Cannabis Mafia’s Expanding Financial Network: ଗଞ୍ଜେଇ ମାଫିଆଙ୍କ ନୂଆ ଫଣ୍ଡା, ଯୁବକଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା
ଗଂଜେଇ ମାଫିଆଙ୍କ ମହାଜ୍ଞାନ! ମହାଫଣ୍ଡା ଦେଖି ତାଜୁବ୍ ପୋଲିସ। ହଜିଯାଉଛି ଆଚ୍ଛା ଆଚ୍ଛା ତଦନ୍ତକାରୀ ଅଧିକାରୀଙ୍କ ନିଦ। କାରଣ ହାତାହାତି କି ନଗଦ ନୁହଁ, ଗ୍ରାମାଞ୍ଚଳ ଯୁବକଙ୍କୁ ହାତ କରି ଖୋଲାଯାଉଛି ବ୍ୟାଙ୍କ ଆକାଉଣ୍ଟ, ଆଉ ସେହି ଆକାଉଣ୍ଟରେ ରାଜ୍ୟ ବାହାରର କିଙ୍ଗପିନ୍ ଟଙ୍କା ଡିପୋଜିଟ୍ କରିବା ପରେ, ସେହି ଟଙ୍କାରୁ କିଛି କମିଶନ ଦେଇ ବଳକା ଟଙ୍କା ଗଂଜେଇ ଚାଷୀଙ୍କୁ ଗଣୁଛନ୍ତି ମାଫିଆ, ଆଉ ଚଳାଇଛନ୍ତି ନୀଳ ଜହରର କଳା ବେପାର। ଏ ହେଉଛନ୍ତି କୋରାପୁଟ ପାଡୁଆ ଅଞ୍ଚଳର କେ.ରମେଶ। ପେଶାରେ ଜଣେ ଲୁଗା ବ୍ୟବସାୟୀ। କିନ୍ତୁ ବାବୁଙ୍କ ଆକାଉଣ୍ଟକୁ ଆସିଥିଲା ୯୦ ଲକ୍ଷରୁ ଅଧିକ ଟଙ୍କା। ହାସିଶ୍ ଅଏଲ୍ ପ୍ରସ୍ତୁତି ଓ କିଣାବିକାର ମୁଖ୍ୟ କାର୍ପଟଦାର ଭାବେ ଚିହ୍ନଟ ହୋଇ ଗିରଫ ହୋଇଥିବା କେରଳର ହରେକ୍ରିଷ୍ଣାର ଆକାଉଣ୍ଟରୁ ପୂର୍ବରୁ ଟଙ୍କା ଆସିଥିଲା କେ.ରମେଶଙ୍କ ଖାତାକୁ। ଯେଉଁ ଟଙ୍କା ଯାଇଥାନ୍ତା ବିଭିନ୍ନ ଅଞ୍ଚଳର ଗଂଜେଇ ଚାଷୀଙ୍କ ପାଖକୁ। ଆଉ ୧୦ରୁ ୧୫ ହଜାର ଟଙ୍କା କମିଶନ୍ ପାଇଥାନ୍ତେ କେ.ରମେଶ। କିନ୍ତୁ ସବୁକୁ ଭାଣ୍ଡାଫୋଡ୍ କଲା କୋରାପୁଟ୍ ପୋଲିସ।
ଆପଣଙ୍କ ମନେଥିବ କୋରାପୁଟ ଜିଲ୍ଲା ପଡ଼ାଲପୁଟ ଟାପୁ ଇଲାକାରେ ଚାଲିଥିବା ଗଂଜେଇ ତେଲ ତଥା ହାସିଶ୍ ଅଏଲ୍ କଥା। କେମିତି ଚାଲିଥିଲା ରାକେଟ ଓଟିଭି ତାର ବିସ୍ତୃତ ରିପୋର୍ଟ ଦେଖାଇଥିଲା। ଏହି ଘଟଣା ପରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏବେ ସାମ୍ନାକୁ ଆସିଛି, ଗ୍ରାମାଞ୍ଚଳର GEN-Zଙ୍କୁ ଅସ୍ତ୍ର ସହ କମିଶନର ଲୋଭ ଦେଖାଇ ଗଞ୍ଜେଇ ମାଫିଆଙ୍କ ମନି ଟ୍ରେଲରେ ଚାଞ୍ଚଲ୍ୟକର କାହାଣୀ। ଜିଲ୍ଲାର ପରଜା ବଡ଼ପଡ଼ା ପଞ୍ଚାୟତ ଅଞ୍ଚଳର ବହୁ ଯୁବକଙ୍କ ଆକାଉଣ୍ଟକୁ ଅତି ରହସ୍ୟଜନକ ଭାବେ ଟଙ୍କା ଆସିଛି। ଯେଉଁମାନେ ପାଇନାହାଁନ୍ତି, ସେମାନେ ଆକାଉଣ୍ଟ ଖୋଲିବାକୁ ବ୍ୟାଙ୍କ ଦୌଡୁଛନ୍ତି। କାରଣ ପ୍ରତ୍ୟେକ ଟ୍ରାଂଜାକ୍ସନରେ ଆକାଉଣ୍ଟଧାରୀଙ୍କୁ କମିଶନ ମିଳେ ୫ରୁ ୧୦ ହଜାର ଟଙ୍କା। ଯାହାର ସୁରାଗ୍ ମିଳିବା ପରେ କୋରାପୁଟ ପୋଲିସ ପ୍ରଥମ ଥର ପାଇଁ ୩ ଜଣ ଚାଷୀଙ୍କୁ ଗିରଫ କରିଛି। ତାସହ ଅନେକ ଆକାଉଣ୍ଟକୁ ସ୍କାନରରେ ରଖି ତଦନ୍ତ କରୁଛି।
ଏହି ଘଟଣାରୁ ସ୍ପଷ୍ଟ ବାରି ହେଉଛି, କୋରାପୁଟ ଜିଲ୍ଳାରେ କେତେ ଗଭୀର ରହିଛି ଗଞ୍ଜେଇ କାରବାରର ନେଟୱାର୍କ। ଆଉ ଟଙ୍କା କେଇଟା ଆଶାରେ ଆଦିବାସୀ ଅଞ୍ଚଳର ନିରୀହ ଯୁବକ ଫସିଯାଉଛନ୍ତି ଗଂଜେଇ ମାଫିଆଙ୍କ ଜାଲରେ। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଭିନ୍ନ ବର୍ଗର ଲୋକେ।
୨୦୦ କୋଟି ଟଙ୍କାର ହାସିସ୍ ତେଲ ଜବତ ଘଟଣାରେ କୋରାପୁଟ ପାଡୁଆ ପୋଲିସ କେରଳର ମାଷ୍ଟର୍ ମାଇଣ୍ଡ ହରେକ୍ରିଷ୍ଣା ସହ ୭ ଜଣଙ୍କୁ ବାନ୍ଧିସାରିଲାଣି। ତାସହ ୨ ଦିନ ତଳେ ପ୍ରାୟ ୧୦ ଏକର ଜମିରେ ହୋଇଥିବା ୧୨ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରିସାରିଲାଣି। ତେବେ ଗଂଜେଇ ବେପାର ପାଇଁ ଆର୍ଥିକ କାରବାରର ନୂଆ ଫଣ୍ଡା ଭିତରେ ଫସିଯାଇଥିବା ନିରୀହ ଆଦିବାସୀ ଯୁବକଙ୍କୁ କେମିତି ମୁକୁଳାଇବ ପୋଲିସ, ତାହା ଏବେ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।