DJ Rules Flouted Despite Restrictions: ଛାତିଥରା ଡିଜେ ସାଉଣ୍ଡକୁ ନେଇ ବଢ଼ିଲା ଟେନସନ୍, ପାର୍ବଣ ପୂର୍ବରୁ ଆସିବ ଗାଇଡଲାଇନ୍

Sep 28, 2026 - 20:06
DJ Rules Flouted Despite Restrictions: ଛାତିଥରା ଡିଜେ ସାଉଣ୍ଡକୁ ନେଇ ବଢ଼ିଲା ଟେନସନ୍, ପାର୍ବଣ ପୂର୍ବରୁ ଆସିବ ଗାଇଡଲାଇନ୍

ଆଖି ଝଲସା ଆଲୁଅ, ହାଇ ଭଲ୍ୟୁମ୍ ସାଉଣ୍ଡ୍। ଭଳିକି ଭଳି ଡିସ୍କୋ ଲାଇଟ୍, ଛୋଟଠୁ ବଡ଼ ଡିଜେ ବକ୍ସ୍। କାନ ତାବଦା ହୋଇଯାଉଛି। ସର୍ବାଙ୍ଗ ଥରି ଉଠୁଛି। ମସ୍ତି ଭିତରେ ଛାତିକୁ ଦୋହଲାଇ ଦେଉଛି ମ୍ୟୁଜିକ୍ ମାଡ଼। ଡିଜେର ବିକଟାଳ ଶବ୍ଦ କେତେ ଯେ ଭୟଙ୍କର. ଜଟଣୀ ଗଣେଶ ଭସାଣରେ ତାର ଚିତ୍ର ଦେଖିଛି ସାରା ଓଡ଼ିଶା। ଘରର ତାଜା ଫାଟି ଜଣଙ୍କର ମୃତ୍ୟୁ ପରେ ଡିଜେକୁ ନେଇ ବଢିଛି ଟେନସନ୍। ରାଜ୍ୟର କୋଣ ଅନୁକୋଣରୁ ତେଜିଛି ଡିଜେ ବ୍ୟାନ୍ ଦାବି।

ସାଧାରଣ ଲୋକଙ୍କ କହିବା ହେଲା, ଡିଜେ ବାଜିବାବେଳେ ଆଉ ରହୁନି ବାଡ଼ବତା। ଶବ୍ଦ ନିୟନ୍ତ୍ରଣ ଧର୍ମକୁ ଆଖିଠାର ଭଳି। ଅତି ଭୟାନକ ସାଜୁଛି ଭାଇବ୍ରେଟର୍। ମନଇଚ୍ଛା ସାଉଣ୍ଡ ବଢ଼ାଇ ଜୀବନ ସହ ଖେଳ ଚାଲିଛି। ୬୫ ଡେସିବେଲରୁ ଅଧିକ ଶବ୍ଦରେ ଡିଜେ ନବଜାଇବାକୁ ନିୟମ ଥିଲେ ମଧ୍ୟ କେହି ମାନୁନାହାନ୍ତି। ଫଳରେ କାହାର କାନ ପରଦା ଫାଟୁଛି ତ କାହାକୁ ହାର୍ଟଆଟାକ୍ ଆସୁଥିବା ଅଭିଯୋଗ ଆସୁଛି। ଏଣୁ ଡିଜେ ବ୍ୟାନ୍ କିମ୍ବା କମ୍ ସାଉଣ୍ଡରେ ବଜାଇବା ପାଇଁ ସଚେତନ କରିବାକୁ ମତପ୍ରକାଶ ପାଇଛି। ସେପଟେ ଡିଜେ ମାଲିକଙ୍କ ଯୁକ୍ତି- ଅନେକ ସମୟରେ ଅଧିକ ସାଉଣ୍ଡ ପାଇଁ କମିଟି ଚାପ ପକାଉଛନ୍ତି। 

ଆଗକୁ ଦଶହରା, ପରେ ପରେ କାଳୀ ପୂଜା। ଜମାଣିଆ ଭସାଣ ଉତ୍ସବ ପାଇଁ ଡିମାଣ୍ଡରେ ଡିଜେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କଟକ ସହରରେ ଡିଜେକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଥିଲେ ମଧ୍ୟ ଆଖପାଖ ଅଞ୍ଚଳ ଓ ରାଜ୍ୟର ଅନେକ ସ୍ଥାନରେ ଡିଜେ ମଉଜ କରାଯାଉଛି। ଏଣୁ ପାର୍ବଣରେ ଡିଜେ ଉପରେ ପ୍ରଶାସନ କେତେ ଅଙ୍କୁଶ ଲଗାଇପାରିବ ସେ ନେଇ ପ୍ରଶ୍ନ ଉଠିଛି। କାରଣ ଜଟଣୀରେ ଖୋଦ୍ ପୋଲିସ୍ ଉପସ୍ଥିତ ଥାଇ ମଧ୍ୟ ଏକାଧିକ କମିଟି ନିୟମକୁ ମାନି ନଥିଲେ। ଏପଟେ ଶରୀର ଉପରେ ଡିଜେର ଭୟାବହତାକୁ ନେଇ ସତର୍କ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। 

ଏପଟେ ଜଟଣୀ ଡିଜେ ଟ୍ରାଜେଡି ପାଇଁ ଦାୟୀ କିଏ ? କାହା ଭୁଲ୍ ପାଇଁ ଚାଲିଗଲା ଧନଜୀବନ ? ଭସାଣ ଉତ୍ସବକୁ କେବଳ ସାଉଣ୍ଡ ସିଷ୍ଟମ ସହ ୬୫ ଡେସିବେଲରେ ମ୍ୟୁଜିକ ବଜାଇବାକୁ ଅନୁମତି ଥିଲା। ହେଲେ ବାଜିଥିଲା ଛାତିଥରା ଭାଇବ୍ରେଟର୍ ଡିଜେ। କିଛି କ୍ଲବ୍ ଅନୁମତି ନନେଇ ଭିଡ଼ ଭିତରେ ବିକଟାଳ ଡିଜେ ବଜାଇଥିବା ଅଭିଯୋଗ କରିଛନ୍ତି ପୂଜା କମିଟି। ଘଟଣାକୁ ନେଇ ଛାନଭିନ ଚଳାଇଛି କମିଶନରେଟ୍ ପୋଲିସ । ଭୁବନେଶ୍ବର ଡିସିପି କହିଛନ୍ତି, ଦଶହରା ପୂର୍ବରୁ ଡିଜେକୁ ନେଇ ଆସିବ କଡ଼ା ଗାଇଡଲାଇନ୍। 

ଡିଜେ ପାଇଁ ନିୟମ ଥାଇ ମଧ୍ୟ ନଥିଲା ଭଳି। ନା କିଏ ମାନୁଛି ନା କିଏ କଡ଼ାକଡ଼ି ଯାଞ୍ଚ କରୁଛି। ପ୍ରଶ୍ନ ଉଠୁଛି- କାହିଁକି ବାରମ୍ବାର ଡିଜେ ନିୟମର ହେଉଛି ଉଲ୍ଲଂଘନ ? ପୋଲିସ ଉପସ୍ଥିତିରେ କେମିତି ନିୟମର ଉଡ଼ୁଛି ଧଜ୍ଜିଆ ? ପୋଲିସ-ଡିଜେ ମାଲିକଙ୍କ ଭିତରେ ରହୁଛି କି ସଲାସୁତୁରା ? ଏସବୁ ବିବାଦ ଭିତରେ ଆଗକୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିବ କି ପୋଲିସ-ପ୍ରଶାସନ? ପାର୍ବଣରେ ପୂରା ବ୍ୟାନ୍ ହେବ କି ଡିଜେ ?..... 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।