Mother-in-law Murder: ଶାଶୁଙ୍କୁ ହତ୍ୟା ପରେ ନଡ଼ାଗଦାରେ ଜାଳିଦେଲା ଜ୍ୱାଇଁ! ପାଉଁଶରୁ ମିଳିଲା ହାଡ଼ ଓ ଚୁଡି

Aug 08, 2026 - 13:32
Mother-in-law Murder: ଶାଶୁଙ୍କୁ ହତ୍ୟା ପରେ ନଡ଼ାଗଦାରେ ଜାଳିଦେଲା ଜ୍ୱାଇଁ! ପାଉଁଶରୁ ମିଳିଲା ହାଡ଼ ଓ ଚୁଡି

୬୫ ବର୍ଷୀୟ ମହିଳାଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ନଡ଼ା ଗଦାରେ ଭର୍ତ୍ତି କରି ଜାଳିଦିଆଯାଇଛି (Man Kills Mother In Law) । ଘଟଣାସ୍ଥଳରେ ପାଉଁଶରୁ ହାଡ଼ ଏବଂ ମହିଳାଙ୍କ ହାତର ୩ଟି ଚୁଡି ମିଳିବା ପରେ ମାମଲା ଆହୁରି ଗମ୍ଭୀର ହୋଇପଡ଼ିଛି।

ଏହି ଘଟଣା ଉତ୍ତର ପ୍ରଦେଶର (Uttar Pradesh)ପିଲିଭିତ ଜିଲ୍ଲାରେ ଅମରିୟା ଥାନା ଅଞ୍ଚଳର ଜିଠନିୟା ଗାଁରେ ଘଟିଛି। ମୃତ ମହିଳାଙ୍କ ନାମ ମୋହନ ଦେଈ। ତାଙ୍କ ବଡ଼ ପୁଅ ସୁରେଶ ନିଜ ଭିଣୋଇ ମହେନ୍ଦ୍ରଙ୍କ ବିରୋଧରେ ମାଆଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମହେନ୍ଦ୍ରଙ୍କ ବିରୋଧରେ ହତ୍ୟା ସମେତ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ମାଆ ନିଖୋଜ, ପାଉଁଶରୁ ମିଳିଲା ହାଡ଼

ପୋଲିସ ସୂଚନା ଅନୁସାରେ, ମୋହନ ଦେଈଙ୍କ ସ୍ୱାମୀ ନତ୍ଥୁ ଲାଲଙ୍କ ୬ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା। ତାଙ୍କର ତିନି ପୁଅ ଥିଲେ। ତେବେ ସାନ ପୁଅଙ୍କର ପ୍ରାୟ ଦେଢ଼ ବର୍ଷ ପୂର୍ବେ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିଲା। ବଡ଼ ପୁଅ ସୁରେଶ ଅଲଗା ରହୁଥିବା ବେଳେ ମଝିଆଁ ପୁଅ ମାଖନ ଲାଲ ମାଆଙ୍କ ସହ ରହୁଥିଲେ। ମଜୁରି କାମ ପାଇଁ ମାଖନ ପ୍ରାୟତଃ ନିଜ ଭିଣୋଇ ମହେନ୍ଦ୍ରଙ୍କ ଘରକୁ ଯାଉଥିଲେ। 

ନଡ଼ା ବସ୍ତାରେ ଲାଗିଥିଲା ନିଆଁ

ଜୁଲାଇ ୩୧ ତାରିଖରେ ଗାଁର ନନ୍ନେ ଲାଲଙ୍କ ନଡ଼ା ଗଦାରେ ନିଆଁ ଲାଗିଥିଲା। ଏହି ଘଟଣାକୁ ନେଇ ନନ୍ନେ ଲାଲ ଅଗଷ୍ଟ ୧ ତାରିଖରେ ମହେନ୍ଦ୍ରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ପୋଲିସ ମହେନ୍ଦ୍ରଙ୍କୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। କିନ୍ତୁ ସେ ଫେରାର ଥିବା ଜଣାପଡ଼ିଥିଲା।

ଅନ୍ୟପଟେ ମାଖନ ଲାଲ ଘରକୁ ଫେରିବା ପରେ ମାଆଙ୍କୁ ଘରେ ନ ପାଇ ଚିନ୍ତିତ ହୋଇପଡ଼ିଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ମାଆଙ୍କ ସନ୍ଧାନ ନମିଳିବାରୁ ତାଙ୍କର ସନ୍ଦେହ ହୋଇଥିଲା। ପରେ ଜଳିଯାଇଥିବା ନଡ଼ା ଗଦାରେ ଖୋଜିବାରୁ ପାଉଁଶ ମଧ୍ୟରୁ କିଛି ହାଡ଼ ଏବଂ ୩ଟି ଚୁଡି ମିଳିଥିଲା।

ପାଉଁଶ ମଧ୍ୟରୁ ମିଳିଥିବା ୩ଟି ଚୁଡିକୁ ଦେଖି ପରିବାର ଲୋକେ ଏଗୁଡ଼ିକ ମୋହନ ଦେଈଙ୍କର ବୋଲି ଦାବି କରିଥିଲେ। ଏହାପରେ ତାଙ୍କୁ ହତ୍ୟା କରି ମୃତଦେହକୁ ଜାଳିଦିଆଯାଇଥିବା ନେଇ ସନ୍ଦେହ ଆହୁରି ଘନୀଭୂତ ହୋଇଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାଡ଼ ଓ ଚୁଡି ଜବତ କରିଥିଲା। ଏହାପରେ ଅସ୍ଥି ଅବଶେଷକୁ ଡିଏନଏ ପରୀକ୍ଷା ପାଇଁ ପଠାଯାଇଛି। ପୋଲିସ ମାମଲାର ସମସ୍ତ ଦିଗକୁ ନେଇ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ମହେନ୍ଦ୍ରଙ୍କୁ ଧରିବା ପାଇଁ ମଧ୍ୟ ଚେଷ୍ଟା ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।