Broken Leg Cardboard Treatment: ଭଙ୍ଗା ଗୋଡ଼ରେ ପ୍ଲାଷ୍ଟର ବଦଳରେ କାର୍ଡବୋର୍ଡ! ଭିଡିଓ ଭାଇରାଲ ପରେ ତଦନ୍ତ ଆରମ୍ଭ

Aug 08, 2026 - 13:32
Broken Leg Cardboard Treatment: ଭଙ୍ଗା ଗୋଡ଼ରେ ପ୍ଲାଷ୍ଟର ବଦଳରେ କାର୍ଡବୋର୍ଡ! ଭିଡିଓ ଭାଇରାଲ ପରେ ତଦନ୍ତ ଆରମ୍ଭ

ସରକାରୀ ହସ୍ପିଟାଲରେ ଭଙ୍ଗା ଗୋଡ଼ର ଚିକିତ୍ସାକୁ ନେଇ ଉଠିଲା ପ୍ରଶ୍ନ। ଭଙ୍ଗା ଗୋଡ଼ରେ ପ୍ଲାଷ୍ଟର ବଦଳରେ ବନ୍ଧାଗଲା କାର୍ଡବୋର୍ଡ। ବିହାରର (Bihar) ବେଗୁସରାଇ ମଞ୍ଝୌଲ ଉପଖଣ୍ଡ ହସ୍ପିଟାଲର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଦୁର୍ଘଟଣାରେ ଭାଙ୍ଗିଥିଲା ଗୋଡ଼

ଜୁଲାଇ ୧୫ ତାରିଖ ରାତିରେ ନବକୋଠୀ ଥାନା ଅଞ୍ଚଳର ମହେଶ୍ୱରା ଗାଁର କୃଷ୍ଣ କୁମାର ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ। ତାଙ୍କ ଗୋଡ଼ରେ ଫ୍ରାକ୍ଚର ହୋଇଥିବାରୁ ମଞ୍ଝୌଲ ଉପଖଣ୍ଡ ହସ୍ପିଟାଲକୁ ଆସିଥିଲେ।

ହସ୍ପିଟାଲରେ ଭଙ୍ଗା ଗୋଡ଼କୁ ସ୍ଥିର ରଖିବା ପାଇଁ କାର୍ଡବୋର୍ଡକୁ ଅସ୍ଥାୟୀ ସ୍ପ୍ଲିଣ୍ଟ ଭାବେ ବନ୍ଧାଯାଇଥିଲା। ପରେ ରୋଗୀଙ୍କୁ ବେଗୁସରାଇ ସଦର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ସଫଳ ଚିକିତ୍ସା ହୋଇଥିଲା ଏବଂ ପରେ ସେ ଡିସଚାର୍ଜ ହୋଇଥିଲେ।

ତେବେ ଚିକିତ୍ସା ସମୟର ଭିଡିଓ ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ଘଟଣାଟି ସାମ୍ନାକୁ ଆସିଥିଲା। ଭିଡିଓକୁ ନେଇ ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଥିଲା। ଯାହା ପରେ ବେଗୁସରାଇ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀକାନ୍ତ ଶାସ୍ତ୍ରୀ ମଞ୍ଝୌଲ ଉପଖଣ୍ଡ ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

କାର୍ଡବୋର୍ଡ ବ୍ୟବହାରକୁ ନେଇ ହସ୍ପିଟାଲର ଯୁକ୍ତି

ବେଗୁସରାଇ ସିଭିଲ ସର୍ଜନ ଅଶୋକ କୁମାରଙ୍କ କହିବା ଅନୁସାରେ, ଏହାକୁ ସିଧାସଳଖ ମେଡିକାଲ ଅବହେଳା ବୋଲି କୁହାଯାଇପାରିବ ନାହିଁ। ଫ୍ରାକ୍ଚର ମାମଲାରେ ଆହତ ଅଙ୍ଗକୁ ହଲଚଲରୁ ରୋକିବା ପାଇଁ ଅସ୍ଥାୟୀ ସ୍ପ୍ଲିଣ୍ଟ ବ୍ୟବହାର କରାଯାଇପାରେ।

ହସ୍ପିଟାଲ ଇନ୍‌ଚାର୍ଜ ଅଭିନବ ପ୍ରିୟଦର୍ଶୀଙ୍କ କହିବା ଅନୁସାରେ, ଷ୍ଟାଣ୍ଡାର୍ଡ ସ୍ପ୍ଲିଣ୍ଟ ଉପଲବ୍ଧ ନଥିଲେ କାର୍ଡବୋର୍ଡ, କାଠ ଭଳି ମଜବୁତ ସାମଗ୍ରୀକୁ ଅସ୍ଥାୟୀ ସ୍ପ୍ଲିଣ୍ଟ ଭାବେ ବ୍ୟବହାର କରାଯାଇପାରେ। ଏହାଦ୍ୱାରା ରୋଗୀଙ୍କୁ ସ୍ଥାନାନ୍ତର କରିବା ସମୟରେ ଭଙ୍ଗା ହାଡ଼ର ଅଧିକ ହଲଚଲକୁ ରୋକାଯାଇପାରେ।

ସେପଟେ ହସ୍ପିଟାଲ ମ୍ୟାନେଜର ଗୌରୀ ଶଙ୍କର କହିଛନ୍ତି, ହସ୍ପିଟାଲରେ ଅର୍ଥୋପେଡିକ୍ ବିଶେଷଜ୍ଞଙ୍କ ସଂଖ୍ୟା ସୀମିତ ଥିବା ସହ ଫ୍ରାକ୍ଚର ସ୍ପ୍ଲିଣ୍ଟ ଭଳି କିଛି ଆବଶ୍ୟକ ସାମଗ୍ରୀର ଅଭାବ ରହିଛି। ତେବେ ଉପଲବ୍ଧ ସମ୍ବଳ ମଧ୍ୟରେ ରୋଗୀଙ୍କୁ ଆବଶ୍ୟକ ପ୍ରାଥମିକ ଚିକିତ୍ସା ଦେବାକୁ ହସ୍ପିଟାଲ କର୍ମଚାରୀମାନେ ଚେଷ୍ଟା କରୁଥିବା ସେ କହିଛନ୍ତି।

ଏବେ ତଦନ୍ତ ରିପୋର୍ଟକୁ ଅପେକ୍ଷା। କାର୍ଡବୋର୍ଡ ବ୍ୟବହାର ଜରୁରୀ ପରିସ୍ଥିତିରେ ନିଆଯାଇଥିବା ଅସ୍ଥାୟୀ ପଦକ୍ଷେପ ଥିଲା ନା ଚିକିତ୍ସାରେ ଅବହେଳା; ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।