Delhi Court Release Abhijeet Dipke: ଅଭିଜିତ ଦୀପକେଙ୍କୁ ସର୍ତ୍ତମୂଳକ ଜାମିନ, ଦିଲ୍ଲୀ କୋର୍ଟଙ୍କ ବଡ଼ ନିର୍ଦ୍ଦେଶ
ଦିଲ୍ଲୀରେ ବିକ୍ଷୋଭ, ଅଟକ ଓ ଗିରଫଦାରୀକୁ ନେଇ ବଢ଼ିଲା ରାଜନୈତିକ ଉଷ୍ମତା। ଶେଷରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ମୁକ୍ତ ହେବେ କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ। ଶୁକ୍ରବାର ଅଟକ ପରେ ଗିରଫ ହୋଇଥିବା ଦୀପକଙ୍କୁ ଶନିବାର ସର୍ତ୍ତମୂଳକ ଜାମିନ ଦେବାକୁ ଦିଲ୍ଲୀର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶାନ୍ତି ଭଙ୍ଗ ନକରିବା ନେଇ ତାଙ୍କୁ ବଣ୍ଡ୍ରେ ଦସ୍ତଖତ କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି।
ନିର୍ବାଚନରେ କଥିତ ଅନିୟମିତତାକୁ ବିରୋଧ କରି ଦିଲ୍ଲୀର କନଟ୍ ପ୍ଲେସ୍ରେ ‘ଲେହରା ଦୋ ତିରଙ୍ଗା’ ନାମରେ ଏକ ପଦଯାତ୍ରା ଆୟୋଜନ କରାଯାଉଥିଲା। ଏହି ପଦଯାତ୍ରା ପୂର୍ବରୁ ଦିଲ୍ଲୀ ପୋଲିସ ଅଭିଜିତ ଦୀପକେ ଓ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AISA)ର ସଭାପତି ନେହା ବୋରାଙ୍କୁ ଅଟକ ରଖିଥିଲା। ପରେ ନେହାଙ୍କୁ ଶନିବାର ସକାଳେ ଛାଡ଼ି ଦିଆଯାଇଥିବା ବେଳେ ଦୀପକେଙ୍କୁ ଶାନ୍ତି ଭଙ୍ଗ ଅଭିଯୋଗରେ ନୂଆ ମାମଲାରେ ଗିରଫ କରାଯାଇଥିଲା।
ମୁକ୍ତି ପରେ ନେହା ବୋରା ଦିଲ୍ଲୀ ପୋଲିସ ଓ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଅଟକକୁ ବେଆଇନ ବୋଲି ଅଭିଯୋଗ କରିବା ସହ ଭୋଟର ତାଲିକାର ସ୍ୱତନ୍ତ୍ର ଯାଞ୍ଚ ପ୍ରକ୍ରିୟା (SIR) ବନ୍ଦ କରିବାକୁ ଦାବି କରିଛନ୍ତି। ଏଥିସହ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଗିରଫଦାରୀ ମଧ୍ୟ ଦାବି କରିଛନ୍ତି। ତେବେ ନିର୍ବାଚନ ଆୟୋଗ କହିଛି ଯେ ଏହାର ନିଷ୍ପତ୍ତିଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ଅନୁମୋଦନ ମିଳିଛି। ଅନ୍ୟପଟେ, ବିଜେପି ଏହି ବିକ୍ଷୋଭକୁ ବିଦେଶୀ ଅର୍ଥରେ ପରିଚାଳିତ ବୋଲି ଅଭିଯୋଗ କରିଛି।
ପୋଲିସ ସୂଚନା ଅନୁସାରେ, ଶୁକ୍ରବାର ଆଇନଶୃଙ୍ଖଳା ଓ ଯାତାୟାତ ବ୍ୟବସ୍ଥା ବଜାୟ ରଖିବା ପାଇଁ ପ୍ରାୟ ୧୫୦ ଜଣଙ୍କୁ ଅଟକ ରଖାଯାଇଥିଲା। କନଟ୍ ପ୍ଲେସ୍ର ସେଣ୍ଟ୍ରାଲ୍ ପାର୍କରେ ସୁରକ୍ଷା ବାହିନୀ ମୁତୟନ କରାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।