America Boosts Military Presence in Middle East: ମଧ୍ୟପ୍ରାଚ୍ୟରେ ଆମେରିକାର ବଡ଼ ପ୍ରସ୍ତୁତି, ୧୦ ହଜାର ସୈନ୍ୟ ପଠାଇଲେ ଟ୍ରମ୍ପ

Oct 02, 2026 - 18:48
America Boosts Military Presence in Middle East: ମଧ୍ୟପ୍ରାଚ୍ୟରେ ଆମେରିକାର ବଡ଼ ପ୍ରସ୍ତୁତି, ୧୦ ହଜାର ସୈନ୍ୟ ପଠାଇଲେ ଟ୍ରମ୍ପ

ମଧ୍ୟପ୍ରାଚ୍ୟରେ ଆମେରିକାର ପୁଣି ବଡ଼ ସାମରିକ ପ୍ରସ୍ତୁତି। ଇରାନକୁ ନେଇ ଉତ୍ତେଜନା ମଧ୍ୟରେ ଆଉ ଗୋଟିଏ ବିମାନବାହୀ ଯୁଦ୍ଧଜାହାଜ ସହ ପ୍ରାୟ ୯ରୁ ୧୦ ହଜାର ଅତିରିକ୍ତ ସୈନ୍ୟଙ୍କୁ ମଧ୍ୟପ୍ରାଚ୍ୟକୁ ପଠାଉଛି ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ନୂଆ ଆକ୍ରମଣର ସମ୍ଭାବନା ନେଇ ଚେତାବନୀ ଦେବା ପରେ ଆମେରିକାର ଏହି ସାମରିକ ପ୍ରସ୍ତୁତି ସାମ୍ନାକୁ ଆସିଛି।

ନଭେମ୍ବର ଶେଷ ସୁଦ୍ଧା ୟୁଏସ୍‌ଏସ୍‌ ଥିଓଡୋର ରୁଜଭେଲ୍ଟ ଓ ଏହା ସହ ଥିବା ଯୁଦ୍ଧଜାହାଜଗୁଡ଼ିକ ମଧ୍ୟପ୍ରାଚ୍ୟରେ ପହଞ୍ଚିବେ। ବର୍ତ୍ତମାନ ଏହି ଅଞ୍ଚଳରେ ୟୁଏସ୍‌ଏସ୍‌ ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ୍‌ ଏବଂ ୟୁଏସ୍‌ଏସ୍‌ ଜର୍ଜ ୱାଶିଂଟନ୍‌ ବିମାନବାହୀ ଯୁଦ୍ଧଜାହାଜ ମୁତୟନ ଅଛି। ନୂଆ ମୁତୟନ ପରେ ମଧ୍ୟପ୍ରାଚ୍ୟରେ ଆମେରିକାର ୨୦ ହଜାରରୁ ଅଧିକ ନାବିକ ଓ ସାମୁଦ୍ରିକ ସୈନ୍ୟଙ୍କ ସହ ଶତାଧିକ ବିମାନ ରହିବ।

ଅନ୍ୟପଟେ, ଇରାନର ଶାନ୍ତି ପ୍ରସ୍ତାବକୁ ଟ୍ରମ୍ପ ଖାରଜ କରିଛନ୍ତି। ଇରାନ ପକ୍ଷରୁ କୁହାଯାଇଥିଲା ଯେ କାତାରର ମଧ୍ୟସ୍ଥଙ୍କ ଜରିଆରେ ଆମେରିକାକୁ ଏହି ପ୍ରସ୍ତାବ ପଠାଯାଇଛି। କିନ୍ତୁ ଟ୍ରମ୍ପ ଏହାକୁ ଗ୍ରହଣ କରିନାହାନ୍ତି।

ଏହା ସହିତ ଏକ ଫ୍ଲାଇଦୁବାଇ ବିମାନ ଘଟଣାରେ ଇରାନର ସମ୍ଭାବ୍ୟ ସମ୍ପୃକ୍ତି ନେଇ ମଧ୍ୟ ଟ୍ରମ୍ପ ଦାବି କରିଛନ୍ତି। ବିମାନର ସହ-ପାଇଲଟ୍ କ୍ୟାପଟେନ୍‌ଙ୍କୁ ଛୁରିରେ ଆକ୍ରମଣ କରି ବିମାନକୁ ଖସାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ରହିଛି। ଏଥିରେ ଇରାନର ଭୂମିକା ପ୍ରମାଣିତ ହେଲେ କଠୋର ପ୍ରତିକ୍ରିୟା ଦିଆଯିବ ବୋଲି ଟ୍ରମ୍ପ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।