Allegation: ଜେଲ୍ରେ ମାରିଦେଲେ ସ୍ୱାମୀଙ୍କୁ! ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ; ସ୍ତ୍ରୀଙ୍କ ଗୁରୁତର ଅଭିଯୋଗ
"ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସବ୍ଜେଲ୍ରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ମୃତକ ହେଉଛନ୍ତି ରାୟଗଡ଼ ଥାନା ଅନ୍ତର୍ଗତ ଜିରାଙ୍ଗ ତାଙ୍କଲାସାହିର ରୁନା ବଡ଼ରଇତ।
ପୋକ୍ସୋ ମାମଲାରେ ଗତ ଅଗଷ୍ଟ ୧୦ ତାରିଖରୁ ସେ ଜେଲ୍ରେ ବିଚାରାଧୀନ କଏଦୀ ଭାବେ ରହୁଥିଲେ।
ତାଙ୍କ ମୃତ୍ୟୁକୁ ନେଇ ସ୍ତ୍ରୀ ଗୁରୁତର ଅଭିଯୋଗ ଆଣି ନିରପେକ୍ଷ ତଦନ୍ତ ଓ ନ୍ୟାୟ ଦାବି କରିଛନ୍ତି।
Advertisment ମୃତ୍ୟୁକୁ ନେଇ ପରିବାରର ସନ୍ଦେହ ବଢ଼ିଛି ପରିବାରବର୍ଗଙ୍କ କହିବାନୁଯାୟୀ, ଗତକାଲି ସନ୍ଧ୍ୟାରେ ରୁନା ସ୍ତ୍ରୀଙ୍କ ସହ ଫୋନ୍ରେ କଥା ହୋଇଥିଲେ।
ସେତେବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସ୍ତ୍ରୀ କହିଛନ୍ତି।
ତେବେ ରାତି ପ୍ରାୟ ୧ଟାରେ ହଠାତ୍ ଫୋନ୍ ଆସି ରୁନାଙ୍କ ଦେହ ଅସୁସ୍ଥ ଥିବା ଏବଂ ଡାକ୍ତରଖାନା ଆସିବାକୁ କୁହାଯାଇଥିଲା।
ନିଜେ ଅସୁସ୍ଥ ଥିବା ଓ ଛୋଟ ପିଲା ଜ୍ୱରରେ ପୀଡ଼ିତ ଥିବାରୁ ସକାଳେ ଆସିବାକୁ କହିଥିଲେ ମଧ୍ୟ ତୁରନ୍ତ ଆସିବାକୁ କୁହାଯାଇଥିବା ସେ ଅଭିଯୋଗ କରିଛନ୍ତି।
ସକାଳେ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ବେଳକୁ ରୁନାଙ୍କ ମୃତ୍ୟୁ ହୋଇସାରିଥିଲା।
ଏହାପରେ ମୃତ୍ୟୁକୁ ନେଇ ପରିବାରର ସନ୍ଦେହ ବଢ଼ିଛି।
ଭାବବିହ୍ବଳ ହୋଇ ରୁନାଙ୍କ ସ୍ତ୍ରୀ କହିଛନ୍ତି, ମୋ ସ୍ୱାମୀ ସମ୍ପୂର୍ଣ୍ଣ ଭଲ ଥିଲେ।
ତାଙ୍କୁ ଜେଲ୍ରେ ମାରି ଦିଆଯାଇଛି।
ଘଟଣାର ନିରପେକ୍ଷ ତଦନ୍ତ କରି ପରିବାରକୁ ନ୍ୟାୟ ଦେବାକୁ ସେ ଦାବି କରିଛନ୍ତି।
ଅନ୍ୟପକ୍ଷରେ, ଜେଲ୍ର କାମାକ୍ଷୀ ପତିଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟା ୩୦ରେ ରୁନାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଥିଲା।
ଜେଲ୍ ଫାର୍ମାସିଷ୍ଟ ତାଙ୍କୁ ପ୍ରାଥମିକ ଚିକିତ୍ସା ଓ ଔଷଧ ଦେଇଥିଲେ।
ମଧ୍ୟରାତି ପ୍ରାୟ ୧୨ଟା ୨୫ରେ ସ୍ୱାସ୍ଥ୍ୟାବସ୍ଥା ପୁନର୍ବାର ବିଗିଡ଼ିବାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାକୁ ନେଇ ପୁଲିସ ଏକ ଅପମୃତ୍ୟୁ (UD) ମାମଲା ରୁଜୁ କରିଛି।
ଜେଲ୍ରେ ମୃତ୍ୟୁ ଘଟିଥିବାରୁ NHRC ମାର୍ଗଦର୍ଶିକା ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ଆଦର୍ଶ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ଶବ ବ୍ୟବଚ୍ଛେଦ ସହ ଜେଲ୍ ଇନକ୍ୱାରୀ ମଧ୍ୟ କରାଯାଉଛି।
ପୋଷ୍ଟମର୍ଟମ୍ ରିପୋର୍ଟ ଓ ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।
Accident: ଦ୍ରୁତ ଗତି ହେଲା କାଳ, ଅଳ୍ପକେ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।