ ଏକାସାଙ୍ଗରେ ଚାପ ହ୍ରାସ ଘଟିଥିଲା। ଫଳରେ ବିମାନର ଉଚ୍ଚତା ଓ ଦିଗ ନିୟନ୍ତ୍ରଣ ପ୍ରାୟ ୪ ସେକେଣ୍ଡ ପାଇଁ ସାଧାରଣ ଭାବେ କାମ କରିନଥିଲା।
ଘଟଣା ସମୟରେ ବିମାନର ଅଟୋପାଇଲଟ ମଧ୍ୟ ଡିସକନେକ୍ଟ ହୋଇଯାଇଥିଲା। କକପିଟ୍ରେ ଷ୍ଟଲ ୱାର୍ଣ୍ଣିଂ ଆସିବା ପରେ ବିମାନ ଚଳାଉଥିବା କୋ-ପାଇଲଟ ନାକକୁ ତଳକୁ ନେବା ପାଇଁ ସାଇଡ ଷ୍ଟିକ୍ ଦ୍ୱାରା ଇନପୁଟ ଦେଇଥିଲେ। କିନ୍ତୁ ସେତେବେଳେ ହାଇଡ୍ରୋଲିକ୍ ଚାପ ଉପଲବ୍ଧ ନଥିବାରୁ ତାଙ୍କ ଇନପୁଟର ତୁରନ୍ତ ପ୍ରଭାବ ପଡ଼ିନଥିଲା। କିଛି ସେକେଣ୍ଡ ପରେ ହାଇଡ୍ରୋଲିକ୍ ସିଷ୍ଟମ୍ଗୁଡ଼ିକ ପୁଣି କାର୍ଯ୍ୟକ୍ଷମ ହେବା ପରେ ଫ୍ଲାଇଟ୍ କଣ୍ଟ୍ରୋଲ୍ ଫେରିଥିଲା।
ଏହି ଘଟଣାରେ ବିମାନରେ ଥିବା ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୨୪ ଜଣ ଆହତ ହୋଇଥିବା ରିପୋର୍ଟ ହୋଇଛି। ତେବେ ବିମାନଟି ପରେ ଦିଲ୍ଲୀରେ ସୁରକ୍ଷିତ ଭାବେ ଅବତରଣ କରିଥିଲା।
ତେବେ ତିନୋଟି ସ୍ୱତନ୍ତ୍ର ହାଇଡ୍ରୋଲିକ୍ ସିଷ୍ଟମ୍ରେ ଏକାସାଙ୍ଗରେ ଚାପ କାହିଁକି କମିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏୟାରବସ୍ ଏନେଇ ବିମାନର ଅଧିକ ଯାଞ୍ଚ ଏବଂ ରକ୍ଷଣାବେକ୍ଷଣ ସମ୍ପର୍କିତ ତଥ୍ୟ ଚାହିଁଛି। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (AAIB) ଘଟଣାର ତଦନ୍ତ କରୁଛି। ଏୟାରବସ୍ ଓ ଫ୍ରାନ୍ସର BEA ମଧ୍ୟ ତଦନ୍ତରେ ସହଯୋଗ କରୁଛନ୍ତି।
ଅନ୍ୟପଟେ ବିମାନର ଉଭୟ ପାଇଲଟଙ୍କୁ ବହିଷ୍କାର କରାଯାଇଛି। ପାଇଲଟ ଗଞ୍ଜେଇ ଟାଣିଥିବା ମଧ୍ୟ ଜଣାପଡ଼ିଥିଲା। ଯାହା ପରେ ଏୟାର ଇଣ୍ଡିଆର ସବୁ ପାଇଲଟ ମାନଙ୍କର ଡୋପ ଟେଷ୍ଟ ପାଇଁ ନିର୍ଦ୍ଦେଶ ଆସିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।