Dead: ବିଲରେ ମାଛ ଧରୁଥିବା ବେଳେ ବଜ୍ରାଘାତରେ ୧୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ

Sep 26, 2026 - 22:56
Dead: ବିଲରେ ମାଛ ଧରୁଥିବା ବେଳେ ବଜ୍ରାଘାତରେ ୧୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ

"ବୈଶିଙ୍ଗା (ଦୀପକ କୁମାର ସିଂହ): ମାଛ ଧରିବାକୁ ଖୁସିରେ ଘରୁ ବାହାରିଥିଲେ।

ହେଲେ କିଏ ଜାଣିଥିଲା, ସେହି ଯାତ୍ରା ତାଙ୍କ ଜୀବନର ଶେଷ ଯାତ୍ରା ହୋଇଯିବ!

ଘରକୁ ଫେରିବା ବାଟକୁ ଚାହିଁ ବସିଥିବା ପରିବାରକୁ ମିଳିଲା ଦୁଃଖଦ ଖବର।

ବଜ୍ରାଘାତ ଛଡ଼ାଇ ନେଲା ୧୮ ବର୍ଷୀୟ ଯୁବକ ଗୋବିନ୍ଦ ସିଂଙ୍କ ଜୀବନ।

ଏହି ଅକାଳ ମୃତ୍ୟୁରେ ପରିବାରରେ ଖେଳିଯାଇଛି ଶୋକର ଛାୟା।

ଗାଁରେ ମଧ୍ୟ ଖେଳିଯାଇଛି ଗଭୀର ଦୁଃଖ ଓ ନିରବତା।Advertisment ସୂଚନା ଅନୁଯାୟୀ, ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ପଞ୍ଚାୟତର ଅଙ୍ଗାରୁଆ ଗ୍ରାମର ରାମଚନ୍ଦ୍ର ସିଂଙ୍କ ୧୮ ବର୍ଷୀୟ ପୁଅ ଗୋବିନ୍ଦ ସିଂ ଶନିବାର ମଧ୍ୟାହ୍ନରେ ଗାଁ ନିକଟସ୍ଥ ବିଲକୁ ମାଛ ଧରିବା ପାଇଁ ଯାଇଥିଲେ।

ତେବେ ଦିନତମାମ ଅଞ୍ଚଳରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ଘନଘନ ବିଜୁଳି ଓ ଘଡ଼ଘଡ଼ି ହେଉଥିଲା।

ଏହି ସମୟରେ ହଠାତ୍‌ ଗୋବିନ୍ଦ ବଜ୍ରାଘାତର ଶିକାର ହୋଇ ତଳେ ପଡ଼ିଯାଇଥିଲେ।

ଘଟଣାସ୍ଥଳରେ ଥିବା ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ରେମୁଣାସ୍ଥିତ ମେଡିକାଲ କଲେଜକୁ ନେଇଯାଇଥିଲେ।

ମାତ୍ର ସେଠାରେ କାର୍ଯ୍ୟରତ ଡାକ୍ତର ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିଲେ।

ଡାକ୍ତରଙ୍କ ଏହି ଘୋଷଣା ପରେ ପରିବାରର ସବୁ ଆଶା ମଉଳି ଯାଇଥିଲା।

ଖବର ପାଇ ପୁଲିସ ଘଟଣାର ତଦନ୍ତ କରିବା ସହ ମୃତଦେହ ଜବତ କରିଥିଲା।

ପରେ ଶବ ବ୍ୟବଚ୍ଛେଦ କରାଯାଇ ମୃତଦେହକୁ ପରିବାରବର୍ଗଙ୍କ ହସ୍ତାନ୍ତର କରାଯାଇଥିଲା।

ବିଳମ୍ବିତ ରାତିରେ ଗ୍ରାମ ଶ୍ମଶାନରେ ଗୋବିନ୍ଦଙ୍କ ଶେଷକୃତ୍ୟ ସମ୍ପନ୍ନ ହେଉଥିବା ଜଣାପଡ଼ିଛି।

Lightning: ତାଳଚେର କଣ୍ଢାଳ ଗ୍ରାମରେ ବଜ୍ରାଘାତ, ୧୧ ଗାଈ ମୃତ୍ୟୁ ଅଳ୍ପ ବୟସରେ ଗୋବିନ୍ଦଙ୍କ ଏପରି ଅକାଳ ବିୟୋଗରେ ପରିବାର ଲୋକେ ଭାଙ୍ଗିପଡ଼ିଥିବା ବେଳେ ଅଙ୍ଗାରୁଆ ଗ୍ରାମରେ ଶୋକର ବାତାବରଣ ସୃଷ୍ଟି ହୋଇଛି।

ଯେଉଁ ବୟସରେ ଜୀବନର ସ୍ୱପ୍ନ ଦେଖିବାର ସମୟ, ସେହି ବୟସରେ ଅଦିନିଆ ବଜ୍ରାଘାତ ଛଡ଼ାଇ ନେଇଛି ଏକ ଅମୂଲ୍ୟ ଜୀବନ।

ଗୋବିନ୍ଦଙ୍କ ଅକାଳ ମୃତ୍ୟୁ ତାଙ୍କ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ରହିଯିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।