Delayed Services Could Cost Officials: ସରକାରୀ ସେବାରେ ଆଉ ଚଳିବନି ମନମାନୀ, ଖିଲାପ କଲେ କଟିବ ଦରମା

Aug 24, 2026 - 20:09
Delayed Services Could Cost Officials: ସରକାରୀ ସେବାରେ ଆଉ ଚଳିବନି ମନମାନୀ, ଖିଲାପ କଲେ କଟିବ ଦରମା

ଲୋକଙ୍କ ସେବା ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଦରମାରୁ କଟିବ ଦିନକୁ ୨୫୦ ଟଙ୍କା ଜରିମାନା। ସାଧାରଣ ପ୍ରଶାସନ ଆଣିଲା ନୂଆ ଗାଇଡଲାଇନ୍। ଲାଗୁ ହେବ ଅଟୋ ଅପିଲ୍ ସିଷ୍ଟମ। ଓଡ଼ିଶା ଜନସେବା ଅଧିକାର ଆଇନ, ୨୦୧୨ ଅଧିନରେ ଥିବା ସମସ୍ତ ସରକାରୀ ସେବା ଯୋଗାଣ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଲାଗୁ ହୋଇଛି ‘ଅଟୋ-ଅପିଲ୍ ସିଷ୍ଟମ୍’। ଏହାର ସୁପରିଚାଳନା ପାଇଁ ସାଧାରଣ ପ୍ରଶାସନ ଆଣିଛି, ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର୍ ବା ଏସଓପି। ସେବାରେ ଖିଲାପ ହେଲେ କି ବିଳମ୍ବ ହେଲେ ଆପେ ଆପେ ହେବ ଅପିଲ୍। ଆଉ ଦାୟୀ ରହିବେ ସଂପୃକ୍ତ ଅଧିକାରୀ। ନୂଆ ଏସଓପିରେ ଆର୍ଥିକ ଜୋରିମାନାର ବ୍ୟବସ୍ଥା ରହିଛି। କାର୍ଯ୍ୟରେ ବିଳମ୍ବ ପାଇଁ ଦାୟୀ ଅଫିସରଙ୍କ ଉପରେ ଦିନକୁ ୨୫୦ ଟଙ୍କା ହିସାବରେ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ କରାଯାଇପାରିବ। ଜୋରିମାନା ଅର୍ଥକୁ ସଂପୃକ୍ତ ଅଫିସରଙ୍କ HRMS ଓ ଟ୍ରେଜେରୀ ସିଷ୍ଟମ ସହ ସଂଯୋଗ କରି ସିଧାସଳଖ ତାଙ୍କ ଦରମାରୁ ଆଦାୟ କରାଯିବାର ପ୍ରାବଧାନ ରହିଛି। 

ନୂଆ ଏସଓପି ଅନୁସାରେ, ଓଡ଼ିଶା ଜନସେବାରେ ସାମିଲ ହୋଇଥିବା ସେବା ପାଇବା ପାଇଁ ଜଣେ ଆବେଦନକାରୀ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ଆବେଦନ କରିବା ପରେ ମିଳିବ ଏକ  ଆକନଲେଜମେଣ୍ଟ ନମ୍ବର। ଯଦି ନିର୍ଦ୍ଦିଷ୍ଟ ଦାୟିତ୍ୱପ୍ରାପ୍ତ ଅଫିସର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉକ୍ତ ଆବେଦନର ସମାଧାନ କରି ସେବା ପ୍ରଦାନରେ ବିଫଳ ହୁଅନ୍ତି, ତେବେ କୌଣସି ଅତିରିକ୍ତ ଆବେଦନ ବିନା ସିଷ୍ଟମ ଉକ୍ତ ମାମଲାକୁ ‘ଅଟୋ-ଅପିଲ୍ ’ ଭାବରେ ପ୍ରଥମ ଅପିଲେଟ୍ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ଦେବ। ଏହାସହିତ ସଂପୃକ୍ତ ଦାୟିତ୍ୱପ୍ରାପ୍ତ ଅଫିସରଙ୍କ ପୋର୍ଟାଲ୍ ଆକ୍ସେସ୍ ମଧ୍ୟ ବନ୍ଦ ହୋଇଯିବ। ସେହିପରି ଯଦି ଆପିଲେଟ୍ କର୍ତ୍ତୃପକ୍ଷ ବା ଉପରିସ୍ଥ ଅଧିକାରୀ ୩୦ ଦିନ ମଧ୍ୟରେ ଉକ୍ତ ‘ଅଟୋ-ଅପିଲ’ର ସମାଧାନ ନକରନ୍ତି, ତା’ହେଲେ ମାମଲାଟି ଆପେ ଆପେ 'ଅଟୋ-ରିଭିଜନ୍ ' ମାଧ୍ୟମରେ ରିଭିଜନାଲ୍ କର୍ତ୍ତୃପକ୍ଷଙ୍କ ନିକଟକୁ ପଳାଇଯିବ। ଏ ସମସ୍ତ ପ୍ରକ୍ରିୟାର ପ୍ରତିଟି ପଦକ୍ଷେପ ସଂପର୍କରେ ଆବେଦନକାରୀ ତଥା ସଂପୃକ୍ତ ଅଧିକାରୀମାନଙ୍କୁ ଏସଏମଏସ, ହ୍ୱାଟ୍ସଆପ୍ ବା ଆମ ସାଥୀ ବଟ୍ ମାଧ୍ୟମରେ ଓ ଇମେଲ୍ ଜରିଆରେ ତୁରନ୍ତ ସୂଚନା ମିଳିବ। ତେବେ ସରକାରଙ୍କ ଏହି ଅନଲାଇନ୍ ଅଧିକାରୀ ଧରପଗଡ଼କୁ ବିରୋଧୀ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି। ବିଜେଡି କହିଚି ଏହା କେବଳ ସରକାରଙ୍କ ଚକା ଭଉଁରୀ ଖେଳ। କଂଗ୍ରେସ କହିଚି- ଉଦ୍ଦେଶ୍ୟ ଭଲ, ହେଲେ କେମିତି ସଫଳ ହେବ ତାକୁ ନେଇ ପ୍ରଶ୍ନ। ସରକାର କହିଛନ୍ତି ଲୋକଙ୍କୁ ତ୍ବରିତ ସେବା ଦେବାରେ ଏହା ବଡ଼ ଭୂମିକା ନେବ। 

ବିଭିନ୍ନ ସାର୍ଟିଫିକେଟ୍ ଠାରୁ ଆରମ୍ଭ କରି ପେନସନ, ବଦଳି, କାମଗୁଡିକ ଅଟୋ ଅପିଲ୍ ମାଧ୍ୟମରେ ସୁରଖୁରରେ ହୋଇ ପାରିବ। ହ୍ବାଟସଆପ୍ ଚାଟ୍ ବଟରେ ବିଭିନ୍ନ ବିଭାଗର 140 ସେବା ଉପଲବ୍ଧ ରହିଛି। ତେବେ ରାଜ୍ୟରେ ପ୍ରଶାସନିକ ପାରଦର୍ଶିତା ସହ ଡିଜିଟାଲ୍ ପ୍ରଶାସନ ଓ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲୋକଙ୍କୁ ସରକାରୀ ସେବା ପ୍ରଦାନ ସୁନିଶ୍ଚିତ କରିବା ଦିଗରେ ଏହି ପଦକ୍ଷେପ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି କୁହାଯାଉଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।