BJD Backs INDIA Bloc Protest In Delhi: ଇଣ୍ଡିଆ ବ୍ଲକ୍ ଆନ୍ଦୋଳନକୁ ବିଜେଡିର ସମର୍ଥନ, ନବୀନଙ୍କ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା

Oct 06, 2026 - 20:28
BJD Backs INDIA Bloc Protest In Delhi: ଇଣ୍ଡିଆ ବ୍ଲକ୍ ଆନ୍ଦୋଳନକୁ ବିଜେଡିର ସମର୍ଥନ, ନବୀନଙ୍କ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା

ଇଣ୍ଡିଆ ବ୍ଲକ୍ ଆଡକୁ ଢଳିଲା କି ବିଜେଡି ? ଏସ୍ଆଇଆର୍ ପ୍ରତିବାଦ ପଦଯାତ୍ରାକୁ ସମର୍ଥନ କରି ଦଳ ଦେଲା କି ସ୍ପଷ୍ଟ ସଙ୍କେତ ? ନିର୍ଦ୍ଦେଶ ଦେଲେ ନବୀନ, ବିକ୍ଷୋଭ କଲେ ବିଜେଡି ସାଂସଦ। ଏସ୍ଆଇଆର୍ ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇବା ସହ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଇସ୍ତଫା ଦାବି କରି ଆଜି ଇଣ୍ଡିଆ ବ୍ଲକ୍ ସାଂସଦମାନେ ଇସିଆଇ ଅଫିସ୍ ଘେରାଉ କରିଥିଲେ। ଏହି ପ୍ରତିବାଦକୁ ନବୀନଙ୍କ ଗ୍ରୀନ୍ ସିଗନାଲ୍ ପରେ ରାଜ୍ୟ ରାଜନୀତିର ପାରା ବଢିଛି। ବିଜେଡି କହିଛି, ଏସ୍ଆଇଆର୍ ପ୍ରସଙ୍ଗରେ ସିଇସି ଜ୍ଞାନେଶ କୁମାରଙ୍କ ମନମୁଖୀ କାର୍ଯ୍ୟ ଲାଗି ସାରା ଦେଶରୁ ୧୩ କୋଟିରୁ ଊର୍ଦ୍ଧ୍ବ ଭୋଟରଙ୍କ ନାମ କଟିଛି। 

ସେହିପରି SIRରେ ଫର୍ମ-6 ଦ୍ବନ୍ଦ୍ବ ସିଇସିଙ୍କ ଭୂମିକାକୁ ନେଇ ସନ୍ଦେହ ବଢାଇଛି। ବିଜେଡି କିନ୍ତୁ ଉଭୟ ଇଣ୍ଡି ମେଣ୍ଟ ଓ ଏନ୍ଡିଏଠାରୁ ସମଦୂରତ୍ୱ ବଜାୟ ରଖିଥିବା ସ୍ପଷ୍ଟ କରିଛି। ସେପଟେ ଇଣ୍ଡିଆ ବ୍ଲକ୍ କୁ ନବୀନଙ୍କ ସମର୍ଥନକୁ କଂଗ୍ରେସ ଯଦିଓ ସ୍ବାଗତ କରିଛି କିନ୍ତୁ ବିଜେଡି, ଇଣ୍ଡିଆ ବ୍ଲକ୍ ରେ ସାମିଲ୍ ହେବ ନା ନାହିଁ ତାହା ଭବିଷ୍ୟତ କହିବ ବୋଲି କହିଛି କଂଗ୍ରେସ। ବିଜେଡିର ଏଭଳି ଆଭିମୁଖ୍ୟକୁ କଡା କାଉଣ୍ଟର କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ବିଜେଡି ନିରାଶ ଓ ହତାଶ ହୋଇ କଂଗ୍ରେସ ସହିତ ମିଶିଛି। କଂଗ୍ରେସ ସହିତ ମିଶି କମ୍ୟୁନିଷ୍ଟ ଓ ସମାଜବାଦୀ ଦଳ ବିଲୀନ ହୋଇଗଲେ। ଆଗକୁ ବିଜେଡି ବି ସମାପ୍ତ ହୋଇଯିବ।

ବିଜେଡି ଇତିହାସକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ଯେ, ନବୀନ ସବୁବେଳେ ସମଦୂରତା କଥା କହିଆସିଛନ୍ତି। କିନ୍ତୁ କାମ ସବୁବେଳେ ବିଜେଡି ସ୍ବାର୍ଥକୁ ଦେଖି କରିଥାନ୍ତି। କ୍ଷମତାରେ ଥିବାବେଳେ ବିଜେପିକୁ ସମର୍ଥନ କରୁଥିଲେ। ମାତ୍ର ୨୪ ବିପର୍ଯ୍ୟୟ ପରେ ପୁଣି କ୍ଷମତାସୀନ ହେବାକୁ ନବୀନ କଂଗ୍ରେସ ଆଡକୁ ଢଳିବା ଆରମ୍ଭ କରିଛନ୍ତି। ଯାହାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ପ୍ରଭାତୀ କଟାକ୍ଷ କରିଛନ୍ତି, କଣ ବିଜେଡିର ସମଦୂରତା ନୀତି ସରିଗଲା? ସେହିପରି ବିଜେପି ସାଂସଦ ପ୍ରଦୀପ ପୁରୋହିତ କଡ଼ା ସମାଲୋଚନା କରି କହିଛନ୍ତି, ସମଦୂରତା କଥା କହୁଥିବା ନବୀନଙ୍କ ଛଦ୍ମବେଶର ପର୍ଦ୍ଦାଫାସ ହୋଇଛି। ଆନୁଷ୍ଠାନିକ ଭାବେ ଆଜି ବିଜେଡି-କଂଗ୍ରେସ ହାତ ମିଶାଇଲେ।

ରାଜ୍ୟସଭା ନିର୍ବାଚନ ସମୟରେ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ବିଜେଡି ଓ କଂଗ୍ରେସ ମିଳିତ ପ୍ରାର୍ଥୀ କରିଥିଲେ। ସେହିପରି ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଉଦ୍ଦେଶ୍ୟରେ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା। ଯେଉଁଥିରେ ମହିଳା ସଂରକ୍ଷଣ ସହ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ପାରିତ ହେବାର ଥିଲା। କିନ୍ତୁ ଏହା ଲୋକସଭାରେ କାଟ୍ ଖାଇଯାଇଥିଲା। ସେହି ସମୟରେ ବିଜେଡି ସାଂସଦ ମାନସ ମଙ୍ଗରାଜ, ଇଣ୍ଡି ମେଣ୍ଟର ବୈଠକରେ ଯୋଗ ଦେଇ ବିଜେପିକୁ ବିଜେଡି ବିରୋଧ କରୁଥିବା ବାର୍ତ୍ତା ଦେଇଥିଲେ। ଆଉ ବିଧାନସଭା ମୌସୁମୀ ଅଧିବେଶନରେ ଉଭୟ ବିଜେଡି ଓ କଂଗ୍ରେସ ଏମ୍ଏମ୍ଡିଆର ଏବଂ ଏସ୍ଆଇଆର୍ ପ୍ରସଙ୍ଗରେ ସ୍ବର ଏକ କରି ଶାସକ ବିଜେପି ବିରୋଧରେ ଲଢିଥିଲେ।

ଏବେ ଦେଖିବାର କଥା ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ବିଜେଡି ଓ କଂଗ୍ରେସର ଆଭିମୁଖ୍ୟ ସମାନ ରହୁଛି ନା ପାଗ ବଦଳୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।