Banks Must Compensate Digital Fraud Victims: ବ୍ୟାଙ୍କର ଅବହେଳା ପଡ଼ିବ ମହଙ୍ଗା, ପୀଡିତଙ୍କୁ ଦେବେ କ୍ଷତିପୂରଣ
ଡିଜିଟାଲ୍ ଠକେଇର ଶିକାର ହେଉଛନ୍ତି କି?
ତେବେ ଆପଣଙ୍କ ପାଇଁ ଆଶ୍ୱସ୍ତିକର ଖବର।
ବ୍ୟାଙ୍କର ଅବହେଳା ଯୋଗୁଁ ଯଦି ଗ୍ରାହକ ଡିଜିଟାଲ୍ ଠକେଇର ଶିକାର ହୁଅନ୍ତି, ତେବେ କ୍ଷତିପୂରଣ ଦେବାକୁ ବ୍ୟାଙ୍କକୁ ଦାୟୀ କରାଯାଇପାରେ ବୋଲି କହିଛନ୍ତି ସୁପ୍ରିମକୋର୍ଟ।
Advertisment ଗୁରୁବାର ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ରଖିବା ବ୍ୟାଙ୍କର ଦାୟିତ୍ୱ।
ଯଦି ଆବଶ୍ୟକ ଯାଞ୍ଚରେ ଅବହେଳା ଯୋଗୁଁ ଠକେଇ ହୋଇଥାଏ, ତେବେ ପୀଡ଼ିତଙ୍କ କ୍ଷତିପୂରଣ ସହ ବ୍ୟାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିବା ଉଚିତ ବୋଲି କୋର୍ଟ ମତ ଦେଇଛନ୍ତି।
କୌଣସି ଗ୍ରାହକ ସାଧାରଣତଃ ୧୦ କିମ୍ବା ୨୦ ହଜାର ଟଙ୍କା ଉଠାଉଥିବା ବେଳେ ହଠାତ୍ ୫୦ ହଜାର ଟଙ୍କା ଉଠାଇଲେ, ବ୍ୟାଙ୍କ କାହିଁକି ସତର୍କ ହେବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି।
ସନ୍ଦେହଜନକ କାରବାରକୁ ଚିହ୍ନଟ କରିବା, ଅସ୍ୱାଭାବିକ ଟଙ୍କା ଉଠାଣ ଉପରେ ରୋକ୍ ଲଗାଇବା ଏବଂ ଆବଶ୍ୟକ ସ୍ଥଳେ ପୁଲିସକୁ ସୂଚନା ଦେବା ଉପରେ ମଧ୍ୟ କୋର୍ଟ ଗୁରୁତ୍ୱ ଦେଇଛନ୍ତି।
Advertisment ସେପଟେ, ଡିଜିଟାଲ୍ ଆରେଷ୍ଟ ଠକେଇ ମାମଲା ପୂର୍ବ ବର୍ଷ ତୁଳନାରେ ପ୍ରାୟ ୫୦ ପ୍ରତିଶତ କମିଥିବା କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।
କିନ୍ତୁ ଚଳିତ ବର୍ଷ ଏହି ଠକେଇରେ ପ୍ରାୟ ୮୦୦ କୋଟି ଟଙ୍କା କ୍ଷତି ହୋଇଥିବା କହିଛନ୍ତି ପ୍ରଧାନ ବିଚାରପତି।
ଏବେ ଆରବିଆଇଠାରୁ ଅନୁମୋଦିତ ଆର୍ଥିକ ସଂସ୍ଥାଗୁଡ଼ିକର ତାଲିକା ମାଗିଛନ୍ତି ସୁପ୍ରିମକୋର୍ଟ।
ଠକେଇର ଶିକାର ହେଉଥିବା ଲୋକଙ୍କୁ କିପରି କ୍ଷତିପୂରଣ ମିଳିବ ଏବଂ ବ୍ୟାଙ୍କଗୁଡ଼ିକର ଦାୟିତ୍ୱ କିପରି ସ୍ପଷ୍ଟ ହେବ, ସେନେଇ ଆଗକୁ ନିର୍ଦ୍ଦେଶ ଆସିପାରେ।
ବ୍ୟାଙ୍କର ଅବହେଳାର ମୂଲ୍ୟ ଗ୍ରାହକ ଦେବେ ନା ବ୍ୟାଙ୍କ—ଏବେ ସମସ୍ତଙ୍କ ନଜର ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।