Amla Health Benefits: ଅଁଳା ନେଇ ବଢ଼ିଲା ଚର୍ଚ୍ଚା, ‘ମନ୍ କୀ ବାତ୍’ରେ ମୋଦୀଙ୍କ ବାର୍ତ୍ତା; ଜାଣନ୍ତୁ ଏହି ଫଳର ଫାଇଦା
ସ୍ୱାଦରେ ଖଟା, କିନ୍ତୁ ଗୁଣରେ ଭରପୂର। ଅଁଳା କେବଳ ଏକ ସାଧାରଣ ଫଳ ନୁହେଁ, ଏଥିରେ ଭିଟାମିନ୍ C, ଫାଇବର୍ ସମେତ ଅନେକ ଜରୁରୀ ପୋଷକତତ୍ତ୍ୱ ରହିଛି। ଦୀର୍ଘଦିନ ଧରି ଭାରତୀୟ ଖାଦ୍ୟ ଓ ଜୀବନଶୈଳୀରେ ଅଁଳାର ବ୍ୟବହାର ହୋଇଆସୁଛି। ଏବେ ଅଁଳାକୁ ନେଇ ଚର୍ଚ୍ଚା ବଢ଼ିଛି, କାରଣ ‘ମନ୍ କୀ ବାତ୍’ରେ ମଧ୍ୟ ଏହା ଉପରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
‘ମନ୍ କୀ ବାତ୍’ର ୧୩୮ତମ ଏପିସୋଡ୍ରେ ପିଏମ୍ ମୋଦୀ ଉତ୍ତରପ୍ରଦେଶର ପ୍ରତାପଗଡ଼ର ଅଁଳା ଚାଷ ଓ ଏହା ସହ ଜଡ଼ିତ କାର୍ଯ୍ୟ ବିଷୟରେ କହିଥିଲେ। ପ୍ରତାପଗଡ଼ରେ ଅଁଳାରୁ କ୍ୟାଣ୍ଡି, ଜୁସ୍, ଆଚାର ସମେତ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ ହେଉଛି। ଏହା ଦ୍ୱାରା ଚାଷୀ ଓ ମହିଳାମାନଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ମଧ୍ୟ ସୃଷ୍ଟି ହେଉଛି।
ତେବେ ଅଁଳାକୁ ସ୍ୱାସ୍ଥ୍ୟ ପାଇଁ ଏତେ ଗୁରୁତ୍ୱ ଦିଆଯାଏ କାହିଁକି? ଜାଣନ୍ତୁ ଅଁଳା ଖାଇବାର ଫାଇଦା...
ଭିଟାମିନ୍ Cର ଭଲ ଉତ୍ସ ଅଁଳା
ଅଁଳାରେ ଭିଟାମିନ୍ C ରହିଛି। ଏହା ଶରୀର ପାଇଁ ଏକ ଜରୁରୀ ପୋଷକତତ୍ତ୍ୱ ଏବଂ ସାଧାରଣ ରୋଗପ୍ରତିରୋଧକ କ୍ଷମତାକୁ ସମର୍ଥନ କରେ। ଭିଟାମିନ୍ C ଶରୀରରେ ଆଣ୍ଟିଅକ୍ସିଡାଣ୍ଟ ଭାବେ କାମ କରିବା ସହ କୋଲାଜେନ୍ ତିଆରିରେ ମଧ୍ୟ ସହାୟତା କରେ।
ପାଚନ ପାଇଁ ଉପକାରୀ
ଅଁଳାରେ ଫାଇବର୍ ମଧ୍ୟ ରହିଛି। ପର୍ଯ୍ୟାପ୍ତ ଫାଇବର୍ ଖାଇବା ମଳତ୍ୟାଗକୁ ସ୍ୱାଭାବିକ ରଖିବାରେ ସହାୟତା କରେ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ରକ୍ଷା କରିବାରେ ମଧ୍ୟ ସହାୟକ ହୋଇପାରେ।
ତ୍ୱଚା ପାଇଁ ମଧ୍ୟ ଲାଭଦାୟକ
ଅଁଳାରେ ଥିବା ଭିଟାମିନ୍ C ଶରୀରରେ କୋଲାଜେନ୍ ତିଆରିରେ ସହାୟତା କରେ। କୋଲାଜେନ୍ ତ୍ୱଚାକୁ ସୁସ୍ଥ ରଖିବାରେ ଭୂମିକା ନିଭାଏ। ଏହି କାରଣରୁ ଅଁଳା ତ୍ୱଚାର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ।
କେଶ ପାଇଁ କାହିଁକି ଉପକାରୀ ବୋଲି ମନେ କରାଯାଏ?
କେଶର ଯତ୍ନ ପାଇଁ ଦୀର୍ଘଦିନ ଧରି ଅଁଳା ବ୍ୟବହାର ହୋଇଆସୁଛି। ଏଥିରେ ଭିଟାମିନ୍ C ସମେତ ବିଭିନ୍ନ ପୋଷକତତ୍ତ୍ୱ ରହିଛି। ଭିଟାମିନ୍ C କୋଲାଜେନ୍ ତିଆରିରେ ସହାୟତା କରେ।
ତେବେ ଅଁଳା ଖାଇଲେ କେଶ ଝଡ଼ିବା ବନ୍ଦ ହୋଇଯିବ କିମ୍ବା ନୂଆ କେଶ ଉଠିବ, ଏଭଳି ନିଶ୍ଚିତ ଭାବେ କୁହାଯାଇପାରିବ ନାହିଁ। ଲଗାତାର କେଶ ଝଡ଼ୁଥିଲେ ଏହାର ପଛରେ ପୋଷଣର ଅଭାବ, ଚାପ କିମ୍ବା ଅନ୍ୟ କାରଣ ଥାଇପାରେ। ତେଣୁ ପ୍ରକୃତ କାରଣ ଜାଣିବା ଜରୁରୀ।
କଞ୍ଚା ଅଁଳା ନା ଜୁସ୍, କିପରି ଖାଇବେ?
ଅଁଳାକୁ କଞ୍ଚା, ଆଚାର, ଚଟଣି, କିମ୍ବା ଜୁସ୍ କରି ଖାଇ ହେବ। ତେବେ ଅଁଳାକୁ କେଉଁ ରୂପରେ ଖାଉଛନ୍ତି, ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।
ଅଁଳା ନିଶ୍ଚିତ ଭାବେ ଏକ ପୋଷକତତ୍ତ୍ୱଯୁକ୍ତ ଫଳ। କିନ୍ତୁ ଏହାକୁ କୌଣସି ରୋଗର ଔଷଧ ବୋଲି ଭାବିବା ଉଚିତ ନୁହେଁ। ସନ୍ତୁଳିତ ଖାଦ୍ୟର ଅଂଶ ଭାବେ ଉପଯୁକ୍ତ ପରିମାଣରେ ଅଁଳା ଖାଇବା ଭଲ। ତା ସହିତ ଖାଦ୍ୟ ଶୈଳୀରେ କିଛି ପରିବର୍ତ୍ତନ କରିବା ପୂର୍ବରୁ ଡାକ୍ତଙ୍କ ପରାମର୍ଶ ନେବା ଉଚିତ୍।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।