Corrected Versions of Books Coming Soon: ଶୀଘ୍ର ଆସିବ ସଂଶୋଧିତ ବହି, ବିଭ୍ରାଟକୁ ସଜାଡ଼ି ୱେବସାଇଟରେ ହେବ ଅପଲୋଡ୍

Jul 01, 2026 - 20:52
Corrected Versions of Books Coming Soon: ଶୀଘ୍ର ଆସିବ ସଂଶୋଧିତ ବହି, ବିଭ୍ରାଟକୁ ସଜାଡ଼ି ୱେବସାଇଟରେ ହେବ ଅପଲୋଡ୍

ଧୂଆଁ କରୁଛି ଭୁଲ୍ ବହି...ବିଭ୍ରାଟକୁ ନେଇ ବିବାଦ ଭିତରେ ମାର୍କେଟ୍ ଘାଣ୍ଟୁଛି ନିମ୍ବୁଡ଼ା ଗୀତ... ଏଣେ ଦଳେ ପିଲା ହସି ହସି ହାଲିଆ...ତେଣେ କୁନି ଝିଅ ବହି ଧରି ବୋଲି ଚାଲୁଛି ନିମ୍ବୁଡ଼ା ନିମ୍ବୁଡ଼ା...କ୍ଲାସରୁମରେ କମାଲ୍ କରୁଛି ରାଜସ୍ଥାନୀ ଲୋକଗୀତ ଭିତରେ ବଲିଉଡ୍ ଧୂନ୍ ।

ନିମ୍ବୁଡ଼ା ନିମ୍ବୁଡ଼ା ପରେ ଏବେ ଧୂଳି ଉଡ଼ାଉଛି ପ୍ରୀତି ଜିଣ୍ଟା ଅଭିନୀତି ବୁମରୋ ବୁମରୋ ଗୀତ...ଘରେ, ବାହାରେ, ସବୁଠି କୁଆଡ଼େ ପିଲା ବୋଲି ଚାଲୁଛନ୍ତି ବୁମରୋ ବୁମରୋ ।ଚଳିତ ଶିକ୍ଷାବର୍ଷ ପାଇଁ ଆସିଥିବା ପାଠ୍ୟ ପୁସ୍ତକରେ ଏଭଳି ଗୀତ ସହ ଇଂରାଜୀ ବହିରେ ରଜଦୋଳି ଗାଥାକୁ ନେଇ ପାଠୁଆ ପିଲାଙ୍କ ଅକଲ ଗୁଡୁମ୍ ଅବସ୍ଥା। ଖାଲି ପିଲା ନୁହଁନ୍ତି, ଶିକ୍ଷକଙ୍କ ମୁଣ୍ଡ ବି ଟିଣ। 

ରୋଚକ କଥା ହେଉଛି, ସେ ରାଜସ୍ଥାନର ଲୋକଗୀତ ନିମ୍ବୁଡ଼ା ହେଉ କି କାଶ୍ମୀରର ଲୋକଗୀତ ବୁମରୋ। ହୁଏତ ସିନେମାରେ ସ୍ଥାନ ପାଇଛି। କିନ୍ତୁ ବଲିଉଡ୍ ସଂଗୀତ ଷ୍ଟାଇଲରେ ପିଲାଙ୍କ ଆବୃତ୍ତି ବହି ବିଭ୍ରାଟର କଟା ଘା’ରେ ଚୁନ ଦେଲା ଭଳି କଥା ଘଟୁଛି। ଗୀତ ସଂଗୀତ କଥା ଛାଡ଼ନ୍ତୁ। ଝାଲ୍ ମୁଢ଼ିଠୁ ଆରମ୍ଭ କରି ଜଲଜୀରା ସରବତ ଏବଂ ବେଲ ପଣାର ପ୍ରସ୍ତୁତି, କେମିତି ଛଣାଯିବ ପୁରି, କେମିତି ତିଆରି କରାଯିବ ସ୍ୟାଣ୍ଡ ଉଇଚ୍ ସେଗୁଡ଼ିକ ବି ସ୍ଥାନ ପାଇଛି ପିଲାଙ୍କ ଏଥରର ବହୁଚର୍ଚ୍ଚିତ ପାଠ୍ୟ ପୁସ୍ତକରେ। ଯାହାକୁ ନେଇ ଟେନସନରେ ପିଲା, ତାଙ୍କ ବାପା ମା ଏବଂ ତାକୁ ସଂଶୋଧନ କରି ହାଲିଆ ହୋଇପଡୁଥିବା ସ୍କୁଲ୍ ସାର୍।

କାରଣ ସାରା ବହିରେ ଯେତେବେଳେ ହଜାରେ ଭୁଲ୍, ଆଉ ତାକୁ ସଂଶୋଧନ କରି ପଢ଼ାଇବା ପାଇଁ ସରକାରୀ ନିର୍ଦ୍ଦେଶ ଯେତେବେଳେ ଆସିଛି, ଶିକ୍ଷକ ବା ଆଉ କରିବେ କ’ଣ। ଶେଷରେ ବାପ ରାଣ ଢିଙ୍କିଗିଳି ନ୍ୟାୟରେ ଚାଲିଛି ତ୍ରୁଟି ସୁଧାରି ପାଠ ପଢ଼ା ପ୍ରକ୍ରିୟା।

ସେ ଯାହା ବି ହେଉ, ଷଡ଼ଯନ୍ତ୍ରରୁ ହେଉ କି ଗୁରୁ ଚଣ୍ଡାଳ ଦୋଷରୁ ହେଉ। ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଯାଏଁ ପାଠ୍ୟକ୍ରମରେ ଯେତେବେଳେ ବିଭ୍ରାଟ ହୋଇଛି, ତାକୁ ସୁଧାରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବେ ରାତି ଅନିଦ୍ରା। ଆଜି ବିଭାଗୀୟ ସଚିବ ଗଣମାଧ୍ୟମ ସାମ୍ନାକୁ ଆସି ସ୍ପଷ୍ଟୀକରଣ ରଖିବା ସହ କହିଛନ୍ତି, ତ୍ରୁଟି ସୁଧାରିବା ପାଇଁ ତର୍ଜମା ଚାଲିଛି। ଗୁରୁ ଚଣ୍ଡାଳ ଭୁଲକୁ ସୁଧୁରାଯିବ। ତଥାପି ଯେତିକି ତ୍ରୁଟି କଥା କୁହାଯାଉଛି, ସେତିକି ତ୍ରୁଟି ନାହିଁ। ଖୁବଶୀଘ୍ର ପିଲାଙ୍କୁ ତ୍ରୁଟିଶୂନ୍ୟ ବହି ଯୋଗାଇ ଦିଆଯିବ। ଗଣଶିକ୍ଷା ବିଭାଗର ୱେବ ସାଇଟରେ ସଂଶୋଧିତ କପି ଅପଲୋଡ୍ କରାଯିବ।  

ଗତ ମାସ ୧୮ ତାରିଖରୁ ସ୍କୁଲ ଖୋଲିବା ପରେ ୧୬ଶହରୁ ଅଧିକ ଭୁଲ୍ ଥିବା ବହି ଗୁଡ଼ିକୁ ଧରି ପାଠ ପଢୁଛନ୍ତି ସରକାରୀ ସ୍କୁଲ ପିଲା। ଏବେ ପୁଣି ଥରେ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ବହି ଆସିବ ବୋଲି ବିଭାଗୀୟ ସଚିବ ସ୍ପଷ୍ଟୀକରଣ ରଖିଥିବାବେଳେ କେବେ ଏବଂ କେଉଁ ରୂପରେ ବହି ଆସିବ, ତାକୁ ନେଇ ବଢ଼ିଛି ଚର୍ଚ୍ଚା।..... 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।