Digha Sees Bumper Hilsa: ଦିଘାରେ ଇଲିଶି ଜୁଆର; ମୁହାଣରେ ଜାଲ ଭର୍ତ୍ତି, ଓଡ଼ିଶା ଉପକୂଳରେ ଦୀର୍ଘ ଅପେକ୍ଷା

Aug 11, 2026 - 20:12
Digha Sees Bumper Hilsa: ଦିଘାରେ ଇଲିଶି ଜୁଆର; ମୁହାଣରେ ଜାଲ ଭର୍ତ୍ତି, ଓଡ଼ିଶା ଉପକୂଳରେ ଦୀର୍ଘ ଅପେକ୍ଷା

ମାଛର ରାଜା ଇଲିଶି। ଏବେ କାହା ପାଇଁ ଖୁସିର ଖବର, ତ କାହା ପାଇଁ ସାତ ସପନ। ଦିଘା ମୁହାଣରେ ଜାଲ ଭର୍ତ୍ତି ଇଲିଶି, ଆଉ ଓଡ଼ିଶା ଉପକୂଳରେ ଦୀର୍ଘ ଅପେକ୍ଷା। ଆଜି ଦିନକରେ ୩୦ ଟନରୁ ଅଧିକ ଇଲିଶି ଆସିବା ପରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଦିଘା ମୁହାଣରେ ମତ୍ସ୍ୟଜୀବୀ ଓ ବ୍ୟବସାୟୀଙ୍କ ମୁହଁରେ ହସ ଫୁଟିଛି। ବଜାରରେ ଦର ବି ଖସିଛି। କିନ୍ତୁ ବିପରୀତ ଚିତ୍ର ଓଡ଼ିଶାର ପାରାଦୀପ, ଧାମରା ଓ ଅସ୍ତରଙ୍ଗ ଉପକୂଳରେ।

ଦିଘାରେ ଇଲିଶିର ଜୁଆର... ଓଡ଼ିଶା ଉପକୂଳରେ ହାହାକାର! ଏ ଦୃଶ୍ୟ ଦିଘା ଫିସିଂ ହାର୍ବରର। ସକାଳୁ ସକାଳୁ ବନ୍ଦରରେ ଲାଗୁଛି ଟ୍ରଲର ପରେ ଟ୍ରଲର। ଆଉ ଟ୍ରଲରରୁ ଖାଲି ହେଉଛି ମାଛର ରାଜା ଇଲିଶି। ଦୀର୍ଘ ଦିନ ପରେ ଦିଘା ମୁହାଣରେ ଇଲିଶିର ଏଭଳି ବମ୍ପର୍ ପ୍ରଡକସନ୍। 

ଆଜି ଦିନକରେ ୩୦ ଟନରୁ ଅଧିକ ଇଲିଶି ଆସିବା ପରେ ଚଳଚଞ୍ଚଳ ନିଲାମ କେନ୍ଦ୍ର। ଲାଗିଛି ବ୍ୟବସାୟୀଙ୍କ ଭିଡ଼।ନିଲାମ ପାଇଁ ଚାଲିଛି ପ୍ରତିଯୋଗିତା। ଆଉ ଟ୍ରଲର ମାଲିକଙ୍କ ମୁହଁରେ ଖୁସି। ମତ୍ସ୍ୟଜୀବୀଙ୍କ କହିବା କଥା, ସମୁଦ୍ରର ବଦଳୁଥିବା ପାଗ, ବର୍ଷା ଏବଂ ନଦୀ ମୁହାଣରେ ମିଠା-ଲୁଣିଆ ପାଣିର ମିଶ୍ରଣ ଇଲିଶିକୁ କୂଳ ଆଡ଼କୁ ଟାଣି ଆଣୁଛି। 

ପ୍ରଜନନ ଋତୁରେ ମୁହାଣ ଆଡ଼କୁ ଆସୁଥିବା ଇଲିଶି ଏବେ ବହୁ ପରିମାଣରେ ଜାଲରେ ପଡ଼ୁଛନ୍ତି। ଯେଉଁଠି କିଲିକିଆ ଇଲିଶି ପ୍ରାୟ ୧୮ ଶହ ଟଙ୍କାରେ ବିକ୍ରି ହେଉଥିଲା, ଏବେ ମିଳୁଛି ପ୍ରାୟ ୧୩ ଶହ ଟଙ୍କାରେ। ସେହିପରି ଅଧା କିଲିଆ ଇଲିଶି ୭ରୁ ୮ ଶହ, ଆଉ ଛୋଟ ଇଲିଶି ବି ଶସ୍ତା ହୋଇଛି। ଫଳରେ ମତ୍ସ୍ୟଜୀବୀଙ୍କଠୁ ବ୍ୟବସାୟୀ ଓ ଖାଉଟି ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଖୁସି।

କିନ୍ତୁ ପଡ଼ୋଶୀ ଓଡ଼ିଶାରେ ଚିତ୍ର ପୂରା ଓଲଟା। ପାରାଦୀପ ବାଲିପ୍ଲଟରେ ଇଲିଶି ଏବେ ସାତ ସପନ। ଏଠି ମହାନଦୀ ମୁହାଣରେ ହାତପାହାନ୍ତାରେ ମିଳୁଥିବା ଇଲିଶି ଏବେ ଜାଲରେ ପଡ଼ୁନି। ଯେତିକି ମାଛ ପଡ଼ୁଛି, ତାର ଦର ଶୁଣିଲେ ଖାଉଟିଙ୍କ ମୁଣ୍ଡ ଘୁରାଉଛି। ଏଠି କିଲୋ ପିଛା ପ୍ରାୟ ୨ ହଜାରରୁ ୨୨ ଶହ ଟଙ୍କାରେ ଇଲିଶି ବିକ୍ରି ହେଉଛି। 

ପୁରୀ ଉପକୂଳର ଅସ୍ତରଙ୍ଗଠୁ ଚନ୍ଦ୍ରଭାଗା ସବୁଠି ସମାନ ଚିତ୍ର। ମତ୍ସ୍ୟଜୀବୀଙ୍କ କହିବା କଥା, ମୁହାଣକୁ ମିଠା ଗୋଳିଆ ପାଣିର ଆଗମନ କମିବା ଦ୍ବାରା ଜାଲରେ ମାଛ ଲାଗୁନାହାନ୍ତି। ଧାମରାର ଚାନ୍ଦିନିପାଳରେ ବି ଚାହିଦା ଅଛି, କିନ୍ତୁ ଇଲିଶିିର ଦେଖା ନାହିଁ। ଏଠି ୮୦୦ରୁ ୯୦୦ ଗ୍ରାମ୍ ସାଇଜର ଇଲିଶି ପାଇଁ ଗଣିବାକୁ ପଡ଼ୁଛି ୧୭ରୁ ୧୮ ଶହ ଟଙ୍କା।

ଗୋଟିଏ ପଟେ ଦିଘାରେ ଟନ୍ ଟନ୍ ଇଲିଶି ପାଇଁ ଖାଉଟିଙ୍କ ମୁହଁରେ ଖୁସି। ଅନ୍ୟପଟେ ଓଡ଼ିଶା ଉପକୂଳରେ ଇଲିଶି ପାଇଁ ଦୀର୍ଘ ଅପେକ୍ଷା। ଏଠି ପ୍ରଶ୍ନ ଆସୁଛି—ଦୁଇ ଉପକୂଳରେ ଏତେ ବଡ଼ ଫରକ କାହିଁକି ? ମୁହାଣର ପରିବେଶ, ପାଣିର ଗୁଣବତ୍ତା ନା ସମୁଦ୍ରର ବଦଳୁଥିବା ଗତିବିଧି କଣ ହୋଇପାରେ କାରଣ ? 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।