DMF: ଡିଏମ୍ଏଫ୍ରେ ଦୁର୍ନୀତିର ଗନ୍ଧ: ଖଣି ପ୍ରଭାବିତ ଗାଁକୁ ଅଣଦେଖା, ହିତାଧିକାରୀ ଚିହ୍ନଟ କରାଯାଉନି
ଭୁବନେଶ୍ବର: ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ଓ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର ଯୋଜନାରେ ବ୍ୟାପକ ଅନିୟମିତତାକୁ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ଧରିଛନ୍ତି। ଆଇନ ବାହାରକୁ ଯାଇ ମନଇଚ୍ଛା ପାଣ୍ଠି ଖର୍ଚ୍ଚ କରାଯାଇଛି। ଅଯୋଗ୍ୟ ପ୍ରକଳ୍ପକୁ ଟଙ୍କା ଦିଆଯାଇଛି। ଶେଷ ହୋଇନଥିବା ପ୍ରକଳ୍ପରୁ ଟଙ୍କା ଫେରସ୍ତ ଅଣାଯାଇନାହିଁ।ଆବଶ୍ୟକତାଠାରୁ ଅଧିକ ଅର୍ଥ ଦିଆଯାଇଛି। ପ୍ରକଳ୍ପ କରାଯାଇଛି, କିନ୍ତୁ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ତାହା ପରିତ୍ୟକ୍ତ ହୋଇରହିଛି। ଖଣି ଦ୍ବାରା ପ୍ରଭାବିତ ଗାଁଗୁଡ଼ିକୁ ଅଣଦେଖା କରି ପ୍ରଭାବିତ ହୋଇନଥିବା ଗାଁକୁ ପ୍ରକଳ୍ପ ଦିଆଯାଇଛି। ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ଡିଏମ୍ଏଫ୍ଗୁଡ଼ିକ ଭୁଲି ଯାଇଛନ୍ତି। ଏଭଳି ଅନେକ ତ୍ରୁଟିବିଚ୍ୟୁତିକୁ ସିଏଜି ଚିହ୍ନଟ କରିଛନ୍ତି।
ଆଶା ଓ ଆକାଶ; ରତ୍ନ ଭଣ୍ଡାର ମଣତି: ପ୍ରତିଶ୍ରୁତିର ପରୀକ୍ଷା
ଆଜି ବିଧାନସଭାରେ ଉପସ୍ଥାପିତ ‘ଓଡ଼ିଶାରେ ଡିଏମ୍ଏଫ୍ କାର୍ଯ୍ୟକାରିତା ସମେତ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର ଯୋଜନା କାର୍ଯ୍ୟକାରିତା’ର ସମୀକ୍ଷା ରିପୋର୍ଟ ଅନୁସାରେ, ୨୦୧୫-୧୬ରୁ ୨୦୨୩-୨୪ ମଧ୍ୟରେ ଖଣି ଲିଜ୍ଧାରୀଙ୍କଠାରୁ ଡିଏମ୍ଏଫ୍ ଯୋଗଦାନ ବାବଦରେ ୩୦ଟି ଡିଏମ୍ଏଫ୍ ୨୬,୬୦୨.୬୬ କୋଟି ଟଙ୍କା ପାଇଥିଲେ। ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ୨୫,୯୬୯.୮୭ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ଏହି ସମୀକ୍ଷା ପାଇଁ ରାଜ୍ୟର ଛଅଟି ଡିଏମ୍ଏଫ୍କୁ ନମୁନା ଭାବେ ଗ୍ରହଣ କରାଯାଇଥିଲା। ସେହି ଡିଏମ୍ଏଫ୍ଗୁଡ଼ିକ ଖଣି ଲିଜଧାରୀଙ୍କଠାରୁ ୨୨,୫୬୮.୧୭ କୋଟି ଟଙ୍କା ପାଇଥିଲେ। ସେଥିରୁ ୨୦,୯୪୭.୫୨ କୋଟି ଟଙ୍କାକୁ ୧୭,୪୩୫ଟି ପ୍ରକଳ୍ପ ପାଇଁ ମଞ୍ଜୁର କରାଯାଇଥିଲା। ୨୦୨୪ ମାର୍ଚ୍ଚ ସୁଦ୍ଧା ସେଥିରୁ ୧୦,୦୯୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ଡିଏମ୍ଏଫ୍ଗୁଡ଼ିକ କିନ୍ତୁ କୌଣସି ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିନଥିଲେ।
ପାଞ୍ଚଟି ଡିଏମ୍ଏଫ୍ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ଲୋକମାନଙ୍କୁ ଚିହ୍ନଟ କରିନଥିଲେ। କେନ୍ଦୁଝର ଓ ସୁନ୍ଦରଗଡ଼ରେ ୯୮୩.୩୨ କୋଟି ଟଙ୍କାର ୯୭୬ଟି ପ୍ରକଳ୍ପକୁ ଖଣି ଦ୍ବାରା ପ୍ରଭାବିତ ହୋଇ ନଥିବା ଗାଁରେ ଖର୍ଚ୍ଚ କରାଯାଇଥିଲା। କିନ୍ତୁ ୫୬୦ରୁ ଅଧିକ ପ୍ରଭାବିତ ଗ୍ରାମକୁ ଅଣଦେଖା କରାଯାଇଥିଲା। ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ଅଞ୍ଚଳ ବଦଳରେ ପରୋକ୍ଷ ପ୍ରଭାବିତ ଅଞ୍ଚଳରେ ଅଧିକ ପାଣ୍ଠି ଖର୍ଚ୍ଚ କରାଯାଇଥିଲା। ବିନା ଅନୁମୋଦନରେ କେନ୍ଦୁଝର ଓ ସୁନ୍ଦରଗଡ଼ରେ ୫୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା। ୧.୩୬ କୋଟି ଟଙ୍କା ଖର୍ଚ୍ଚରେ ହୋଇଥିବା ଛଅଟି ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ ୪ଟି ଅଚଳ ରହିଛି। ସେଗୁଡ଼ିକର ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ବ ସମ୍ପୃକ୍ତ ଗ୍ରାମ ପଞ୍ଚାୟତକୁ ଦିଆଯାଇନଥିଲା। ସୁନ୍ଦରଗଡ଼ ଓ କେନ୍ଦୁଝରରେ ଚୁକ୍ତିଭିତ୍ତିକ ଦାନ୍ତ ଡାକ୍ତରଙ୍କୁ ଧାର୍ଯ୍ୟ ହାରଠାରୁ ଅଧିକ ଦରମା ଦିଆଯିବାରୁ ୪୩.୭୯ କୋଟି ଟଙ୍କା ଅଯଥା ଖର୍ଚ୍ଚ ହୋଇଥିଲା।
ଆଶା ଓ ଆକାଶ; ରତ୍ନ ଭଣ୍ଡାର ମଣତି: ପ୍ରତିଶ୍ରୁତିର ପରୀକ୍ଷା
କେନ୍ଦୁଝରରେ ଚିକିତ୍ସା ଉପକରଣ କିଣିବାରେ ୨.୧୮ କୋଟି ଟଙ୍କା ଖର୍ଚ୍ଚ କରାଗଲା। କିନ୍ତୁ ତାହାକୁ ପରିଚାଳନା ପାଇଁ କର୍ମଚାରୀ ନିୟୋଜନ କରାନଯିବାରୁ ଅଚଳ ହୋଇ ପଡ଼ିରହିଛି। ସୁନ୍ଦରଗଡ଼ରେ ମଧ୍ୟ ସେହିଭଳି ଘଟଣା ଘଟିଛି ଯେଉଁଠାରେ ୧.୩୨ କୋଟି ଟଙ୍କାର ମେସିନ୍ କାମରେ ଲାଗୁନାହିଁ। କେନ୍ଦୁଝରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୮ ଛାତ୍ରାବାସ ନିର୍ମାଣ ଓ ଆସବାବପତ୍ର କ୍ରୟରେ ୧୧.୨୬ କୋଟି ଟଙ୍କା ଅଯଥା ଖର୍ଚ୍ଚ କରାଯାଇଥିଲା। ଯାଜପୁରରେ ବି ୪.୩୪ କୋଟି ଟଙ୍କାରେ ନିର୍ମାଣ କରାଯାଇଥିବା ଛାତ୍ରାବାସ ବ୍ୟବହାର ନ ହୋଇ ପଡ଼ିରହିଛି। ଯାଜପୁରରେ ୬.୩୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଲ୍ସେଲ୍ ମାର୍କେଟ୍ କମ୍ପ୍ଲେକ୍ସ ଓ ମିସନ ଶକ୍ତି କାଫେ ବ୍ୟବହାର ନ ହୋଇ ପଡ଼ିରହିଛି। ସୁନ୍ଦରଗଡ଼ରେ ୧୧.୧୮ କୋଟି ଟଙ୍କା ଖର୍ଚ୍ଚରେ ମେଗା ମହୁ ଉତ୍ପାଦନ ପ୍ରକଳ୍ପ ତାଦରଖ ଅଭାବରୁ ଫେଲ୍ ମାରିଥିଲା। ସେହିପରି ମାନବ ସମ୍ବଳ ଅଭାବରୁ ୧.୬୧ କୋଟି ଟଙ୍କା ଖର୍ଚ୍ଚରେ କିଣାଯାଇଥିବା ୧୯ଟି ଆବର୍ଜନା ସଂଗ୍ରହ ୟୁନିଟ୍ ପରିତ୍ୟକ୍ତ ହୋଇ ପଡ଼ିରହିଛି।
ସେହିପରି, ଯାଜପୁରର ସୁକିନ୍ଦା ବ୍ଲକ୍ରେ ମାଙ୍କଡ଼ିଆ ଜନଜାତିଙ୍କ ପାଇଁ ୨.୮୧ କୋଟି ଟଙ୍କାର ଗୃହ ନିର୍ମାଣ ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି। ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ହାଇମାଷ୍ଟ ଲାଇଟ୍ ଲଗାଇବା ପରେ ତାହାର ଆବଶ୍ୟକ ରକ୍ଷଣାବେକ୍ଷଣ କରା ନଯିବାରୁ ପ୍ରାୟ ୮ କୋଟି ଟଙ୍କା ଅପଚୟ ହୋଇଥିଲା ବୋଲି ସିଏଜିଙ୍କ ସମୀକ୍ଷାରୁ ଜଣାପଡ଼ିଛି। ଯାଜପୁରରେ ଏଭଳି ଏକ ଘଟଣା ସାମନାକୁ ଆସିଛି ଯେଉଁଥିରେ ଚାରା କିଣିବା ପାଇଁ ୮.୪୮ କୋଟି ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ଚାରା ବଣ୍ଟନର କୌଣସି ବିବରଣୀ ନାହିଁ। ତେଣୁ ସମସ୍ତ ଅର୍ଥ ଆତ୍ମସାତ ହୋଇଥିବା ସନ୍ଦେହ କରାଯାଉଛି। ସୁନ୍ଦରଗଡ଼ରେ ନିର୍ମାଣ କରାଯାଇଥିବା କଲ୍ୟାଣ ମଣ୍ଡପ ପରିତ୍ୟକ୍ତ ଅବସ୍ଥାରେ ଥିବାରୁ ୧.୯୪ କୋଟି ଟଙ୍କା ଖର୍ଚ୍ଚର କିଛି ଲାଭ ମିଳିନଥିଲା ବୋଲି ସିଏଜି କହିଛନ୍ତି। ଡିଏମ୍ଏଫ୍କୁ ଅଧିକ ଦକ୍ଷ ଓ ପ୍ରଭାବଶାଳୀ କରିବା ପାଇଁ ପ୍ରଭାବିତ ଅଞ୍ଚଳର ତାଲିକା ଅପ୍ଡେଟ୍ କରିବା, ବକେୟା ଡିଏମ୍ଏଫ୍କୁ ଠିକ୍ ସମୟରେ ସଂଗ୍ରହ କରିବା, ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ତାଲିକା ପ୍ରସ୍ତୁତ କରିବା, ପ୍ରକଳ୍ପ ଚିହ୍ନଟ ଓ ପ୍ରାଥମିକତା ପାଇଁ ଗ୍ରାମସଭା ଓ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସାମିଲ କରିବା, ଖର୍ଚ୍ଚ ହୋଇନଥିବା ଟଙ୍କା ଏଜେନ୍ସିଗୁଡ଼ିକଠାରୁ ଫେରସ୍ତ ଆଣିବା, ଖର୍ଚ୍ଚର ଉପଯୋଗ ପ୍ରମାଣପତ୍ର (ୟୁସି) ହାସଲ କରିବା, ଡିଏମ୍ଏଫ୍ମାନଙ୍କ ଦ୍ବାରା ବାର୍ଷିକ ରିପୋର୍ଟ ପ୍ରସ୍ତୁତ ଓ ହିସାବ ଖାତାର ଅଡିଟ୍ କରିବାକୁ ସିଏଜି ସୁପାରିସ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।