Amravati NICU Fire Accident: ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ଭେଣ୍ଟିଲେଟରରେ ଜଳିଗଲେ ୩ ନବଜାତ
ଆଜି ଭୋର ପ୍ରାୟ ସକାଳ ୩ଟା ୩୦ ମିନିଟ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୩ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୬ ଜଣ ଶିଶୁ ଆହତ ହୋଇଛନ୍ତି। ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ହସ୍ପିଟାଲର ତୃତୀୟ ମହଲାରେ ଥିବା NICU ରେ ହଠାତ୍ ନିଆଁ ଲାଗିଯାଇଥିଲା।
ଭେଣ୍ଟିଲେଟରରେ ବିସ୍ଫୋରଣ ପରେ ଲାଗିଥିଲା ନିଆଁ!
ପ୍ରାଥମିକ ସୂଚନା ଅନୁସାରେ, NICUରେ ଥିବା ଏକ ଭେଣ୍ଟିଲେଟରରେ ବିସ୍ଫୋରଣ ହେବା ପରେ ନିଆଁ ଲାଗିଥିବା ଜଣାପଡ଼ିଛି। ମାତ୍ର କିଛି ସମୟ ମଧ୍ୟରେ ନିଆଁ ଓ ଧୂଆଁ ୱାର୍ଡରେ ବ୍ୟାପି ଯାଇଥିଲା। ସେତେବେଳେ NICUରେ ପ୍ରାୟ ୩୯ ଜଣ ନବଜାତ ଶିଶୁ ଚିକିତ୍ସିତ ହେଉଥିଲେ।
ଜୀବନ ବଞ୍ଚାଇବାକୁ ଲାଗିପଡ଼ିଲେ ଡାକ୍ତର-ନର୍ସ
ନିଆଁ ଲାଗିବା ପରେ ଡ୍ୟୁଟିରେ ଥିବା ଡାକ୍ତର, ନର୍ସ ଓ ହସ୍ପିଟାଲ କର୍ମଚାରୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ଧୂଆଁ ଓ ନିଆଁ ମଧ୍ୟରୁ ଶିଶୁମାନଙ୍କୁ ଗୋଟିଏ ପରେ ଗୋଟିଏ କରି ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଅନେକ ଶିଶୁଙ୍କୁ ସୁରକ୍ଷିତ ଭାବେ ୱାର୍ଡରୁ ବାହାର କରାଯାଇଥିଲା।
ତେବେ ଏହି ଉଦ୍ଧାର ମଧ୍ୟରେ ୩ ଜଣ ନବଜାତ ଶିଶୁଙ୍କ ଜୀବନ ବଞ୍ଚାଯାଇପାରିନଥିଲା। ନିଆଁରେ ଝଲସିଯାଇ ସେମାନଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ, ପ୍ରାୟ ୬ ଜଣ ଆହତ ଶିଶୁଙ୍କୁ ତୁରନ୍ତ ସୁପର୍ ସ୍ପେସିଆଲିଟି ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି।
ଘଟଣା ପରେ ହସ୍ପିଟାଲରେ ଆତଙ୍କ
ଅଗ୍ନିକାଣ୍ଡ ପରେ ହସ୍ପିଟାଲ ପରିସରରେ ଆତଙ୍କ ସୃଷ୍ଟି ହୋଇଥିଲା। ଉଦ୍ଧାରକାରୀ ଦଳ ଓ ହସ୍ପିଟାଲ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ନିୟନ୍ତ୍ରଣ ସହ ଶିଶୁମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ
ଏହି ଭୟାବହ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭେଣ୍ଟିଲେଟରରେ ବିସ୍ଫୋରଣ ହିଁ ଅଗ୍ନିକାଣ୍ଡର କାରଣ କି ନାହିଁ, ତାହା ମଧ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ। ହସ୍ପିଟାଲ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।
ଏହି ମର୍ମାନ୍ତୁତ ଘଟଣା ପରେ ହସ୍ପିଟାଲରେ ନବଜାତ ଶିଶୁଙ୍କ ସୁରକ୍ଷା, ଅଗ୍ନିନିର୍ବାପକ ବ୍ୟବସ୍ଥା ଏବଂ ଜରୁରୀକାଳୀନ ଉଦ୍ଧାର ବ୍ୟବସ୍ଥାକୁ ନେଇ ଏବେ ଗୁରୁତର ପ୍ରଶ୍ନ ଉଠିଛି। ସବୁଠାରୁ ବଡ଼ ପ୍ରଶ୍ନ ହସ୍ପିଟାଲର NICU ଭଳି ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା କେତେ ପ୍ରସ୍ତୁତ ଥିଲା?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।