Daylight Robbery Turns Deadly: ଘରେ ପଶି ମହିଳାଙ୍କୁ ବାନ୍ଧି ମୁହଁରେ ଟେପ୍ ଲଗାଇଦେଲେ ଲୁଟେରା, ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ
ହରିୟାଣାର ଗୁରୁଗ୍ରାମ ଜିଲ୍ଲା ସୋହନା ଅଞ୍ଚଳରେ ଦିନଦ୍ୱିପ୍ରହରରେ ଲୁଟ୍ ସହ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଘରେ ଏକୁଟିଆ ଥିବା ଜଣେ ମହିଳାଙ୍କୁ ଲୁଟେରାମାନେ ବାନ୍ଧିବା ସହ ତାଙ୍କ ମୁହଁରେ ଟେପ୍ ଲଗାଇ ଦେଇଥିଲେ। ଫଳରେ ଶ୍ୱାସରୁଦ୍ଧ ହୋଇ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାପରେ ଘରୁ ମୂଲ୍ୟବାନ ସାମଗ୍ରୀ ଲୁଟି ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ମୃତ ମହିଳାଙ୍କ ନାଁ ନୀତୁ ବୋଲି ଜଣାପଡ଼ିଛି। ତାଙ୍କ ସ୍ୱାମୀ ପ୍ରଶାନ୍ତ ଏକ ଘରୋଇ ସ୍କୁଲରେ ଶିକ୍ଷକ ଭାବେ କାମ କରନ୍ତି।
ପିଲାଙ୍କୁ ସ୍କୁଲରୁ ଆଣି ଫେରିବା ପରେ ଜଣାପଡ଼ିଲା ଘଟଣା
ସୂଚନା ଅନୁସାରେ, ଘଟଣା ଦିନ ପ୍ରାୟ ଅପରାହ୍ନ ୨ଟାରେ ପ୍ରଶାନ୍ତ ପିଲାମାନଙ୍କୁ ସ୍କୁଲରୁ ଆଣି ଘରକୁ ଫେରିଥିଲେ। ଘର ଭିତରେ ଜିନିଷପତ୍ର ଏଣେତେଣେ ପଡ଼ିଥିବା ଦେଖି ତାଙ୍କର ସନ୍ଦେହ ହୋଇଥିଲା। ଖୋଜାଖୋଜି କରିବା ପରେ ବାଥରୁମ୍ରେ ନୀତୁଙ୍କୁ ହାତ ବନ୍ଧା ଅବସ୍ଥାରେ ଦେଖିବାକୁ ପାଇଥିଲେ।
ତାଙ୍କୁ ତୁରନ୍ତ ସୋହନାର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ନୀତୁଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।
ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ପୋଲିସ
ଖବର ପାଇ ସୋହନା ଏସିପି ମୁକେଶ ଯାଦବଙ୍କ ନେତୃତ୍ୱରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଫରେନସିକ୍ ସାଇନ୍ସ ଲାବୋରେଟୋରି ଟିମ୍ ମଧ୍ୟ ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରିଛି।
ପରିବାର ସଦସ୍ୟଙ୍କ ବୟାନ ଆଧାରରେ ଅଜଣା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଲୁଟେରାଙ୍କୁ ଚିହ୍ନଟ କରିବା ଏବଂ ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ପୋଲିସ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।