Dhanteras Gold Sales: ଧନତେରସ ଧମାକା! ମହଙ୍ଗାକୁ ଖାତିର ପଡିଲା ନାହିଁ, ବୋହିନେଲେ ୬୦ ହଜାର କୋଟି ଟଙ୍କାର ସୁନା

Nov 08, 2026 - 14:05
Dhanteras Gold Sales: ଧନତେରସ ଧମାକା! ମହଙ୍ଗାକୁ ଖାତିର ପଡିଲା ନାହିଁ, ବୋହିନେଲେ ୬୦ ହଜାର କୋଟି ଟଙ୍କାର ସୁନା

ଧନତେରସ ଅବସରରେ ସାରା ଦେଶରେ ସୁନା-ରୁପା କିଣାକିଣିରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି।

ପରମ୍ପରା ଅନୁସାରେ ଧନତେରସ ଦିନ ସୁନା, ରୁପା ଏବଂ ମୂଲ୍ୟବାନ ସାମଗ୍ରୀ କିଣିବାକୁ ଶୁଭ ମନାଯାଏ।

ଏହି କାରଣରୁ ଶୁକ୍ରବାର ଦିନ ଦେଶର ପ୍ରମୁଖ ଗହଣା ବଜାର ଓ ଶୋ'ରୁମ୍‌ଗୁଡ଼ିକରେ ଗ୍ରାହକଙ୍କ ଭାରି ଭିଡ଼ ଦେଖିବାକୁ ମିଳିଥିଲା।

Advertisment ଚଳିତବର୍ଷ ଧନତେରସରେ ସୁନା ବିକ୍ରି ମୂଲ୍ୟ ଆଧାରରେ ଗତବର୍ଷ ତୁଳନାରେ ପ୍ରାୟ ୧୫ରୁ ୨୦ ପ୍ରତିଶତ ବଢ଼ିଥିବା ଆକଳନ କରାଯାଇଛି।

ଅଲ୍ ଇଣ୍ଡିଆ ଜେମ୍ ଆଣ୍ଡ ଜୁଏଲରୀ ଡୋମେଷ୍ଟିକ୍ କାଉନସିଲ୍‌ର ଆକଳନ ଅନୁସାରେ, ଭାରତୀୟମାନେ ଚଳିତ ଧନତେରସରେ ପ୍ରାୟ ୬୦ ହଜାର କୋଟି ଟଙ୍କାର ସୁନା କିଣିଛନ୍ତି।

ତେବେ ବିକ୍ରି ହୋଇଥିବା ସୁନାର ମୋଟ ପରିମାଣ ଗତବର୍ଷ ତୁଳନାରେ ପ୍ରାୟ ସମାନ ରହିଛି।

ଏହାର ମୁଖ୍ୟ କାରଣ ହେଉଛି ସୁନାର ଉଚ୍ଚ ଦର।

ଦର ଅଧିକ ଥିବାରୁ ଅନେକ ଗ୍ରାହକ ଭାରୀ ଗହଣା ବଦଳରେ ହାଲୁକା ଓ କମ୍ ଓଜନର ଗହଣା କିଣିବାକୁ ପସନ୍ଦ କରିଛନ୍ତି।

Advertisment ଅଲ୍ ଇଣ୍ଡିଆ ଜୁଏଲର୍ସ ଆଣ୍ଡ ଗୋଲ୍ଡସ୍ମିଥ୍ ଫେଡେରେସନ୍‌ର ତଥ୍ୟ ଅନୁସାରେ, ଗତ କିଛି ଦିନରେ ସାରା ଦେଶରେ ସୁନା ଓ ରୁପାର ମୋଟ ବିକ୍ରି ୬୬ ହଜାର କୋଟି ଟଙ୍କା ଅତିକ୍ରମ କରିଛି।

କେବଳ ଦିଲ୍ଲୀର ସରାଫା ବଜାରରେ ୧୦ ହଜାର କୋଟି ଟଙ୍କାରୁ ଅଧିକ କାରବାର ହୋଇଥିବା କୁହାଯାଇଛି।

ରୁପା ବଜାରରେ ମଧ୍ୟ ଚଳିତବର୍ଷ ଭଲ ଚାହିଦା ଦେଖିବାକୁ ମିଳିଛି।

ମୂଲ୍ୟ ଆଧାରରେ ରୁପା ବିକ୍ରି ପ୍ରାୟ ୩୦ ପ୍ରତିଶତ ବଢ଼ିବା ଆଶା କରାଯାଇଥିବାବେଳେ ପରିମାଣ ଆଧାରରେ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ହେବାର ଆକଳନ କରାଯାଇଛି।

ବିଶେଷକରି ପଶ୍ଚିମ ଏବଂ ଉତ୍ତର ଭାରତରେ ଶୋ'ରୁମ୍‌କୁ ଆସୁଥିବା ଗ୍ରାହକଙ୍କ ସଂଖ୍ୟା ଓ ପୂର୍ବରୁ କରାଯାଇଥିବା ବୁକିଂ ଗତବର୍ଷ ତୁଳନାରେ ଅଧିକ ରହିଛି।

ସୁନାର ଦର ଉଚ୍ଚ ଥିଲେ ମଧ୍ୟ ଧନତେରସର ଶୁଭ ମୁହୂର୍ତ୍ତରେ ଗ୍ରାହକମାନେ କିଣାକିଣିରୁ ପଛକୁ ହଟିନାହାନ୍ତି।

ଦିଲ୍ଲୀରେ ନଭେମ୍ବର ୬ରେ ୨୪ କ୍ୟାରେଟ୍ ସୁନାର ଦର ଟ୍ୟାକ୍ସ ସହ ୧୦ ଗ୍ରାମ ପିଛା ପ୍ରାୟ ୧.୪୬ ଲକ୍ଷ ଟଙ୍କା ରହିଥିଲା।

ଯଦିଓ ଏହା ଜାନୁଆରୀ ୨୯ରେ ରେକର୍ଡ ହୋଇଥିବା ୧.୮୩ ଲକ୍ଷ ଟଙ୍କାର ସର୍ବୋଚ୍ଚ ସ୍ତରଠାରୁ କମ୍, ତଥାପି ଗତବର୍ଷ ଧନତେରସର ୧.୩୨ ଲକ୍ଷ ଟଙ୍କା ଦରଠାରୁ ଅଧିକ।

ଚଳିତ ଧନତେରସରେ ରୁପା ଦର ମଧ୍ୟ କିଲୋ ପିଛା ପ୍ରାୟ ୧.୯୨ ଲକ୍ଷ ଟଙ୍କା ରହିଥିଲା।

ଗତବର୍ଷ ଧନତେରସରେ ଏହି ଦର ପ୍ରାୟ ୧.୭୦ ଲକ୍ଷ ଟଙ୍କା ଥିଲା।

ଦର ବୃଦ୍ଧି ସତ୍ତ୍ୱେ ରୁପା କଏନ୍ ଏବଂ ଛୋଟ ରୁପା ସାମଗ୍ରୀ ପ୍ରତି ଗ୍ରାହକଙ୍କ ଆଗ୍ରହ ଜାରି ରହିଛି।

ଏଥର ଧନତେରସ କିଣାକିଣିରେ ଆଉ ଏକ ବଡ଼ ଟ୍ରେଣ୍ଡ ଥିଲା ହାଲୁକା ଓଜନର ଗହଣା।

ଗ୍ରାହକମାନେ ଭାରୀ ହାର କିମ୍ବା ବଡ଼ ଗହଣା ଅପେକ୍ଷା ହାଲୁକା ପେଣ୍ଡାଣ୍ଟ, ଚୁଡ଼ି, ଚେନ୍ ଓ ଛୋଟ ସୁନା-ରୁପା କଏନ୍‌କୁ ଅଧିକ ପସନ୍ଦ କରିଛନ୍ତି।

୧୮ କ୍ୟାରେଟ୍ ଜୁଏଲରୀର ଚାହିଦା ମଧ୍ୟ ଏଥର ବେଶ୍ ମଜବୁତ ରହିଛି।

କିଛି ଜୁଏଲରୀ କମ୍ପାନୀର ମୋଟ ବିକ୍ରିରେ ୧୮ କ୍ୟାରେଟ୍ ଗହଣାର ଅଂଶ ପ୍ରାୟ ଅଧା ରହିଥିବା ଦେଖାଯାଇଛି।

ସେହିପରି ୧୪ କ୍ୟାରେଟ୍ ଓ ୯ କ୍ୟାରେଟ୍ ଡିଜାଇନ୍‌କୁ ମଧ୍ୟ ଗ୍ରାହକମାନେ ପସନ୍ଦ କରିଛନ୍ତି।

ଏହାସହ ୧ ଗ୍ରାମରୁ ୫ ଗ୍ରାମ ପର୍ଯ୍ୟନ୍ତ ଛୋଟ ସୁନା କଏନ୍‌ର ଚାହିଦା ମଧ୍ୟ ଭଲ ରହିଛି।

ଅର୍ଥାତ୍ ସୁନାର ଉଚ୍ଚ ଦର ଗ୍ରାହକଙ୍କ କିଣାକିଣି ଅଭ୍ୟାସକୁ ବଦଳାଇଥିଲେ ମଧ୍ୟ ଧନତେରସର ପାରମ୍ପରିକ ଚାହିଦାକୁ ରୋକିପାରିନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।