Drinking water: ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ମାଲାନସୁଗା ଗ୍ରାମବାସୀ, ଚୁଆପାଣି ବଞ୍ଚାଇଛି ଜୀବନ
ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ପାନୀୟ ଜଳ ପାଇଁ ଚୁଆପାଣି ଏକମାତ୍ର ଭରସା। ଖରା ହେଉ କି ବର୍ଷା, ବର୍ଷବର୍ଷ ଧରି ଏହି ଚୁଆପାଣି ଉପରେ ନିର୍ଭର କରୁଛନ୍ତି ୩୫ଟି ପରିବାର। ନଳକୂପ ଥାଇ ମଧ୍ୟ ପାଣି ମିଳୁନାହିଁ। ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ଲୋକେ ବାଧ୍ୟ ହୋଇ ଚୁଆପାଣି ପିଇବା ସହ ଗାଧୋଇବା ପାଇଁ ବ୍ୟବହାର କରୁଛନ୍ତି। ଏହା ଫଳରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଙ୍କା ରହୁଛି।
କନ୍ଧମାଳଜିଲ୍ଲା ଘୁ.ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ମାଲାନସୂଗା ଗ୍ରାମର ମାଦିନାଜୁ ଅଞ୍ଚଳରେ ଏଭଳି ସମସ୍ୟା ଦେଖାଦେଇଛି। ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇପାରିନାହିଁ। ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ କହିଛନ୍ତି।
ଅନ୍ୟପକ୍ଷରେ, ଚୁଆ ନିକଟକୁ ଯିବା ପାଇଁ ଭଲ ରାସ୍ତା ନାହିଁ। ବଡ଼ବଡ଼ ପଥର ଉପରେ ପାହାଚ ଚଢ଼ି ଲୋକଙ୍କୁ ପାଣି ଆଣିବାକୁ ପଡ଼ୁଛି। ସାମାନ୍ୟ ଅସାବଧାନତା ହେଲେ ଖସିପଡ଼ି ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ବିଶେଷ କରି ବର୍ଷା ଦିନରେ ଚୁଆକୁ ଯିବାଆସିବା କରିବା ଅଧିକ କଷ୍ଟକର ହୋଇପଡ଼ୁଛି।
ଚୁଆପାଣିରେ ନନ୍ଦମାହା ଗ୍ରାମବାସୀଙ୍କ ମେଣ୍ଟୁଛି ଶୋଷ
ବିଶୁଦ୍ଧ ପାନୀୟ ଜଳ ମଣିଷର ଏକ ମୌଳିକ ଆବଶ୍ୟକତା। କିନ୍ତୁ ଆଜି ମଧ୍ୟ ଏହି ଅଞ୍ଚଳର ଲୋକେ ଟୋପେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଦୂଷିତ ପାଣି ବ୍ୟବହାର ଯୋଗୁଁ ବିଭିନ୍ନ ଜଳବାହିତ ରୋଗ ହେବାର ଆଶଙ୍କା ମଧ୍ୟ ରହିଛି। ତେଣୁ ମାଲାନସୂଗା ଗ୍ରାମର ମାଦିନାଯୁ ଅଞ୍ଚଳରେ ନଳକୂପ ମରାମତି କରିବା ସହ ବିଶୁଦ୍ଧ ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା କରିବା ଏବଂ ଚୁଆକୁ ଯିବା ପାଇଁ ସୁରକ୍ଷିତ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏହି ୩୫ଟି ପରିବାରର ସମସ୍ୟା ପ୍ରତି ପ୍ରଶାସନ କେବେ ଦୃଷ୍ଟି ଦେବ ଏବଂ କେବେ ସେମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିବ, ତାହାକୁ ନେଇ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।