Brother-sister emotional story: ଭାଇ ପାଇଁ ଭଉଣୀର ଶେଷ କର୍ତ୍ତବ୍ୟ, ରକ୍ଷାବନ୍ଧନ ପୂର୍ବରୁ ଭାଇକୁ ମୁଖାଗ୍ନି ଦେଲେ ଭଉଣୀ
ରକ୍ଷାବନ୍ଧନ ପୂର୍ବରୁ ସାମ୍ନାକୁ ଆସିଛି ଏକ ମର୍ମସ୍ପର୍ଶୀ ଘଟଣା। ଭାଇଙ୍କ ମୃତ୍ୟୁ ପରେ ପରିବାରରେ କୌଣସି ପୁରୁଷ ସଦସ୍ୟ ନଥିବାରୁ ଭଉଣୀ ନିଜେ ଭାଇଙ୍କ ଶବ ସତ୍କାର କରିଛନ୍ତି। ସେ ନିଜ ଭାଇଙ୍କୁ ମୁଖାଗ୍ନି ଦେଇ ଶେଷ ବିଦାୟ ଦେଇଛନ୍ତି।
ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲା ମହମୁଦାବାଦ ନଗରର କୁରେଶୀ ମାର୍ଗ ଅଞ୍ଚଳରେ ଏପରି ହୃଦୟବିଦାରକ ଘଟଣା ଘଟିଛି। ସେଠାରେ ରହୁଥିବା ୫୫ ବର୍ଷୀୟ ଲାଲୁ ପଟୱାଙ୍କ ଅସୁସ୍ଥତା ଯୋଗୁଁ ମୃତ୍ୟୁ ହୋଇଛି। ଲାଲୁ ପଟୱାଙ୍କ ପତ୍ନୀ କିଛି ବର୍ଷ ପୂର୍ବରୁ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ଏହାପରେ ସେ ଏକାକୀ ଜୀବନ ବିତାଉଥିଲେ। ମନ୍ଦିର ନିକଟରେ ଦୋକାନ କରି ସେ ଜୀବିକା ନିର୍ବାହ କରୁଥିଲେ। ଅସୁସ୍ଥତା ବଢ଼ିବା ପରେ ଶେଷରେ ତାଙ୍କ ମୃତ୍ୟୁ ହୋଇଥିଲା।
ଭାଇଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ବଡ଼ ଭଉଣୀ ବିମଳା ଦେବୀ ଆଗକୁ ଆସିଥିଲେ। ପରିବାରରେ କୌଣସି ପୁରୁଷ ନଥିଲେ ମଧ୍ୟ ସେ ଭାଇଙ୍କ ଶେଷକୃତ୍ୟର ସମସ୍ତ ଦାୟିତ୍ୱ ନିଜେ ନେଇଥିଲେ। ଭାଇଙ୍କ ମରଶରୀରକୁ ରମୁଆପୁରସ୍ଥିତ ମୁକ୍ତିଧାମକୁ ନେଇ ସେଠାରେ ପରମ୍ପରା ଅନୁସାରେ ଶେଷକୃତ୍ୟ କରିଛନ୍ତି।
ଭାଇଙ୍କୁ ମୁଖାଗ୍ନି ଦେଲେ ବିମଳା
ସବୁଠାରୁ ଭାବବିହ୍ୱଳ ଦୃଶ୍ୟ ଥିଲା ଯେତେବେଳେ ବିମଳା ଦେବୀ ନିଜ ଭାଇଙ୍କୁ ମୁଖାଗ୍ନି ଦେଇଥିଲେ। ସାଧାରଣତଃ ଏହି ପରମ୍ପରା ପୁରୁଷ ସଦସ୍ୟମାନେ ପାଳନ କରୁଥିବା ବେଳେ, ଏଠାରେ ଭଉଣୀ ନିଜେ ଆଗକୁ ଆସି ଭାଇଙ୍କୁ ଶେଷ ବିଦାୟ ଦେଇଥିଲେ। ଭାଇଙ୍କ ଶେଷ ଯାତ୍ରାରେ ବିମଳା ଦେବୀ ଯେଉଁ ସାହସ ଦେଖାଇଲେ, ତାହାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।