07 NOVEMBER 2026

Welcome!

Unlock your personalized experience.
Sign Up

Bomb threat: ଇ-ମେଲ୍‌ ପରେ ମୁମ୍ବାଇରେ ହାଇଆଲର୍ଟ, ଯାଞ୍ଚରୁ ମିଳିଲାନି ସନ୍ଦେହଜନକ ସାମଗ୍ରୀ

Nov 06, 2026 - 23:29
Bomb threat: ଇ-ମେଲ୍‌ ପରେ ମୁମ୍ବାଇରେ ହାଇଆଲର୍ଟ, ଯାଞ୍ଚରୁ ମିଳିଲାନି ସନ୍ଦେହଜନକ ସାମଗ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନଙ୍କ ବାସଭବନ ସମେତ ମୁମ୍ବାଇର କେତେକ ପ୍ରମୁଖ ସ୍ଥାନକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିବା ପରେ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଶୁକ୍ରବାର ବମ୍ବେ ହାଇକୋର୍ଟକୁ ଏକ ଧମକପୂର୍ଣ୍ଣ ଇ-ମେଲ୍‌ ମିଳିଥିଲା। ଏଥିରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ), ଅଭିନେତା ଅମିତାଭଙ୍କ ଜୁହୁସ୍ଥିତ ବାସଭବନ ‘ଜଲ୍‌ସା’ ଏବଂ ୱର୍ଲି ରେସକୋର୍ସକୁ ମଧ୍ୟ ବୋମାରେ ଉଡ଼ାଇବାକୁ ଧମକ ଦିଆଯାଇଥିଲା। ଏହାପରେ ମୁମ୍ବାଇ ପୁଲିସ ଓ ଅନ୍ୟ ସୁରକ୍ଷା ସଂସ୍ଥାଗୁଡ଼ିକ ସତର୍କ ହୋଇଉଠିଛନ୍ତି।

ଧମକ ମିଳିବା ପରେ ପୁଲିସ ସମ୍ପୃକ୍ତ ସ୍ଥାନଗୁଡ଼ିକରେ ଯାଞ୍ଚ କରିଥିଲା। ଅମିତାଭଙ୍କ ବାସଭବନ ‘ଜଲ୍‌ସା’ ସମେତ ଅନ୍ୟ ସ୍ଥାନରେ ମଧ୍ୟ କୌଣସି ସନ୍ଦେହଜନକ ସାମଗ୍ରୀ ମିଳିନଥିବା ପୁଲିସ ସୂଚନା ଦେଇଛି। ତେବେ ଧମକପୂର୍ଣ୍ଣ ଇ-ମେଲ୍‌ର ପ୍ରକୃତ ଉତ୍ସ, ପଠାଇଥିବା ବ୍ୟକ୍ତିଙ୍କ ପରିଚୟ ଏବଂ ଏହା ପଛରେ କୌଣସି ଷଡ଼୍‌ଯନ୍ତ୍ର ରହିଛି କି ନାହିଁ, ସେ ସମ୍ପର୍କରେ ତଦନ୍ତ ଚାଲିଛି। ଇ-ମେଲ୍‌ର ଆଇପି ଠିକଣା ଚିହ୍ନଟ କରି ପଠାଇଥିବା ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାକୁ ପୁଲିସ ଉଦ୍ୟମ କରୁଛି।

Bomb threats: ୟୁରୋପରେ ୧୨ ବିମାନକୁ ଧମକ; ଆକାଶରେ ଅଟକିଗଲା ‌ଯାତ୍ରୀଙ୍କ ଶ୍ବାସକ୍ରିୟା!

ଅମିତାଭଙ୍କୁ ଗତ ଅକ୍ଟୋବର ୨୩ ତାରିଖରେ ମଧ୍ୟ ଏକ ଧମକପୂର୍ଣ୍ଣ ଇ-ମେଲ୍‌ ମିଳିଥିଲା। ମୁମ୍ବାଇର ମେୟର ଋତୁ ତାୱଡେ ଓ ଉପମେୟର ସଞ୍ଜୟ ଘାଡିଙ୍କୁ ପଠାଯାଇଥିବା ସେହି ଇ-ମେଲ୍‌ରେ ଅମିତାଭଙ୍କ ବାସଭବନ ସମେତ ଅନ୍ୟ ସ୍ଥାନରେ ଆକ୍ରମଣ ଧମକ ଦିଆଯାଇଥିଲା। ନଭେମ୍ବର ୨୭ରେ ଗାୟକ ଦିଲଜିତ୍‌ ଦୋସାଞ୍ଜଙ୍କ ମୁମ୍ବାଇ କାର୍ଯ୍ୟକ୍ରମ ସ୍ଥଳରେ ମଧ୍ୟ ଆକ୍ରମଣ ହେବ ବୋଲି ଧମକରେ ଉଲ୍ଲେଖ ଥିଲା। ଏହାସହ ଅକ୍ଟୋବର ୩୧ରେ ଏକ ବିଦ୍ୟାଳୟ ଉପରେ ଗ୍ରେନେଡ୍‌ ଆକ୍ରମଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ତେବେ ସେହି ଧମକ ପରେ ଯାଞ୍ଚ କରାଯାଇଥିଲେ ମଧ୍ୟ କୌଣସି ସନ୍ଦେହଜନକ ସାମଗ୍ରୀ ମିଳିନଥିଲା।

ବାରମ୍ବାର ଧମକ ମିଳୁଥିବାରୁ ଅମିତାଭଙ୍କ ବାସଭବନରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ପ୍ରତି ରବିବାର ନିଜ ଘର ବାହାରେ ଅପେକ୍ଷା କରୁଥିବା ପ୍ରଶଂସକମାନଙ୍କୁ ଅଭିବାଦନ ଜଣାଇବା ତାଙ୍କର ଦୀର୍ଘଦିନର ପରମ୍ପରା। ଗତ ରବିବାର ସେ ଏକ ସ୍ୱଚ୍ଛ ବୁଲେଟ୍‌ପ୍ରୁଫ୍‌ ଆବରଣ ପଛରେ ରହି ପ୍ରଶଂସକଙ୍କୁ ଅଭିବାଦନ ଜଣାଇଥିଲେ। ମୁମ୍ବାଇରେ ପୂର୍ବରୁ ମଧ୍ୟ ବିଭିନ୍ନ ଅଦାଲତ ଓ ସରକାରୀ କାର୍ଯ୍ୟାଳୟକୁ ବୋମା ଧମକ ମିଳିଥିବାରୁ ପୁଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି। ଧମକ ପଛରେ କିଏ ରହିଛି ଏବଂ ଏହାର ଉଦ୍ଦେଶ୍ୟ କ’ଣ, ତାହା ଜାଣିବା ପାଇଁ ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।